ଆବାସ କାର୍ଯ୍ୟାଦେଶ ଦେଇ ଦିବ୍ୟାଙ୍ଗଙ୍କୁ ଠକିଦେଲା ପ୍ରଶାସନ; ଅଗ୍ରିମ ପାଇଁ ଲାଞ୍ଚ ଦାବି ଅଭିଯୋଗ, ଜିଲ୍ଲାପାଳଙ୍କୁ ଫେରାଦ୍ ହେଲେ ଭଗବାନ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ରେ ସରକାରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଛି। ତଳତଳିଆ କର୍ମଚାରୀମାନେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ପାଇଁ ଲାଞ୍ଚ ମାଗୁଛନ୍ତି। ଆଉ ଲାଞ୍ଚ ଦେଇ ନପାରିଲେ କାର୍ଯ୍ୟାଦେଶକୁ ରଦ୍ଦ କରିଦେଉଛନ୍ତି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ଦିବ୍ୟାଙ୍ଗ ଯୁବକ ଭଗବାନ ଏଭଳି ସଙ୍ଗିନ୍ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଫେରାଦ୍ ହୋଇଛନ୍ତି। ଆବାସ ଯୋଜନାରୁ ବଞ୍ଚିତ କରାଗଲେ, ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଭଗବାନଙ୍କୁ ୨୦୧୮ ମସିହାରେ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ଅଗ୍ରିମ ଟଙ୍କା ନଦେବାରୁ ଭଗବାନ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଏନେଇ ଭଗବାନ ବାରମ୍ବାର ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ, କୌଣସି ସୁଫଳ ମିଳିନି। ବରଂ ଅଧିକାରୀମାନେ ଗୁହାରି ଶୁଣିବା ପରିବର୍ତ୍ତେ ତାଙ୍କୁ ପ୍ରତାରଣା ଦେଇଥିବା ଭଗବାନ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଲାଞ୍ଚ ମଗାଯାଇଥିବା କହିଛନ୍ତି। ପୂର୍ବରୁ ଭଗବାନଙ୍କ ଏଭଳି ଦୁର୍ଦ୍ଦିନ ସ୍ଥିତି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ବିଡିଓ ହଳଧର ଶବର ଏହାର ରିପୋର୍ଟ ମାଗିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ନିର୍ବାହୀ ଅଧିକାରୀ ଭଗବାନଙ୍କ ନାମରେ କୌଣସି ଆବାସ ନଥିବା ଓ ତାଙ୍କୁ ଦିଆଯାଇଥିବା କାର୍ଯ୍ୟାଦେଶ ଭୁଲ୍ ବୋଲି ରିପୋର୍ଟରେ ଦର୍ଶାଇଥିଲେ। ଏହାସହ ସେ ପକ୍କା ଘରେ ରହୁଛନ୍ତି ବୋଲି ରିପୋର୍ଟ ଦିଆଯାଇଥିଲା। ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ନିକଟରେ ଚିକିଟି ବ୍ଲକ୍ ପ୍ରଶାସନକୁ (ଚିଠି ନମ୍ବର ୨୯୬୪/ତା:୨୬/୯) ଅବଗତ କରିଥିଲା। କିନ୍ତୁ ଭଗବାନ ବାସ୍ତବରେ ଭୂମିହୀନ ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଏକ ୱେଲଡିଂ ଦୋକାନରେ କାମ କରୁଛନ୍ତି। ନିଜସ୍ବ ଘର ନଥିବାରୁ ତିନିଭାଇଙ୍କ ସହ ପୈତୃକ ବାସଭବନରେ ରହୁଛନ୍ତି।
ଯଦି ଭଗବାନଙ୍କ ନାମ ଆବାସ ହିତାଧିକାରୀଙ୍କ ତାଲିକାରେ ନାହିଁ ବୋଲି ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ତଦନ୍ତ ରିପୋର୍ଟ ଦାଖଲ କଲେ, ତା’ହେଲେ କେଉଁ ଆଧାରରେ ତାଙ୍କୁ ୨୦୧୮ ମସିହାରେ କାର୍ଯ୍ୟାଦେଶ ଦିଆଯାଇଥିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଅଧିକାରୀମାନଙ୍କ ମନମୁଖି ଓ ପାତରଅନ୍ତର ନୀତି ଜଳଜଳ ହୋଇ ଦିଶୁଛି। ସରକାରୀ ଆବାସ ପ୍ରଦାନ ଦିଗରେ ଜିଲ୍ଲାପାଳ କୌଣସି ପଦକ୍ଷେପ ନ‌‌ନେଲେ, ଧାର‌ଣା ପାଇଁ ଭଗବାନ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବ୍ରହ୍ମପୁରର ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହା ମାନବାଧିକାରକୁ କ୍ଷୁଣ୍ଣ କରିବା ସହ ସମାଜରେ ଭୟଙ୍କର ବାତାବରଣ ସୃଷ୍ଟି କରୁଛି। ଏଣୁ, ଜାତୀୟ ମାନବାଧିକାର କମିସନ ଦିବ୍ୟାଙ୍ଗ ଭଗବାନକୁ ନ୍ୟାୟ ଦେବା ଲାଗି ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରି କାର୍ଯ୍ୟାନୁ‌ଷ୍ଠାନ ପାଇଁ ସମସ୍ତ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରନ୍ତୁ। ଭିଜିଲାନ୍ସ୍ ଓ ସିବିଆଇ ତତ୍ତ୍ବାବଧାନରେ ସରକାରୀ ଯୋଜନାରେ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ହେଉ। ଯଦ୍ବାରା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରିବ। ଗରିବମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ମିଶ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତୃଣମୂଳସ୍ତରରେ କାମ କରୁଥିବା ଅଧିକାରୀ ଓ ମଧ୍ୟସ୍ଥି ମାନେ ହିଁ, ଲାଞ୍ଚ କାରବାରରେ ଲିପ୍ତ ରହୁଛନ୍ତି। ଆଉ ପ୍ରାଶାସନିକ ଅଧିକାରୀମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି ବୋଲି ସେ କହିଛନ୍ତି।

Comments are closed.