ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଜ୍ଞାନ, ଭାରତୀୟ ସଂସ୍କୃତି ଓ ଯୁବଶକ୍ତିର ସମନ୍ୱୟରେ ଏକ ସଶକ୍ତ ରାଷ୍ଟ୍ର ଗଠନର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱ ସମ୍ମିଳନୀକୁ ଉଦ୍ଘାଟନ କରି ସେ କହିଛନ୍ତି, ଚିନ୍ମୟ ମିଶନ କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ଅମର ଚିନ୍ତାଧାରା। ଦଶନ୍ଧି ଦଶନ୍ଧି ଧରି ଏହି ମିଶନ ଭାରତର ଆଧ୍ୟାତ୍ମିକ ଜ୍ଞାନକୁ ବିଶ୍ୱରେ ପ୍ରସାର କରିବା ସହ ସମାଜସେବା ଓ ଯୁବପିଢ଼ିର ଚରିତ୍ର ଗଠନରେ ଅବଦାନ ରଖିଆସୁଛି।
ସ୍ୱାମୀ ଚିନ୍ମୟାନନ୍ଦଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ନିଜର ଏକ ଭାବପ୍ରବଣ ଅନୁଭୂତି ବାଣ୍ଟିଥିଲେ। ହୋଲୋବଟ୍ ମାଧ୍ୟମରେ ଗୁରୁଦେବଙ୍କ ସହ ଆଲୋଚନାର ଅନୁଭବ ତାଙ୍କୁ ୧୯୯୩ ମସିହାର ସେହି ସ୍ମରଣୀୟ ସମୟକୁ ଫେରାଇ ନେଇଥିଲା। ବଡ଼ୋଦରାରେ ଗୁରୁଦେବଙ୍କ ସହ ସାକ୍ଷାତ, ତାଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର ଓ ଆଶୀର୍ବାଦକୁ ମନେ ପକାଇ ମୋଦୀ କହିଥିଲେ, ଏହା ତାଙ୍କ ପାଇଁ ଅତ୍ୟନ୍ତ ଆବେଗିକ ଅନୁଭୂତି। ପ୍ରଯୁକ୍ତିବିଦ୍ୟା କିପରି ଅତୀତର ସ୍ମୃତିକୁ ପୁଣି ଜୀବନ୍ତ କରିପାରେ, ଏହା ତାହାର ଏକ ଉଦାହରଣ।
ଉପନିଷଦର ‘ବୟମ୍ ଅମୃତସ୍ୟ ପୁତ୍ରାଃ’ ଅର୍ଥାତ୍ ‘ଆମେ ଅମୃତର ସନ୍ତାନ’ ବାଣୀକୁ ଉଦ୍ଧୃତ କରି ମୋଦୀ କହିଥିଲେ, ଭାରତର ଜ୍ଞାନ ଓ ଚେତନା ପରମ୍ପରା ହଜାର ହଜାର ବର୍ଷ ଧରି ମାନବତାକୁ ମାର୍ଗଦର୍ଶନ ଦେଇଆସିଛି। ଭାରତୀୟ ସଂସ୍କୃତିର ମୂଳରେ ରହିଛି ମାନବ କଲ୍ୟାଣ ଓ ଆତ୍ମଜ୍ଞାନ। ତେଣୁ ଆଧ୍ୟାତ୍ମିକ ଉନ୍ନତି କେବଳ ବ୍ୟକ୍ତିର ଆତ୍ମବିକାଶରେ ସୀମିତ ନ ରହି ରାଷ୍ଟ୍ରର ପ୍ରଗତିକୁ ମଧ୍ୟ ପ୍ରେରଣା ଦେବା ଆବଶ୍ୟକ।
‘ଆମ ରାଷ୍ଟ୍ର ହେଉଛି ଆମ ସଂସ୍କୃତିର ଜନ୍ମଭୂମି ଏବଂ ଆମ ଅସ୍ତିତ୍ୱର ମୂଳଦୁଆ’ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତୀୟ ଐତିହ୍ୟ ପ୍ରତି ଗର୍ବବୋଧ ଓ ଜାତୀୟ ଆତ୍ମସମ୍ମାନ ଜାଗ୍ରତ କରିବା ଉପରେ ଜୋର୍ ଦେଇଥିଲେ। ସ୍ୱାମୀ ଚିନ୍ମୟାନନ୍ଦଙ୍କ ଗୀତା ଜ୍ଞାନଯଜ୍ଞ ମାଧ୍ୟମରେ ଉପନିଷଦ, ବେଦାନ୍ତ ଓ ଧର୍ମଗ୍ରନ୍ଥର ଜ୍ଞାନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଥିଲା। ଆଜି ଚିନ୍ମୟ ମିଶନର ଲକ୍ଷ ଲକ୍ଷ ଯୁବକଯୁବତୀ ଭାରତର ସାଂସ୍କୃତିକ ଦୂତ ଭାବେ ଏହି ପରମ୍ପରାକୁ ଆଗକୁ ନେଉଛନ୍ତି।
ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପ୍ରସଙ୍ଗରେ କାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟାର ରାମ ମନ୍ଦିର, ଉଜ୍ଜୟିନୀର ମହାକାଳ ମହାଲୋକ ଓ କେଦାରନାଥ-ବଦ୍ରିନାଥର ପୁନରୁଦ୍ଧାର ଭଳି ପଦକ୍ଷେପର ଉଦାହରଣ ଦେଇଥିଲେ। ଗତ ୧୨ ବର୍ଷରେ ବିଦେଶରୁ ୬୫୦ରୁ ଅଧିକ ପ୍ରାଚୀନ ମୂର୍ତ୍ତି ଓ କଳାକୃତି ଭାରତକୁ ଫେରାଇ ଅଣାଯାଇଥିବା କଥା ମଧ୍ୟ ସେ କହିଥିଲେ।
ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜୀବନ ଜ୍ଞାନ, କର୍ମ ଓ ଭକ୍ତିର ସମନ୍ୱୟ ଥିଲା ବୋଲି ମୋଦୀ କହିଥିଲେ। ବିବେକାନନ୍ଦ ଶିଳା ସ୍ମାରକୀ ନିର୍ମାଣ ପାଇଁ ଏକନାଥ ରାଣାଡେଙ୍କ ପ୍ରୟାସକୁ ଗୁରୁଦେବଙ୍କ ସମର୍ଥନ ଏବଂ ଆର୍ଥିକ ସହଯୋଗ ଭାରତୀୟ ଐତିହ୍ୟ ପ୍ରତି ତାଙ୍କ ସମର୍ପଣର ଉଦାହରଣ ବୋଲି ସେ ଉଲ୍ଲେଖ କରିଥିଲେ।
ଏବେର ପିଢ଼ିକୁ ସମାଜରେ ବିଭାଜନକାରୀ ଶକ୍ତିର ମୁକାବିଲା କରିବା, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଦେଶର ପ୍ରଗତିରେ ସକ୍ରିୟ ଭାଗ ନେବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ୨୦୪୭ରେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ସହ ଚିନ୍ମୟ ମିଶନ ମଧ୍ୟ ନିଜର ଶତବାର୍ଷିକୀ ଦିଗରେ ଅଗ୍ରସର ହେବ। ଏହି ଐତିହାସିକ ସଂଯୋଗକୁ ଉଲ୍ଲେଖ କରି ମୋଦୀ କହିଥିଲେ, ଚିନ୍ମୟ ମିଶନର ଯାତ୍ରା ଓ ବିକଶିତ ଭାରତ ଗଠନର ସଂକଳ୍ପ ଏକାଠି ଆଗକୁ ବଢ଼ିବା ଆବଶ୍ୟକ।