ଯାଜପୁର: ନଦୀରେ ଡଙ୍ଗା ବୁଡ଼ିଯିବାରୁ ଯାଜପୁର ଜିଲ୍ଲାରେ ଅଘଟଣ ଘଟିଛି। ଖରସ୍ରୋତା ନଦୀର ତନ୍ତିଘାଇ ଅଞ୍ଚଳରେ ଡଙ୍ଗା ବୁଡ଼ିଯିବାରୁ ଜଣେଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଉଦ୍ବେଗ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଯାଜପୁର ସଦର ଥାନା ଅନ୍ତର୍ଗତ ଡନରକୁଳ ପଞ୍ଚାୟତର ଗଣ୍ଡକୁଳ ନିକଟରେ ଖରସ୍ରୋତା ନଦୀର ତନ୍ତିଘାଇ ଅଞ୍ଚଳରେ ଏହି ଅଘଟଣ ଘଟିଛି। ନଦୀରେ ଡଙ୍ଗାଟି ବୁଡ଼ିଯିବା ପରେ ଏଥିରେ ଥିବା ଲୋକଙ୍କୁ ନେଇ ଚିନ୍ତା ବଢ଼ିଯାଇଥିଲା। ଘଟଣା ପରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନାହିଁ।