ବାନ୍ଧିଦେ ମୋ ଶିରେ ମୟୁର ଚୂଳ

ଅର୍ଜୁନୀ ଚରଣ ବେହେରା

ବାନ୍ଧିଦେ ମୋ ଶିରେ ମୟୁର ଚୂଳ ମା’
ବାନ୍ଧିଦେ ମୋ ଶିରେ ମୟୁର ଚୂଳ,
ଅଳି କରୁଛନ୍ତି ବେଣୁ ଗୋପାଳ ll (ଘୋଷା )
ଯଶୋଦା ବୋଲନ୍ତି ଆରେ କହ୍ନାଇ,
କଟାଳ କରୁଛୁ ତୁ କାହିଁ ପାଇଁ,
ଦହିମୁହାଁ ସାରି ବେଶ କରିଦେବି
ଭାଈ ବଳରାମେ ଯାଇ ତୁ ଖେଳ ll
ଗୋବିନ୍ଦ ବୋଲନ୍ତି ଶୁଣ ଗୋ ମାତ,
ଦ୍ୱାରେ ଡାକିଲେଣି ସାଥି ସଙ୍ଗାତ,
ଶ୍ରୀଦାମ,ସୁଦାମା ଅର୍ଜୁନ ଓ ବଳି,
ବୃଷବନ୍ଧୁ,ସ୍ତୋକକର୍ଣ୍ଣ,ସୁବଳ ll
ଯଶୋଦା ବୋଲନ୍ତି ରେ ଧନମଣି,
ହୃଦୟ ହାର ମୋ ନୟନ ମଣି,
କେମନ୍ତେ ଛାଡ଼ିବି ବାଛୁରୀ ଚରାଇ
ବୃନ୍ଦାବନେ ପରା ଡାହାଣୀ ଗୋଳ ll
ନଟଖଟ ବାଳ କୃଷ୍ଣ ନଟିଆ,
ତାକୁ ପାରଇ କି ଯଶୋଦା ମାଆ,
ହାତେ ଆଣି ଦେଲେ ମୋହନ ବେଣୁଟି,
ଶିରେ ବାନ୍ଧି ଦେଲେ ମୟୁର ଚୂଳ ll
କୃଷ୍ଣ ଗଲେ ବନେ ବାଛୁରୀ ନେଇ,
ଯଶୋଦା ରହିଲେ ବାଟକୁ ଚାହିଁ,
ସଙ୍ଗେ ଛନ୍ତି ସାଥି ଶ୍ରୀଦାମ,ସୁବଳ
ଭାଈ ବଳରାମ ଗଉଡ଼ ବାଳ ll
କୃଷ୍ଣ ବଳରାମ ଗୋପର ଦାଣ୍ଡେ,
ଗୋପ ଧୂଳି ପଡୁ ମୋହର ମୁଣ୍ଡେ,
କୃଷ୍ଣ ବିଳମ୍ବିତ କିସ ପାଇଁ ଆଜ,
ଯଶୋଦା ଭାଳନ୍ତି ଗୋଧୂଳି ବେଳ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.