ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅ‌ସନ୍ତୋଷ ବଢ଼ୁଛି

ପ୍ରାପ୍ୟ ମିଳୁନଥିବାରୁ ଆନ୍ଦୋଳନ ପାଇଁ ସଜବାଜ

ଯାଜପୁର : କେନ୍ଦୁଝର ରୋଇଡ଼ା ଖଣିରୁ ବେଆଇନ୍ ଭାବେ ମାତ୍ରାଧିକ ଖନନ ପାଇଁ ପ୍ରାୟ ୯୫୦ କୋଟି ଟଙ୍କା ଜରିମାନା ନଦେବାରୁ ମୋସ୍କୋ କମ୍ପାନି ଚାଲିବା ପାଇଁ ଅନୁମତି (ସିଟିଓ) ମିଳିଲାନାହିଁ। ମାତ୍ର, କମ୍ପାନିର ବେଆଇନ୍ କାରବାର ପାଇଁ ଶହଶହ ପରିବାର ଏବେ ହିନସ୍ତା ହେଉଛନ୍ତି। କଳିଙ୍ଗନଗରସ୍ଥିତ ଏହି କାରଖାନାର ପ୍ରାୟ ୯ ଶହ କର୍ମଚାରୀଙ୍କ ସମେତ ଶହଶହ ଶ୍ରମିକ ବର୍ଷବର୍ଷ ଧରି ଭୋକ ଉପବାସରେ ଦିନ କାଟୁଛନ୍ତି। ୨୦୨୦ ଫେବ୍ରୁଆରି ୧୨ତାରିଖରୁ ଅଢ଼େଇବର୍ଷ ଧରି ‘ନୋ ୱାର୍କ ନୋ ପେ ନୀତି’ର ସମ୍ମୁଖୀନ ହେଉଛନ୍ତି। ସେପଟେ, କାରଖାନା ପରିସରରେ ଥିବା ରେଲୱେ ସାଇଡ଼ିଂକୁ ବାହାର ପରିବହନ ସଂସ୍ଥାକୁ ଭଡ଼ାରେ ଦେଇ ଲକ୍ଷଲକ୍ଷ ଟଙ୍କା ମୁନାଫା କରୁଛନ୍ତି କମ୍ପାନି କର୍ତ୍ତୃପକ୍ଷ। ଏହାକୁ ବି ପ୍ରଶାସନ ସବୁଜ ସଙ୍କେତ ଦେଇଛି। ପ୍ରତିବାଦରେ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଥିଲେ‌ ହେଁ ଅସାଧୁମେଣ୍ଟ ଚାପରେ କର୍ମଚାରୀ ଓ ଶ୍ରମିକଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି।

ମିଳିଥିବା ତଥ୍ୟ ମୁତାବକ ସିଟିଓ ନଥିବାରୁ ୨୦୨୦-୨୧ରୁ ମେସ୍କୋ କାରଖାନାକୁ ବନ୍ଦ କରାଯାଇଛି। କେନ୍ଦୁଝର ଜିଲ୍ଲାର ରୋଇଡ଼ା ଖଣିରୁ ବେଆଇନ ଭାବେ ମେସ୍କୋ କମ୍ପାନି ମାତ୍ରାଧିକ ଖନନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶରେ ଖଣି ବିଭାଗର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ବଳରେ କାରଖାନାର ସିଟିଓ ରଦ୍ଦ କରାଯାଇଛି। ଏହାଫଳରେ ୨୦୧୯ ମାର୍ଚ୍ଚରୁ ବ୍ଲାଷ୍ଟ ଫର୍ଣ୍ଣେସ୍ ଓ ଇଲେକ୍ଟ୍ରି ପାୱାରକୁ ବନ୍ଦ କରିଦିଆଯାଇଥିଲା। ସିଷ୍ଟର ପ୍ଲଣ୍ଟ-୧ ଓ ୨କୁ ୨୦୨୦ରୁ ବନ୍ଦ କରାଯାଇଛି। ବନ୍ଦ କାରଖାନା ପରିସରରେ ଥିବା କାରଖାନାର ରେଲୱେ ସାଇଡିଂକୁ ମାତ୍ର ମାସେ ବନ୍ଦ କରି ପୁଣି ସିଟିଓ ପ୍ରଦାନ କରାଯାଇଛି। ମେସ୍କୋ କାରଖାନାର ସମସ୍ତ ୟୁନିଟ୍‌କୁ ବନ୍ଦ କରାଯାଇ କର୍ମଚାରୀ ଓ ଶ୍ରମିକମାନଙ୍କୁ ଭୋକିଲା ଛାଡ଼ିଦେଇ ରେଲୱେ ସାଇଡିଂକୁ ଆସନ୍ତାବର୍ଷ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ପରିଚାଳନା ପାଇଁ ଅନୁମତି ପ୍ରଦାନ କରାଯାଇଛି। କୋଟିକୋଟି ଟଙ୍କା ଜରିମାନା ଆଦାୟ ହୋଇପାରି ନାହିଁ। ଶହଶହ କର୍ମଚାରୀ ଓ ଶ୍ରମିକ ନିୟମିତ ଆନ୍ଦୋଳନ ଜାରି ରଖିଛନ୍ତି। ଅଥଚ ବାହାର ରାଜ୍ୟର ଏକ ପରିବହନ ଠିକାସଂସ୍ଥାକୁ ରେଲୱ‌େ ସାଇଡିଂ ଭଡ଼ା ଦିଆଯାଇଛି। ପରିବେଶ ମନ୍ତ୍ରାଳୟ ଏଥିପାଇଁ ମଧ୍ୟ ସିଟିଓ ଦେଇଛନ୍ତି। ପ୍ରଶ୍ନ ଉଠୁଛି, ଯଦି ଏକ କମ୍ପାନି ବେଆଇନ କାମ ପାଇଁ ପରିବେଶ, ସରକାର ଓ କର୍ମଚାରୀ କ୍ଷତିଗ୍ରସ୍ତ ହୋଇଛନ୍ତି, ସେହି କମ୍ପାନି ପାଇଁ ପରିବେଶ ବିଭାଗ ଅନୁମତି ଦେଲେ କିପରି?

ଏଭଳି ପ୍ରଶ୍ନ କର୍ମଚାରୀମାନେ କରିବା ସହିତ ଆନ୍ଦୋଳନକୁ ଜୋରଦାର କରିବାକୁ ପୁଣି ଅଣ୍ଟା ଭିଡ଼ିଛନ୍ତି। ସରକାର କାରଖାନା ପରିଚାଳନା ପାଇଁ ସିଟିଓ ମିଳୁନଥିବାରୁ କର୍ମଚାରୀ ପ୍ରାପ୍ୟ ପାଇପାରୁନଥିବା ମିଥ୍ୟା ପ୍ରଚାର କରୁଛନ୍ତି। ଅଥଚ ରେଲୱକୁ ସିଟିଓ ପ୍ରଦାନ କରାଯାଇଛି, ଯାହାକୁ ନେଇ ଉଭୟ କର୍ମଚାରୀ ଓ ଶ୍ରମିକମାନେ ପ୍ରଶ୍ନ ଉଠାଇଛନ୍ତି।

Comments are closed.