ଗତ ୧୧ ମାସରେ ୧୩୨ଜଣ ମାଓବାଦୀ ନିହତ ହୋଇଛନ୍ତି: ନକ୍ସଲ୍‌ ମୁଖପାତ୍ର ଅଭୟ

ଚାଈବାସା: ଗତ ୧୧ ମାସ ମଧ୍ୟରେ ସମଗ୍ର ଦେଶରେ ୧୩୨ଜଣ ନକ୍ସଲ୍‌ପନ୍ଥୀ ମୃତ୍ୟୁ ଘଟିଥିବା ବେଳେ ନସ୍କଲ୍‌ମାନେ ଏହି ସମୟ ମଧ୍ୟରେ ୩୧ଜଣ ଯବାନ ଓ ୬୯ଜଣ ପୁଲିସଙ୍କୁ ହତ୍ୟା କରିବା ସହିତ ୧୫୪ଜଣ ଯବାନଙ୍କୁ ଆହତ କରିଛନ୍ତି ବୋଲି ନକ୍ସଲ୍‌ପନ୍ଥୀ କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୨-୮ ତାରିଖ ପର୍ଯ୍ୟନ୍ତ ‘ପିପୁଲ୍‌ସ୍‌ ଲିବରେସନ୍‌ ଗରିଲା ଆର୍ମି’ର ୨୨ଶ ବାର୍ଷିକ ଉତ୍ସବ ବଡ଼ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରାଯିବ ବ‌ୋଲି ‘ଭାକପା’ ମାଓବାଦୀ ନକ୍ସଲ୍‌ ସଙ୍ଗଠନର ‘କେନ୍ଦ୍ରୀୟ ସୈନ୍ୟ ଆୟୋଗ’ ଏକ ୨୭ ପଷ୍ଠାସମ୍ବଳିତ ପୁସ୍ତିକା ଜାରି କରି ଉଲ୍ଲେଖ କରିଛି।

ଏହି ଅବସରରେ ସମଗ୍ର ଦେଶରେ ଗରିଲା ଯୁଦ୍ଧକୁ ତ୍ବରାନ୍ବିତ କରିବା, ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ଶତ୍ରୁକୁ ପରାସ୍ତ କରିବା ଏବଂ ଜନସଂଗ୍ରାମକୁ ଆଗେଇ ନେବା ନିମନ୍ତେ ପ୍ରଯତ୍ନ କରାଯିବା ବୋଲି ଉକ୍ତ ପୁସ୍ତିକାରେ ଉଲ୍ଲେଖ କରାଯାଇଛି।

ଉପରୋକ୍ତ ପୁସ୍ତିକାରେ ମଧ୍ୟ ଉଲ୍ଲେଖ ଅଛି ଯେ, ୨୦୨୧ ଡିସେମ୍ବରରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ୧୧ ମାସ ମଧ୍ୟରେ ସମଗ୍ର ଦେଶରେ ସବୁଦାୟ ୧୩୨ଜଣ ମାଓବାଦୀଙ୍କୁ ନିପାତ କରାଯାଇଛି। ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ରୀୟ ଅଞ୍ଚଳର ଜଣେ, ଦଣ୍ଡକାରଣ୍ୟର ୮୯ଜଣ, ବିହାର-ଝାଡ଼ଖଣ୍ଡର ୧୭ଜଣ, ପଶ୍ଚିମବଙ୍ଗର ଜଣେ, ତେଲେଙ୍ଗାନାରେ ୧୫ଜଣ, ଆନ୍ଧ୍ର‌ପ୍ରଦେଶରେ ଜଣେ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ୩ଜଣ ଲେଖାଏଁ ମାଓବାଦୀ।

ଦଣ୍ଡକାରଣ୍ୟର ପାରେୱା ସଂଘର୍ଷ ବେଳେ କେନ୍ଦ୍ରୀୟ କମିଟିର ସଦସ୍ୟ ଦୀପକଙ୍କ ସମେତ ୨୭ଜଣ ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ମଧ୍ୟ ‘ଭାକପା’ କେନ୍ଦ୍ରୀୟ କମିଟି କହିଛି।

Comments are closed.