ସଫଳ ତୈଳ-ତାଳଚାଷୀ କୁଳମଣି: ଟାଙ୍ଗରା ଜମିରୁ ରୋଜଗାର ମାସକୁ ୫୦ ହଜାର

ନୀଳଗିରି (ଦିଲ୍ଲୀପ ସ୍ବାଇଁ): ବୟସ କେବଳ ଏକ ସଂଖ୍ୟା। ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହୋଇ ହେବ। ମୋଟା ଅଙ୍କର ଅର୍ଥ ରୋଜଗାର କରିହେବ। ଏ ଦୁଇଟି କଥାକୁ ପ୍ରମାଣିତ କରିଛନ୍ତି ୮୨ ବର୍ଷ ବୟସର କୁଳମଣୀ ନାୟକ। ସେ ହୋଇଯାଇଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଜୀବନର ଅପରାହ୍ନରେ ପହଞ୍ଚିଥିବା ଏହି ବ୍ୟକ୍ତି ଜଣକ ଏବେ ମାସକୁ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା।
କୁଳମଣିଙ୍କ ଘର ନୀଳଗିରି ବ୍ଲକ୍‌ ଆରବନ୍ଧ ଗ୍ରାମରେ। ସେ ଶିକ୍ଷକତା କରୁଥିଲେ। ପ୍ରାରମ୍ଭିକ ଦରମା ଥିଲା ମାତ୍ର ୮୦ ଟଙ୍କା। ୮ ହଜାର ଦରମା ପାଉଥିବା ବେ‌ଳେ ସେ ଚାକିରିରୁ ଅବସର ନେଲେ। ବାପା ଭୂମିହୀନ ଥିବାରୁ ଚାକିରି କାଳରେ ଯାହା ସଂଚୟ ଥିଲା, ତାକୁ ଖଟାଇ ସେ ୩ ଏକରର ଗୋଟିଏ ଟାଙ୍ଗରା ଓ ପଥୁରିଆ ଜମି କିଣିଥିଲେ। ଯାହାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀ ପରିହାସ କରିଥିଲେ। କହିଥି‌ଲେ, ସେ ଜମି କି କାମରେ ଲାଗିବ! ତେବେ ୧୯୮୦ ମସିହାରେ ସେ ପ୍ରଥମେ କରି ଉକ୍ତ ଜମିରେ ସବାଇ ଘାସ ଚାଷ କଲେ। ଯେଉଁଥିରୁ ଭଲ ରୋଜଗାର ହେଲା। ତେବେ ଧୀରେ ଧୀରେ ଚାହିଦା କମିବାରୁ ସେ ଘାସ ଚାଷ ବନ୍ଦ କ‌ରିଦେଲେ। ଚାକିରିରୁ ଅବସର ନେବା ପରେ କାଜୁ, ଆମ୍ବ ଓ କଦଳୀ ଗଛ ଲଗାଇଲେ। ହେ‌ଲେ ଫଳ ଚୋରି ହେବାରୁ କ୍ଷତି ସହିବାକୁ ପଡ଼ିଲା। ତେଣୁ କୁଳମଣି ବାଧ୍ୟହୋଇ ଗଛ କାଟିଦେଲେ ଏବଂ ତୈଳ-ତାଳ ଚାଷ କଲେ। ଯାହାକୁ ନେଇ ସେ ରଚିଛନ୍ତି ଉଦାହରଣ।

୨୦୧୨ ମସିହାରେ କୁଳମଣି ଉଦ୍ୟାନ କୃଷି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ଜଣେ ତୈଳ କମ୍ପାନିର ଅଧିକାରୀଙ୍କ ସହ ସାକ୍ଷାତ ହୋଇଥିଲା। ତାଙ୍କ ପରାମର୍ଶ କ୍ରମେ ସେ ଉକ୍ତ ଜାମିରେ ତୈଳ-ତାଳ ଚାଷ ଆରମ୍ଭ କଲେ। ପ୍ରଥମେ ୧୭୦ଟି ଗଛ ଲଗାଇଲେ। ଚାଷ ପାଇଁ ବିଜୁ କୃଷକ ଯୋଜନାରେ ତାଙ୍କୁ ବୋର୍‌ୱେଲ୍‌ ମିଳିଲା। ଚାଷ ଆଗେଇ ଚାଲିଲା। ଦୁଇବର୍ଷ ପରେ ୧୭୦ଟି ଗଛରୁ ୧ କୁଇଣ୍ଟାଲ୍‌ ତୈଳ-ତାଳ ଉତ୍ପାଦନ ହେଲା। ଯାହାକୁ କୁଳମଣି ରୁଚି କମ୍ପାନିକୁ ବିକ୍ରି କରି ଭଲ ଟଙ୍କା ପାଇଥିଲେ। ଏବେ ଗଛ ସଂଖ୍ୟା ବଢ଼ି ୨୦୦ରେ ପହଞ୍ଚିଛି। ସପ୍ତାହକୁ ୨୪ରୁ ୨୫ କୁଇଣ୍ଟାଲ୍‌ ତୈଳ-ତେଲ ଅମଳ ହେଉଥିବା ବେଳେ ତାକୁ ପତଞ୍ଜଳି କମ୍ପାନିକୁ ବିକ୍ରି କରି ମାସକୁ ୪୦ରୁ ୫୦ ହାଜର ଟଙ୍କା ରୋଜଗାର କରୁଛନ୍ତି। କୁଳମଣିଙ୍କୁ ଚାଷରେ ସହଯୋଗ କରୁ ନଥିବା ପରିବାର ଲୋକ ରୋଜଗାର ବାବଦରେ ଜାଣିବା ପରେ ହତବାକ ହୋଇଯାଇଥିଲେ। ସେମାନେ ଏବେ କୁଳମଣିଙ୍କୁ ତୈଳ-ତାଳ ଚାଷରେ ସହଯୋଗ କରୁଛନ୍ତି।

ପୁଅ ସତ୍ୟସାଗର ନାୟକ ବାପାଙ୍କ ପଥ ଅନୁସରଣ କରି ତୈଳ-ତାଳ ଚାଷ କରିବା ପାଇଁ ଉତ୍ସାହିତ ହୋଇଛନ୍ତି। ଯେଉଁ କୁଳମଣିଙ୍କୁ ଦିନେ ପରିବାର ଲୋକ ଓ ଗ୍ରାମବାସୀ ‘ଟାଙ୍ଗରା ଓ ପଥୁରିଆ ଜମି କିଣିଛ, ସେଥିରେ କିଛି ହେବନି’ କହି ଥଟ୍ଟାପରିହାସ କରୁଥିଲେ, ସେମାନେ ଆଜି ତାଙ୍କ ପ୍ରଶଂସାରେ ଶତମୁଖ। ବୟସକୁ ହରାଇଥିବା ଏବଂ ବେରୋଜଗାର ଯୁବବର୍ଗଙ୍କ ପାଇଁ ଆଶାର କିରଣ ସାଜିଥିବା କୁଳମଣି ଆଗକୁ ଆହୁରି ସଫଳତାର ଶିଡ଼ି ଚଢ଼ନ୍ତୁ। ‘ସମ୍ବାଦ’ ପକ୍ଷରୁ ତାଙ୍କୁ ଅନେକ ଶୁଭେଚ୍ଛା।

Comments are closed.