ଏଗ୍ରିଷ୍ଟାକ୍‌ ଆଇଡି ନଥିଲେ ବି ଧାନ ବିକିବେ ଚାଷୀ, ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ଘୋଷଣା

0

ଭୁବନେଶ୍ୱର: ଏଗ୍ରିଷ୍ଟାକ୍‌ ଫାର୍ମର ଆଇଡି ନାହିଁ ବୋଲି ଆଉ ଧାନ ବିକ୍ରିକୁ ନେଇ ଚିନ୍ତା କରିବାକୁ ପଡ଼ିବନି ଚାଷୀଙ୍କୁ। ଏଗ୍ରିଷ୍ଟାକ୍‌ ପଞ୍ଜୀକରଣ ନଥିଲେ ମଧ୍ୟ ଧାନ ବିକ୍ରି କରିପାରିବେ ଯୋଗ୍ୟ ଚାଷୀ। ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ଏଗ୍ରିଷ୍ଟାକ୍‌ ଆଇଡିକୁ ବାଧ୍ୟତାମୂଳକ କରାଯାଇନାହିଁ। ବୁଧବାର ବିଧାନସଭାରେ ଏନେଇ ସ୍ପଷ୍ଟୀକରଣ ରଖି ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏପଟେ ଏଗ୍ରିଷ୍ଟାକ୍‌ ପଞ୍ଜୀକରଣକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ କହି ଜବାବ ରଖିଛି ବିଜେପି। ଫଳରେ ଧାନ ସଂଗ୍ରହକୁ ନେଇ ରାଜ୍ୟ ରାଜନୀତିରେ ଚାଷୀଙ୍କ ସ୍ୱାର୍ଥ ଓ ଏଗ୍ରିଷ୍ଟାକ୍‌ ବ୍ୟବସ୍ଥାକୁ ନେଇ ତର୍କ ଜୋର୍‌ ଧରିଛି।

୨୨ ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ, ମାର୍ଚ୍ଚ ୩୧ ଯାଏଁ ଚାଲିବ ଧାନ ସଂଗ୍ରହ

ଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ମୋଟ ୨୨ ଲକ୍ଷ ୨୭ ହଜାର ୭୧୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ମାସରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ମଣ୍ଡି ଖୋଲିବା ତାରିଖ କେବଳ ପ୍ରଶାସନିକ ସ୍ତରରେ ନିର୍ଦ୍ଧାରଣ କରାଯାଏ ନାହିଁ। ଧାନ ଅମଳର ସ୍ଥିତି, ଚାଷୀଙ୍କ ପ୍ରସ୍ତୁତି ଏବଂ ସ୍ଥାନୀୟ ଆବଶ୍ୟକତାକୁ ଆଧାର କରି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ମଣ୍ଡି ଖୋଲିବା ତାରିଖ ସ୍ଥିର କରିଥାଏ। ତେଣୁ ଜିଲ୍ଲା ଅନୁସାରେ ମଣ୍ଡି ଖୋଲିବାର ତାରିଖ ଭିନ୍ନ ରହିବ ବୋଲି ସେ କହିଛନ୍ତି।

ସମସ୍ୟା ଥିଲେ ସରକାରଙ୍କୁ ଜଣାନ୍ତୁ, ରାଜନୀତିକରଣ କରନ୍ତୁ ନାହିଁ

ଧାନ ସଂଗ୍ରହ ପ୍ରକ୍ରିୟାରେ କୌଣସି ସ୍ଥାନରେ ସମସ୍ୟା ଉପୁଜିଲେ ତାହାର ସମାଧାନ କରାଯିବା ଆବଶ୍ୟକ। ଏଥିପାଇଁ ସମସ୍ୟାକୁ ରାଜନୈତିକ ଦୃଷ୍ଟିକୋଣରୁ ନଦେଖି ସରକାରଙ୍କ ନଜରକୁ ଆଣିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। କିନ୍ତୁ କେତେକ ସ୍ଥାନର ସମସ୍ୟାକୁ ଆଧାର କରି ସମଗ୍ର ଧାନ ସଂଗ୍ରହ ବ୍ୟବସ୍ଥାକୁ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇବା ଯୁକ୍ତିଯୁକ୍ତ ନୁହେଁ। ଚାଷୀଙ୍କ ସ୍ୱାର୍ଥ ସହ ସରକାର କୌଣସି ସାଲିସ କରିବେ ନାହିଁ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ଚାଷୀ ଅନୁକୂଳ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି ,

Leave A Reply

Your email address will not be published.