ଜେଲରେ ସ୍ବତନ୍ତ୍ର ଖାଦ୍ୟ ଯୋଗାଇବାକୁ ଆବେଦନ କରିଥିଲେ ସତ୍ୟେନ୍ଦ୍ର ଜୈନ, ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଜେଲରେ ରହି ମସାଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ବିବାଦରେ ଅଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏମଧ୍ୟରେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ। ଜେଲରେ ତାଙ୍କ ଧାର୍ମିକ ବିଶ୍ବାସ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା ପାଇଁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଜୈନ, ଯାହାକୁ କୋର୍ଟ ଖାରଜ କରିଛନ୍ତି। ସ୍ବତନ୍ତ୍ର ଜଜ ବିକାଶ ଢ଼ଲ ଜୈନଙ୍କ ଆବେଦନକୁ ଖାରଜ କରିଥିବା ଜଣାପଡ଼ିଛି। କିଛି ପୂର୍ବରୁ ଶୁଣାଣି ହୋଇପାରିନଥିବାରୁ କୌଣସି ରାୟ ନଦେବା ପର୍ଯ୍ୟନ୍ତ ଜୈନଙ୍କୁ ସ୍ବତନ୍ତ୍ର ‌ଖାଦ୍ୟ ଦେବାକୁ କହିଥିଲେ କୋର୍ଟ।

ହେଲେ ଏହି ଆବେଦନ ଉପରେ ଦୁଇଥର ଶୁଣାଣି ସ୍ଥଗିତ ରହିବା ପରେ ଆଜି ରାୟ ଶୁଣାଇଛନ୍ତି କୋର୍ଟ। ଗତ ଶୁଣାଣିରେ ଜେଲ ପ୍ରଶାସନ କୋର୍ଟଙ୍କୁ କହିଥିଲେ ଯେ, ସତ୍ୟେନ୍ଦ୍ର ଜୈନ ବ୍ରତ କରିଥିବା ବିଷୟରେ ଆମକୁ କହିନଥିଲେ। ସେ ଏବିଷୟ‌ରେ ଲିଖିତ ଆକାରରେ ଦେବା ଉଚିତ୍ ଥିଲା। ଜେଲକୁ ଆସିବା ପରଠାରୁ ଆମେ ସତ୍ୟେନ୍ଦ୍ର ଜୈନଙ୍କୁ କଦାପି ବିଶେଷ ଖାଦ୍ୟ ଦେଇନାହୁଁ। ଜୈନ ନିଜେ ଖାଦ୍ୟ କିଣି ଖାଉଥିଲେ। କେବଳ ରମଜାନ୍ ଏବଂ ନବରାତ୍ରୀ ପରି ଧାର୍ମିକ ଉତ୍ସବରେ କଏଦୀମାନଙ୍କୁ ବିଶେଷ ଖାଦ୍ୟ ଦିଆଯାଏ। ଏଥିମଧ୍ୟରେ ଫଳ, ପୁରୀ ଓ ତରକାରୀ ଅନ୍ତର୍ଭୁକ୍ତ।

ନଭେମ୍ବର ୨୨ରେ ଜୈନ କୋର୍ଟରେ ଆବେଦନ କରିଥିଲେ ଯେ, ଜୈନ ଧର୍ମ ଅନୁଯାୟୀ ଜେଲରେ ଖାଦ୍ୟ ଉପଲବ୍ଧ ନାହିଁ। ୫ମାସ ମଧ୍ୟରେ ମୋର ଓଜନ ୨୮କିଲୋଗ୍ରାମ ହ୍ରାସ ପାଇଛି। ଗିରଫ ହେବା ଦିନ ଠାରୁ ସେ କୌଣସି ଜୈନ ମନ୍ଦିର ପରିଦର୍ଶନ କରିପାରିନାହିଁ ଏବଂ ଜୈନ ଧର୍ମରେ ଜଣେ ଗଭୀର ବିଶ୍ବାସୀ ହୋଇଥିବାରୁ ମୁଁ ଧାର୍ମିକ ଉପବାସ ପାଳନ କରୁଛନ୍ତି। ଏହି ଉପାବାସ ସମୟରେ ମୁଁ ରନ୍ଧା ଖାଦ୍ୟ, ଡାଲି, ଶସ୍ୟ ଏବଂ କ୍ଷୀର ଖାଏ ନାହିଁ। ମୁଁ କେବଳ ଫଳ, ପନିପରିବା ଏବଂ ଖଜୁରୀ ଖାଏ। ଏହି ଉପବାସ ମଧ୍ୟରେ ମୁଁ ଜେଲରେ ଆହତ ହୋଇଥିବାରୁ ମୋ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଏହା ସହ ମୋର ଫୁସଫୁସରେ ମଧ୍ୟ ସମସ୍ୟା ରହିଛି, ଯାହାକୁ କୋଭିଡ ପରବର୍ତ୍ତୀ ଲକ୍ଷଣ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଗତ ୧୨ଦିନ ହେଲାଣି ଜେଲ ପ୍ରଶାସନ ଧାର୍ମିକ ବିଶ୍ୱାସ ଅନୁଯାୟୀ ମୌଳିକ ଖାଦ୍ୟ ସାମଗ୍ରୀ ଯୋଗାଇବା ବନ୍ଦ କରିଦେଇଛି। ଏଭଳି କରିବା ଅବୈଧ ଏବଂ ଅନୁଚିତ୍ ଅଟେ। ତେଣୁ ତୁରନ୍ତ ମୋତେ ମୌଳିକ ଖାଦ୍ୟ ଯୋଗାଇବାକୁ ଅନୁରୋଧ କରୁଛି।

Comments are closed.