ସାମ୍ବାଦିକତାରେ ଦାୟିତ୍ୱବୋଧ ଓ ନିରପେକ୍ଷତା ଜରୁରୀ, କହିଲେ ବକ୍ତା

•ଜାତୀୟ ପ୍ରେସ୍ ଦିବସ ପାଳିଲା ଓଡ଼ିଶା ସାମ୍ବାଦିକ ୟୁନିଅନର ବାଲେଶ୍ୱର ଶାଖା

0
ବାଲେଶ୍ୱର, ନଭେମ୍ବର ୧୬ (କୃଷ୍ଣ କୁମାର ମହାନ୍ତି): ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ସମାଜ ପ୍ରତି ଏକ ଗଭୀର ଦାୟିତ୍ୱବୋଧ ଓ ଅଙ୍ଗୀକାରବଦ୍ଧତାର ପରିଚୟ। ସାମ୍ବାଦିକମାନେ ନିରପେକ୍ଷତା, ସତ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱକୁ ପ୍ରାଥମିକତା ଦେଇ କାର୍ଯ୍ୟ କଲେ ହିଁ ସମାଜରେ ସକାରାତ୍ମକ ପରିବର୍ତ୍ତନର ବାର୍ତ୍ତା ପହଞ୍ଚିପାରିବ ବୋଲି ଜାତୀୟ ପ୍ରେସ୍ ଦିବସ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତାମାନେ ମତପ୍ରକାଶ କରିଛନ୍ତି।
ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇଥିଲା। ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।
ବକ୍ତାମାନେ କହିଥିଲେ ଯେ, ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସାମ୍ବାଦିକ ଏକ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ମାତ୍ର କେତେକ କ୍ଷେତ୍ରରେ ସାମ୍ବାଦିକମାନେ ନିଜର ମୌଳିକ ଦାୟିତ୍ୱରୁ ବିଚ୍ୟୁତ ହୋଇ ରାଜନୈତିକ ଦଳର ମୁଖପାତ୍ର ଭଳି କାର୍ଯ୍ୟ କରିବା ଗଣମାଧ୍ୟମର ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ।
ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ପରେ ସୋସିଆଲ୍ ମିଡିଆରେ ସାମ୍ବାଦିକତାର ପରିସର ବ୍ୟାପକ ହୋଇଛି। କିନ୍ତୁ ଏହା ସହିତ ମିଥ୍ୟା ଓ ସତ୍ୟ ଖବର ମଧ୍ୟରେ ପାର୍ଥକ୍ୟ ଚିହ୍ନିବା ଏକ ବଡ଼ ଆହ୍ୱାନ ହୋଇଛି। କେଉଁଟି ସତ ଓ କେଉଁଟି ମିଥ୍ୟା, ତାହା ତତ୍କାଳ ଜାଣିବା ସମ୍ଭବ ହେଉନଥିବାରୁ ସାଧାରଣ ଲୋକଙ୍କ ମନରେ ଗଣମାଧ୍ୟମ ପ୍ରତି ଥିବା ବିଶ୍ୱାସ କ୍ରମଶଃ ହ୍ରାସ ପାଉଛି। ଏଭଳି ସ୍ଥିତିରେ ସାମ୍ବାଦିକମାନେ ତଥ୍ୟର ସତ୍ୟତା ଯାଞ୍ଚ କରିବା ସହ ନିଜର ନୈତିକତା ଓ ନିରପେକ୍ଷତା ବଜାୟ ରଖିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।
ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କ ମଧ୍ୟରେ ବିଭାଜନ ଓ ଏକତାର ଅଭାବ ଯୋଗୁଁ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ଗୁରୁତ୍ୱ ହରାଉଛି ବୋଲି ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସାମ୍ବାଦିକମାନଙ୍କ ପାଇଁ ପେନସନ୍, ସୁରକ୍ଷା, ଅଧିସ୍ୱୀକୃତି, ରେଳଯାତ୍ରାରେ ସୁବିଧା, ବୀମାରାଶି ବୃଦ୍ଧି ଏବଂ ବୀମାରେ ପିତାମାତାଙ୍କୁ ସାମିଲ କରିବା ଭଳି ଦାବିଗୁଡ଼ିକ ଏବେ ବି ଅପୂରଣୀୟ ରହିଛି। ଏଥିପାଇଁ ସାମ୍ବାଦିକ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ଏକତା ରହିବା ଆବଶ୍ୟକ। ସମସ୍ତେ ଏକଜୁଟ ହୋଇ ଦାବି ଉପସ୍ଥାପନ କଲେ ସରକାର ଏହାର ସମାଧାନ ପାଇଁ ଅଧିକ ଗୁରୁତ୍ୱ ଦେବେ ବୋଲି ବକ୍ତାମାନେ ଆଶାବ୍ୟକ୍ତ କରିଥିଲେ।
ଏହି ଅବସରରେ ୟୁନିଅନର ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ, ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ‘ଓଡ଼ିଶା ଖବର’ର ସମ୍ପାଦକ ଅମିୟ କୁମାର ମହାନ୍ତି, ୟୁନିଅନର ବରିଷ୍ଠ ସଦସ୍ୟ ମହେଶ୍ୱର ପ୍ରଧାନ ଓ ମଧୁସୂଦନ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ୟୁନିଅନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ୟୁନିଅନର ସଦସ୍ୟ କହ୍ନେଇ ଚରଣ ପ୍ରଧାନ, କମଳାକାନ୍ତ ନାୟକଙ୍କ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ।
Leave A Reply

Your email address will not be published.