ପାଟନା: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆଉ ନାହିଁ ସମନ୍ୱୟ। ଏକାଠି ରହିବାକୁ ଉଭୟ ଅନିଚ୍ଛୁକ। ଏପରି ସ୍ଥିତିରେ ବୈବାହିକ ସମ୍ପର୍କ ଭାଙ୍ଗିବାର ପ୍ରଶ୍ନକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ପାଟନା ହାଇକୋର୍ଟ। ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ପରିସ୍ଥିତି ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ଅସମନ୍ୱୟ ଓ ଏକାଠି ରହିବାକୁ ଅନିଚ୍ଛାକୁ ପାରସ୍ପରିକ ନିଷ୍ଠୁରତା ଭାବେ ବିଚାର କରାଯାଇପାରେ। ଏହି ମାମଲାରେ ଛାଡ଼ପତ୍ର ସହ ପତ୍ନୀଙ୍କୁ ୩୬.୨୫ ଲକ୍ଷ ଟଙ୍କା ସ୍ଥାୟୀ ଭରଣପୋଷଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ତେବେ କୋର୍ଟଙ୍କ ରାୟର ଅର୍ଥ ଏହା ନୁହେଁ ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ରହିଲେ ପ୍ରତ୍ୟେକ କ୍ଷେତ୍ରରେ ଛାଡ଼ପତ୍ର ମିଳିବ। ଏହି ମାମଲାରେ ବୈବାହିକ ସମ୍ପର୍କର ପରିସ୍ଥିତି, ଉଭୟଙ୍କ ମତାମତ ଏବଂ ଆଇନଗତ ଆଧାରକୁ ବିଚାର କରାଯାଇଛି।
ମାମଲାର ବିବରଣୀ ଅନୁଯାୟୀ, ଦମ୍ପତିଙ୍କ ବିବାହ ୨୩ ଜାନୁଆରି ୨୦୧୩ରେ ବିହାରର ପାଟନାଠାରେ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା। ୨୫ ଜାନୁଆରି ୨୦୧୪ରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା। କିନ୍ତୁ ବିବାହର କିଛି ସମୟ ପରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇଥିଲା। ପରେ ପତ୍ନୀ ଶାଶୂଘର ଛାଡ଼ି ହାଜିପୁରରେ ନିଜ ବାପାମାଆଙ୍କ ପାଖକୁ ଚାଲିଯାଇଥିଲେ।
ସ୍ୱାମୀଙ୍କ ଅଭିଯୋଗ ଥିଲା, ପତ୍ନୀ ତାଙ୍କ ସହ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଖରାପ ବ୍ୟବହାର କରୁଥିଲେ। ତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ପତ୍ନୀ ଏକାଠି ରହିବାକୁ ରାଜି ହୋଇନଥିଲେ ବୋଲି ସେ ଦାବି କରିଥିଲେ।
ଅନ୍ୟପଟେ ପତ୍ନୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ଭାବେ ହଇରାଣ କରୁଥିଲେ। ସେ ସ୍ୱାମୀଙ୍କ ସହ ପୃଥକ ଘରେ ରହିବାକୁ ଚାହୁଁଥିଲେ, କିନ୍ତୁ ସ୍ୱାମୀ ଏଥିରେ ରାଜି ହୋଇନଥିବା ସେ କହିଥିଲେ।