ରାୟଗଡ଼ା : ରାୟଗଡ଼ା ଜିଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ ଘଞ୍ଚ ଜଙ୍ଗଲରୁ ମାଓ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ବହୁ ଜିନିଷ ଜବତ ହୋଇଛି। ଏଥିରୁ ସେମାନଙ୍କ ଉପସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଛି। ଗତକାଲି ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଢେପଗୁଡ଼ା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ଏସ୍ଓଜି ଯବାନମାନେ ଗୋଟିଏ ଦେଶୀ ବନ୍ଧୁକ, ୩୭ଟି ଅଫୁଟା ଗୁଳି, ବୋମା ତିଆରି ପାଉଡର, ୫ ବଣ୍ଡଲ ତାର, ଦୁଇଟି ମାଓ ପୁସ୍ତିକା ଆଦି ବିପୁଳ ପରିମାଣର ଦ୍ରବ୍ୟ ଜବତ କରିଛନ୍ତି। ଏହି ମାଓକ୍ୟାମ୍ପରୁ ଲୁଣ, ଚିନି, ଚାହା, କ୍ଷୀର ପ୍ୟାକେଟ, ପାନିଆ, ସାବୁନ, ତେଲ, ଛତା, କମ୍ବଳ ଓ ଛୁରି ଭଳି ସାମଗ୍ରୀ ଜବତ ହେବା ଉକ୍ତ ଅଞ୍ଚଳରେ ମାଓ ଉପସ୍ଥିତି ଜାହିର କରୁଛି ବୋଲି ଆଲୋଚନା ହେଉଛି। ଗତ ଫେବୃଆରୀରେ ଆତ୍ମସମର୍ପଣ କରିଥିବା କ୍ୟାଡର ମାଓବାଦୀ ନିଖିଲ ଓ ଇନ୍ଦୁଙ୍କ ସୂଚନା ଅନୁସାରେ ଏହି ଚଢ଼ଉ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଫେବୃଆରୀରେ ରାୟଗଡ଼ା ଜିଲାର ୧୫ ଜଣ ମାଓବାଦୀ ତତ୍କାଳୀନ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେତେବେଳେ ଜିଲାରେ ମାଓ ଗତିବିଧି ନାହିଁ ବୋଲି କୁହାଯାଇ ଜିଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା। ଅପରପକ୍ଷେ ଜିଲାର କାଶୀପୁର ଅଞ୍ଚଳର ମାଓବାଦୀ ମଙ୍ଗୁ ମାଝୀ ଏଯାବତ ଆତ୍ମସମର୍ପଣ କରି ନ ଥିଲାବେଳେ ତାଙ୍କ ପତ୍ନୀ ଲକ୍ଷ୍ମୀ ମାଝି ଦୁଇ ବର୍ଷ ତଳେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ରାୟଗଡ଼ା ଜିଲା ପୁଲିସ ଅନେକ ସ୍ଥାନରେ ମାଓ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଥିବା ଜିଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ କହିଛନ୍ତି।