ନୂଆପଡ଼ା ଓ ନୟାଗଡ଼ରେ ପ୍ରତିଷ୍ଠା ହେବ ସରକାରୀ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ହୋମିଓପାଥି ଚିକିତ୍ସା ପଦ୍ଧତିର ପ୍ରସାର ତଥା ଏହାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ୪ଟି ସରକାରୀ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଆଉ ୨ଟି ନୂଆ ସରକାରୀ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାଜଧାନୀସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୁଖ୍ୟ ଅତିଥିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟପାଳ ବ୍ରଜମୋହନ ରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ହୋମିଓପାଥି ଚିକିତ୍ସା ପଦ୍ଧତି ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ ମଧ୍ୟ ପୂର୍ବରୁ ଏହାକୁ ଉପଯୁକ୍ତ ସମ୍ମାନ ମିଳିନଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ନଭେମ୍ବର ୯ ତାରିଖରେ ଆୟୁଷକୁ ଏକ ସ୍ୱତନ୍ତ୍ର ମନ୍ତ୍ରାଳୟ ଭାବେ ଉନ୍ନୀତ କରିବା ପରେ ଭାରତୀୟ ଚିକିତ୍ସା ବିଜ୍ଞାନ ସହିତ ହୋମିଓପାଥିକୁ ଏକ ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ମିଳିପାରିଛି। ଏଲୋପାଥିକ ଓ ଆୟୁର୍ବେଦିକ ଚିକିତ୍ସା ଭଳି ହୋମିଓପାଥି ଚିକିତ୍ସା ମଧ୍ୟ ଆମ ଦେଶ ତଥା ଓଡ଼ିଶାରେ ବେଶ୍ ଲୋକପ୍ରିୟ। ତେବେ ଏହାର ଅଧିକ ପ୍ରସାର ପାଇଁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିରନ୍ତର ପ୍ରୟାସ ଜାରି ରଖିବାକୁ ପଡ଼ିବ। ବିଶେଷକରି ଗବେଷଣାର ମାନ, ଚିକିତ୍ସାର ସୁରକ୍ଷା, ନୈଦାନିକ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣର ଗୁରୁତ୍ୱକୁ ସର୍ବାଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେବଳ ଓଡ଼ିଶାରେ ନୁହେଁ, ବରଂ ସାରା ଦେଶର ଏକ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ ଭାବେ ପରିଗଣିତ ହେଉଛି। ହୋମିଓପାଥି ଚିକିତ୍ସାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହା ଅଧୀନରେ ଢେଙ୍କାନାଳ ଓ ବ୍ରହ୍ମପୁରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଖୁବ୍‌ଶୀଘ୍ର ସେଠାରେ ରୋଗୀସେବା ଆରମ୍ଭ କରାଯିବ। ସେହିପରି ବାଲେଶ୍ୱରଠାରେ ମଧ୍ୟ ଅନୁରୂପ ଭାବେ ଏକ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି। ଏହାବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି, ଯେଉଁଠାରେ ଆୟୁର୍ବେଦିକ ସହିତ ହୋମିଓପାଥିକ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି।

ଆୟୁର୍ବେଦିକ ଓ ହୋମିଓପାଥି ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନମୂଳକ ପଦକ୍ଷେପ ନେଇଛନ୍ତି। ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରଛାତ୍ରୀ ତଥା ଗୃହ ଶଲ୍ୟଚିକିତ୍ସକମାନଙ୍କର ବୃତ୍ତି ରାଶି ବୃଦ୍ଧି କରାଯାଇଛି। ଏହା ସହିତ ଓଡ଼ିଶା ହୋମିଓପାଥିକ ଚିକିତ୍ସା ସେବା ବର୍ଗ, ଆୟୁର୍ବେଦିକ ଚିକିତ୍ସା ସେବା ବର୍ଗ ଏବଂ ଆୟୁଷ ସହାୟକ ବର୍ଗର ପୁନର୍ଗଠନ କରାଯାଇ ସେମାନଙ୍କର ବେତନ ଢାଞ୍ଚାରେ ସଂଶୋଧନ କରାଯାଇଛି। ସେହିପରି ଚୁକ୍ତିଭିତ୍ତିକ ଅଧ୍ୟାପକ, ଉପାଚାର୍ଯ୍ୟ ଓ ପ୍ରାଧ୍ୟାପକମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି। ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଭିତ୍ତିଭୂମି ତଥା ଅଧ୍ୟାପକ ବର୍ଗର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି। ସେ କହିଛନ୍ତି ଯେ, ସରକାର, ଶିକ୍ଷାନୁଷ୍ଠାନ, ଗବେଷକ ଓ ଚିକିତ୍ସକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ହିଁ ଓଡ଼ିଶାକୁ ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ନେଇଯିବ। ଏଭଳି ଏକ ଜାତୀୟ ସ୍ତରର ବୈଜ୍ଞାନିକ ସମ୍ମିଳନୀର ସଫଳ ଆୟୋଜନ କରିଥିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜ୍ଞାନ ଓ ଗବେଷଣାକୁ ଆଧାର କରି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.