ଏସ୍ଏମସିରେ ସୁରକ୍ଷା ବ୍ୟବସ୍ଥା ବିପନ୍ନ: ତରଳ ଲୁହା ପଡ଼ି ପୁଣି ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଧୀନ ହିର୍ମା ଗ୍ରାମରେ ଥିବା ଏସ୍ଏମ୍ସି ଷ୍ଟିଲ ଓ ପାୱାର କାରଖାନାରେ ଗତ ବିଳମ୍ବିତ ରାତିରେ ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସାରେ ବିଳମ୍ବ ଯୋଗୁଁ କାରଖାନା ପରିସରରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ଶ୍ରମିକ ବ୍ଲାଷ୍ଟଫର୍ଣ୍ଣେସରେ କାମ କରୁଥିବା ବେଳେ ହଠାତ ତରଳ ଲୁହା ଛିଟିକି ଆସି ତାଙ୍କ ଦେହରେ ପଡ଼ିଥିଲା। ଫଳରେ ମହାବୀର ମାଝି ନାମକ ଜଣେ ଶ୍ରମିକଙ୍କ ଦେହର ୯୦ ପ୍ରତିଶତ ପୋଡ଼ି ଯାଇଛି।

ଆହତ ଶ୍ରମିକଙ୍କୁ ଦୀର୍ଘ ସମୟ କାରଖାନା ମଧ୍ୟରେ ତଳେ ପକାଇ ରଖାଯାଇଥିବା ବେଳେ ଚିକିତ୍ସା ପାଇଁ ବିଳମ୍ବ କାରଣରୁ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଖାନା ମଧ୍ୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ପୂର୍ବରୁ ବିଭିନ୍ନ ସମୟରେ ବହୁ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ କାରଖାନାରେ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ତେବେ ଏଥିପ୍ରତି କାରଖାନା କର୍ତ୍ତୃପକ୍ଷ ହେୟ ଜ୍ଞାନ କରୁଥିବା ବେଳେ ଝାରସୁଗୁଡ଼ାରେ ଥିବା ଫ୍ରାକ୍ଟ୍ରି ଓ ବଏଲର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।

ଗତ ରାତିରେ ଦୁର୍ଘଟଣା ଘଟିଥିବା ଶ୍ରମିକ ମହାବୀରଙ୍କ ଘର ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଆହତ ଶ୍ରମିକକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ବୁର୍ଲାରେ ପୋଡ଼ି ଯାଇଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କ ପରିବାର ଲୋକୋ ଆହତଙ୍କୁ ରାଉରକେଲା ଆଇଜିଏଚ୍କୁ ନେଇ ଯାଇଥିବା ଜଣାଯାଇଛି। ଏ ସଂପର୍କରେ କାରଖାନା ପକ୍ଷରୁ କେହି ମୁହଁ ଖୋଲୁନଥିବା ବେଳେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା କୁହାଯାଉଛି। ସକାଳ ୧୦ ପର୍ଯ୍ୟନ୍ତ ନିକଟରେ ଥିବା ବଡ଼ମାଲ ଥାନାକୁ ମଧ୍ୟ କାରଖାନା ପକ୍ଷରୁ ଦୁର୍ଘଟଣା ସଂପର୍କରେ ଜଣାଇ ନଥିବା ବଡ଼ମାଲ ଥାନା ସୂତ୍ରରୁ ପ୍ରକଶ। ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡା ଜଣାଇଛନ୍ତି ଯେ, ଲିଖିତ ଭାବରେ ଘଟଣା ସଂପର୍କରେ ଦେବାକୁ ସେ କାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି।

Comments are closed.