କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ପୁଲିସକୁ ବଡ଼ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରିଛି ନନ୍ଦିପଦା ପୁଲିସ। ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ଏହି ଗୁଳି ବିନିମୟ ଘଟିଛି। ପୁଲିସର ପାଲଟା ଗୁଳିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅର୍ଜୁନ ପ୍ରଧାନ ଓଡ଼ିଶା ସମେତ ବିହାର ଓ ଝାଡ଼ଖଣ୍ଡରେ ୨୦ରୁ ଅଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ତା’ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାରୁ ପୁଲିସ ତାକୁ ଖୋଜୁଥିଲା। ଅସିଆ ଗାଁ ନିକଟରେ ପୁଲିସ ତାକୁ ଧରିବାକୁ ଉଦ୍ୟମ କରିବା ସମୟରେ ସେ ପୁଲିସ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଏହାର ଜବାବରେ ପୁଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅର୍ଜୁନ ଆହତ ହୋଇଥିଲା।

ଚଳିତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ କେନ୍ଦୁଝର ଜିଲ୍ଲାର ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟ୍ କରାଯାଇଥିଲା। ଏହି ଘଟଣାରେ ଅର୍ଜୁନ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ଥିବା ସୂଚନା ମିଳିଛି। ଅର୍ଜୁନ ପ୍ରଧାନର ଘର ଯାଜପୁର ଜିଲ୍ଲାର ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗାଁରେ। ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ତା’ ନାଁରେ ଅନେକ ମାମଲା ରହିଥିବା ସୂଚନା ରହିଛି। ତାକୁ ଏନକାଉଣ୍ଟର କରାଯିବା ପରେ ଏହି ଘଟଣାରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ତା’ର ଅନ୍ୟ ଅପରାଧିକ ମାମଲା ଏବଂ ସହଯୋଗୀଙ୍କ ସମ୍ପର୍କରେ ତଦନ୍ତରୁ ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।
Leave A Reply

Your email address will not be published.