ଭୁବନେଶ୍ୱର: ସ୍ମାର୍ଟ ସହର, ସୁଗମ ଯାତାୟାତ ଏବଂ ପ୍ରଦୂଷଣମୁକ୍ତ ପରିବହନ ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଉନବିଂଶତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬। ଅକ୍ଟୋବର ୨୩ ଓ ୨୪ ତାରିଖରେ ଆୟୋଜିତ ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀରେ ସହରାଞ୍ଚଳ ପରିବହନର ଭବିଷ୍ୟତ, ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ଏବଂ ନାଗରିକଙ୍କ ପାଇଁ ସୁରକ୍ଷିତ ଓ ସୁଲଭ ଯାତାୟାତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି।
କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିବାବେଳେ ଓଡ଼ିଶାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କେନ୍ଦ୍ର ସରକାରଙ୍କ ସହର ବିକାଶ ବିଭାଗ ସଚିବ ସତେନ୍ଦ୍ର ସିଂହ ଏବଂ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଡିଜିଟାଲ୍ ଯୁଗରେ ସହରୀ ଯାତାୟାତ ଉପରେ ଫୋକସ୍
ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଡିଜିଟାଲ୍ ଯୁଗରେ ସହରାଞ୍ଚଳ ସୁଗମତା ଏବଂ ବାସଯୋଗ୍ୟତା’। ଦ୍ରୁତ ସହରୀକରଣ ଯୋଗୁଁ ବଢ଼ୁଥିବା ଟ୍ରାଫିକ୍ ଭିଡ଼, ବାୟୁ ପ୍ରଦୂଷଣ ଏବଂ ଯାତାୟାତ ସମସ୍ୟାର ସମାଧାନ ପାଇଁ ଡିଜିଟାଲ୍ ପ୍ରଯୁକ୍ତି କିପରି ସହାୟକ ହୋଇପାରିବ, ତାହା ଉପରେ ଆଲୋଚନା ହେଉଛି।
ଏଥିସହ ସାର୍ବଜନୀନ ପରିବହନର ଆଧୁନିକୀକରଣ, ମେଟ୍ରୋ ରେଳ ଓ ବସ୍ ସେବା ମଧ୍ୟରେ ସମନ୍ୱୟ, ପ୍ରଥମ ଓ ଶେଷ ମାଇଲ୍ ସଂଯୋଗ, ତଥ୍ୟ ଆଧାରିତ ପରିବହନ ପରିଚାଳନା ଏବଂ ପ୍ରଦୂଷଣ ହ୍ରାସ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ସହରର ପ୍ରତ୍ୟେକ ନାଗରିକ ଯେପରି ସୁରକ୍ଷିତ ଓ ସ୍ୱାଧୀନ ଭାବେ ଯାତାୟାତ କରିପାରିବେ, ସେଥିପାଇଁ ସମାବେଶୀ ଯୋଜନା ପ୍ରସ୍ତୁତି ଉପରେ ମଧ୍ୟ ବିଶେଷ ଧ୍ୟାନ ରହିଛି।
୨୬ ସହରରେ ୧,୧୮୫ କିଲୋମିଟରରୁ ଅଧିକ ମେଟ୍ରୋ ନେଟୱର୍କ
ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ତୋଖନ ସାହୁ ଦେଶରେ ମେଟ୍ରୋ ରେଳ ଭିତ୍ତିଭୂମିର ସମ୍ପ୍ରସାରଣ ଉପରେ ଆଲୋକପାତ କରିଥିଲେ। ତାଙ୍କ କହିବା ଅନୁଯାୟୀ, ୨୦୧୪ରେ ଦେଶରେ କାର୍ଯ୍ୟକ୍ଷମ ମେଟ୍ରୋ ନେଟୱର୍କ ୨୪୮ କିଲୋମିଟର ଥିବାବେଳେ ଏବେ ଏହା ୨୬ଟି ସହରରେ ୧,୧୮୫ କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି। ଏହାବ୍ୟତୀତ ଆଉ ୯୯୮ କିଲୋମିଟର ମେଟ୍ରୋ ଲାଇନ୍ର ନିର୍ମାଣ କାର୍ଯ୍ୟ ଚାଲିଛି।
ମେଟ୍ରୋ ନେଟୱର୍କର ସମ୍ପ୍ରସାରଣ ସହିତ ନ୍ୟାସନାଲ୍ କମନ୍ ମୋବିଲିଟି କାର୍ଡ, କ୍ୟୁଆର୍ କୋଡ୍ ଆଧାରିତ ଟିକେଟିଂ ବ୍ୟବସ୍ଥା ଏବଂ ପିଏମ୍ ଇ-ବସ୍ ସେବା ଭଳି ପଦକ୍ଷେପ ସହରୀ ପରିବହନକୁ ଅଧିକ ସୁଲଭ ଓ ଦୀର୍ଘସ୍ଥାୟୀ କରିବାରେ ସହାୟକ ହେଉଛି ବୋଲି ସେ କହିଥିଲେ।