ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ପ୍ରଫେସର ତଥା ଇନର୍ ମଣିପୁରର କଂଗ୍ରେସ ଲୋକସଭା ସାଂସଦ ଡକ୍ଟର ଅଙ୍ଗୋମୋ ବିମୋଲ ଆକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜେଏନ୍ୟୁର ଆଭ୍ୟନ୍ତରୀଣ କମିଟିର ତଦନ୍ତ ନିଷ୍କର୍ଷ ଆଧାରରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରି ତାଙ୍କୁ ପ୍ରଫେସର ପଦରୁ ବରଖାସ୍ତ କରିଛନ୍ତି।
ଅଭିଯୋଗ ଅନୁସାରେ, ୧୧ ଜଣ ଛାତ୍ରୀ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଭଳି ସଂଗୀନ ଅଭିଯୋଗ ଆଣିଥିଲେ, ଯାହାର ଆଭ୍ୟନ୍ତରୀଣ ତଦନ୍ତ କମିଟି ଦ୍ୱାରା ଯାଞ୍ଚ କରାଯାଇଥିଲା। ଏହି ମାମଲାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଦିଲ୍ଲୀ ମହିଳା ଆୟୋଗ ମଧ୍ୟ ରିପୋର୍ଟ ତଲବ କରିସାରିଛି। ପ୍ରକାଶ ଯେ, ବିମୋଲ ଆକୋଇଜାମ ଜଣେ ଶିକ୍ଷାବିତ୍ ଭାବେ ପରିଚିତ ଥିବାବେଳେ ୨୦୨୩ ମଣିପୁର ହିଂସା ପରେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ। ସେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ଇନର୍ ମଣିପୁର ଆସନରୁ ବିଜୟୀ ହୋଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।