ସିସୋଡିଆଙ୍କୁ ଗିରଫ ପାଇଁ ଅମଙ୍ଗ ଥିଲେ ଅଧିକାଂଶ ସିବିଆଇ ଅଧିକାରୀ, ରାଜନୈତିକ ଚାପ ଯୋଗୁ ବାଧ୍ୟ ହେଲେ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୨ : ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏଏପି ଭାଜପାକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଟୁଇଟରେ ସେ ଲେଖିଛନ୍ତି, ‘ମୋତେ କୁହାଯାଇଛି ଯେ ସିବିଆଇର ଅଧିକାଂଶ ଅଧିକାରୀ ସିସୋଡିଆଙ୍କୁ ଗିରଫ କରିବା ବିରୁଦ୍ଧରେ ଥିଲେ, ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ମଧ୍ୟ ନାହିଁ।

କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ରାଜନୈତିକ ଚାପ ଏତେ ଥିଲା ଯେ ତାଙ୍କ ପାଖରେ ଏପରି କରିବା ଛଡ଼ା ଅନ୍ୟ କିଛି ଉପାୟ ନ ଥିଲା ।

ଦେଶଭକ୍ତ ତଥା ସଚ୍ଚୋଟ ଲୋକଙ୍କ ଉପରେ କେନ୍ଦ୍ର ସରକାର ଅତ୍ୟାଚାର କରୁଛନ୍ତି। ଲୋକମାନେ ଏହାର ଜବାବ ଦେବେ। ଯେଉଁମାନେ ଦେଶର ବ୍ୟାଙ୍କ ଲୁଟ କରିଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ସିସୋଡିଆଙ୍କୁ ସମ୍ପୂର୍ଣ୍ଣ ମିଥ୍ୟା ମାମଲାରେ ଗିରଫ କରାଯାଇଛି। ସେ ଜଣେ ଭଦ୍ରବ୍ୟକ୍ତି, ଦେଶପ୍ରେମୀ ତଥା ଜଣେ ସଚ୍ଚୋଟ ଏବଂ ସାହସୀ ବ୍ୟକ୍ତି ଯିଏ ସର୍ବଦା ଦେଶର ସେବାରେ ନିୟୋଜିତ ରହିଆସିଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି।

Comments are closed.