ରବିବାର କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ୪୯ନମ୍ବର ଜାତୀୟ ରାଜପଥରେ ପୃଥକ୍ ପୃଥକ୍ ଦୁର୍ଘଟଣା
କେନ୍ଦୁଝର : ରବିବାର କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ୪୯ନମ୍ବର ଜାତୀୟ ରାଜପଥରେ ପୃଥକ୍ ପୃଥକ୍ ଦୁର୍ଘଟଣା ଘଟି ୫ ନିରୀହ ଜୀବନ ଚାଲିଯାଇଛି। ଏପରି ଘଟଣାକୁ ନେଇ ଅଞ୍ଚଳରେ ରଜ ଉତ୍ସବ ଫିକା ପଡ଼ିଯାଇଛି। କୁଆଁର ଗ୍ରାମର ଦୁଇ ଭାଇ ଲକ୍ଷ୍ମଣ ସନଙ୍ଗି, ଅକ୍ଷୟ ସନଙ୍ଗି କାଇପୁର ଗାଁସ୍ଥିତ ଭଉଣୀ ଘରକୁ ଯାଉଥିଲେ। ଭଉଣୀ ଘରୁ ନିଜ ଘରକୁ ଫେରୁଥିବାବେଳେ ୪୯ନମ୍ବର ଜାତୀୟ ରାଜପଥ ଗମ୍ଭା ଢାବା ପାଖରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ରାସ୍ତାରେ ଦୁଇ ଭାଇ ଛିଟିକି ପଡ଼ିଥିଲେ ଓ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା।
ଏ ଦୁର୍ଘଟଣାର କିଛି ସମୟ ପରେ କୁଆଁର ମଙ୍ଗଳା ମନ୍ଦିର ପାଖରେ ଏକ ଟ୍ରକ ଓ ବାଇକ ଦୁର୍ଘଟଣା ହେବାରୁ ପଦାକସଡ଼ା ଗ୍ରାମର ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ପଦାକସଡ଼ା ଗ୍ରାମର ତିନି ଜଣ ସାଙ୍ଗ ସୁରେଶ ପ୍ରଧାନ, ଶଙ୍କର ପ୍ରଧାନ ଓ ଦୋଳ ପ୍ରଧାନ ବାଇକରେ କାଞ୍ଜିପାଣି ଆଡକୁ ଯାଉଥିଲାବେଳେ ରଙ୍ଗ ରୁଟ୍ରେ ଏକ ଟ୍ରକ ଆସି ଏମାନଙ୍କୁ ଧକ୍କା ଦେଇ ଦଳି ଦେଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ପଥର ପକାଇ ରାସ୍ତା ରୋକ କରି କ୍ଷତିପୂରଣ ଦାବି କରିଥିଲେ।
ପରେ ବାଂଶପାଳ ତହସିଲଦାର ବିକାଶ ଚନ୍ଦ୍ର ସାହୁ, ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ସଦର ଥାନା ଆଇଆଇସି ଅମିତ କୁମାର ଭୂୟାଁ, ନୟାକୋଟ ଥାନା ଅଧିକାରୀ ଆଲୋକ କୁମାର ପରିଡ଼ା, କାଞ୍ଜିପାଣି ଥାନା ଅଧିକାରୀ ଉଦୟବୀର କୁଲୁ ଘଟଣାସ୍ଥଳରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସହାୟତା ରାଶି ଦେବା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେବା ପରେ ସନ୍ଧ୍ୟା ୭ଟାରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥ ୪୯ର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ପ୍ରାୟ ୩ ଘଣ୍ଟା ଧରି ଅଟକି ରହିଥିଲା।