ଭୁବନେଶ୍ବର: ରାଜ୍ୟ ରାଜନୀତି ଦିନକୁ ଦିନ ଆହୁରି ସରଗରମ ହେବାରେ ଲାଗିଛି। ଆସନ୍ତା ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସର ବିଶାଳ ‘ସମ୍ବିଧାନ ବଞ୍ଚାଅ’ ରାଲି ଅନୁଷ୍ଠିତ ହେବ। ଏନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ମହାସଂଗ୍ରାମର ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଆନ୍ଦୋଳନ କ୍ରମାଗତ ତିନି ଦିନ ଧରି ଚାଲିବ। ଯୋଜନା ଅନୁଯାୟୀ, ୨୪ ତାରିଖରେ ରାଜ୍ୟର ସମସ୍ତ ବ୍ଲକ୍ରେ, ୨୫ ତାରିଖରେ ସମସ୍ତ ଜିଲ୍ଲା ସଦର ମହକୁମାରେ ଏବଂ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ। ୨୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ହେବାକୁଥିବା ଏହି ମହାସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତାମାନେ ଯୋଗ ଦେବେ।
ଏହି ଆନ୍ଦୋଳନରେ ଦଳ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ପ୍ରମୁଖତା ଦେବ। ପ୍ରଥମତଃ, ଇଭିଏମ୍ ବଦଳରେ ପୁନର୍ବାର ବାଲାଟ୍ ପେପର ଜରିଆରେ ନିର୍ବାଚନ କରାଇବାକୁ ଦାବି କରାଯିବ। ଦ୍ୱିତୀୟତଃ, ନିର୍ବାଚନ ପରିଚାଳନାରେ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବ। ତୃତୀୟତଃ, ଏମଏମଡିଆର୍ ଖଣି ଆଇନ୍ ଯୋଗୁଁ ରାଜ୍ୟର ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ଅଭିଯୋଗ ଆଣିବ ଦଳ। ଚତୁର୍ଥତଃ, ଚଳିତ ବର୍ଷ ବନ୍ୟା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏବଂ ବନ୍ୟା ପୀଡ଼ିତଙ୍କୁ ସଠିକ୍ ସହାୟତା ମିଳିନଥିବା ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଠିଆ କରାଯିବ। ଏହି ସଫଳତା ପାଇଁ ଦଳର ସମସ୍ତ ବ୍ଲକ୍ ଓ ଜିଲ୍ଲା ସଭାପତିମାନଙ୍କୁ ଦଳୀୟ ନେତୃତ୍ୱଙ୍କ ପକ୍ଷରୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି।