ସମ୍ବେଦନଶୀଳ ତଦନ୍ତ କରାନଗଲେ ବିଜେପି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ: ପ୍ରଭାତି ପରିଡା

ଭୁବନେଶ୍ୱର : ତା.୦୧/୧୦: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ତଥା ବିଜୁ ଜନତା ଦଳର ନେତା ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ କରିଥିଲେ । ଶ୍ରୀ ସାହୁ ନିଜର ମୃତ୍ୟୁ ପାଇଁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି କିନ୍ତୁ ପୋଲିସ ପାଖରେ ସବୁ ତଥ୍ୟ ଓ ପ୍ରମାଣ ଥାଇ ବି କାହିଁକି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦାଶଙ୍କୁ ଗିରଫ କରାଯାଉନାହିଁ ବୋଲି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରଶ୍ନ
କରିଛନ୍ତି । ମୃତ୍ୟୁର କିଛି ଘଂଟା ପୂର୍ବରୁ ସ୍ୱର୍ଗତଃ ସାହୁ ଏବଂ ତାଙ୍କ ଘନିଷ୍ଟ ବନ୍ଧୁଙ୍କ ସହ ଫୋନ କଥାବାର୍ତା ହୋଇଥିଲେ । ଏହାର ଭିଡିଓ ରେକର୍ଡ ମଧ୍ୟ ଶ୍ରୀମତୀ ପରିଡା ଗଣମାଧ୍ୟମକୁ ଶୁଣାଇଥିଲେ । କିନ୍ତୁ ଶ୍ରୀ ସାହୁଙ୍କୁ ମୃତ୍ୟୁକୁ ୭ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କାହିଁକି ପଦକ୍ଷେପ ନେଉନାହିଁ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଏନେଇ ଆଜି ବିଜେପିର ଏକ ନେତୃମଣ୍ଡଳୀ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଶ୍ରୀମତୀ ପରିଡା କହିଛନ୍ତି ଯେ, ସ୍ୱର୍ଗତଃ ସାହୁଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାଶଙ୍କ ସୁସଂପର୍କ ଥିଲା ଏବଂ ମନ୍ତ୍ରୀ ଶ୍ରୀ ଦାଶ ନିଜେ ପ୍ରଭାବ ପକାଇ ଗତ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ତରଫରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ କରାଇଥିଲେ ା  ମାତ୍ର ୫ମାସ ହେବ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ସାହୁ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଥିଲେ । ଭାଇରାଲ ଅଡିଓ କ୍ଲିପରେ ମଧ୍ୟ ସ୍ୱର୍ଗତଃ ସାହୁ ନିଜ ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ୭ ଜଣଙ୍କ ନାମ ଉଲ୍ଲେଖ କରିଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହିତ ଜଣେ ନବନିର୍ବାଚତ ଜନପ୍ରତିନିଧିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଯଦି ପୋଲିସ ଅଧିକାରୀ ଏହି ଘଟଣାର ସମ୍ବେଦନଶୀଳ ତଦନ୍ତ ନକରନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି ।

ଏହି ଅବସରରେ ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଦିଲୀପ ନାୟକ, ଆର୍ଶିତ ପଟ୍ଟନାୟକ, ପ୍ରଭଞ୍ଜନ ମହାପାତ୍ର, ଉମାକାନ୍ତ ନାୟକ, ଦିଗଦର୍ଶନ ପଟ୍ଟନାୟକ, ବାଇଧର ମଲ୍ଲିକ, ଜ୍ୟୋତି ମହାପାତ୍ର, ଜୟନ୍ତ ଦାସ, ପୁନଃଚନ୍ଦ୍ର ଓଝା, ସୁଶାନ୍ତ ସ୍ୱାଇଁ, ଯୁବମୋର୍ଚ୍ଚ ରାଜ୍ୟ ସଭାପତି ଶ୍ରୀ ଇରାଶିଷ ଆଚାର୍ଯ୍ୟ ଓ ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀମତୀ ସ୍ୱୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ଜିଲ୍ଲା ଉପସଭାପତି ଶ୍ରୀ ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.