ବାଲେଶ୍ୱର, ନଭେମ୍ବର ୧୭ (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଚେତନତାକୁ ଗୁରୁତ୍ୱ ଦେଇ ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ, ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ଏବଂ ଅମୃତଧାରା ବୃଦ୍ଧାଶ୍ରମର ମିଳିତ ସହଯୋଗରେ ମଙ୍ଗଳବାର ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।
ହଦେବଖୁଣ୍ଟାସ୍ଥିତ ଚାନ୍ଦମାରୀ ପଡ଼ିଆ ନିକଟସ୍ଥ ଅମୃତଧାରା ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ।
ଶିବିରରେ ହାଡ଼ର ଘନତ୍ୱ ପରୀକ୍ଷା (ବିଏମ୍ଡି), ମଧୁମେହ, ହୃଦ୍ରୋଗ, ରକ୍ତହୀନତା, ରକ୍ତଚାପ ଓ ଚକ୍ଷୁ ପରୀକ୍ଷା ଭଳି ବିଭିନ୍ନ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯାଇଥିଲା। ଅଭିଜ୍ଞ ଡାକ୍ତରମାନେ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଦେଇଥିବାବେଳେ ପାରାମେଡିକାଲ୍ କର୍ମଚାରୀମାନେ ସେବା କାର୍ଯ୍ୟରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ ସ୍ୱାସ୍ଥ୍ୟ ପରୀକ୍ଷାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ସାଧାରଣ ସମ୍ପାଦକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଜୀବନର ଅପରାହ୍ନରେ ବରିଷ୍ଠ ନାଗରିକଙ୍କ ପ୍ରତି କରୁଣା, ସ୍ନେହ ଓ ଯତ୍ନ ହିଁ ସେମାନଙ୍କ ଜୀବନରେ ନୂତନ ଆଶା ସଞ୍ଚାର କରିଥାଏ। ଅମୃତଧାରା ବୃଦ୍ଧାଶ୍ରମର ସମ୍ପାଦକ ଡକ୍ଟର ସରୋଜ କୁମାର ମହାପାତ୍ର ଆଶ୍ରମର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ନିୟମିତ ଭାବେ ବିଭିନ୍ନ ସଚେତନତାମୂଳକ ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ପ୍ରକାଶ କରିଥିଲେ।
ଏହି ଅବସରରେ ବୟସ୍କ ବ୍ୟକ୍ତିମାନଙ୍କୁ ମଧୁମେହ ଓ ରକ୍ତଚାପ ନିୟନ୍ତ୍ରଣ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ହାଡ଼ ମଜବୁତ ରଖିବା ପାଇଁ କ୍ୟାଲସିୟମ୍ ଓ ଭିଟାମିନ୍ଯୁକ୍ତ ଖାଦ୍ୟ, ପର୍ଯ୍ୟାପ୍ତ ଜଳପାନ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହାଲୁକା ବ୍ୟାୟାମ ଓ ନିୟମିତ ଚଲାବୁଲା କରିବାକୁ ପରାମର୍ଶ ଦିଆଯାଇଥିଲା।
ଶିବିରର ସଫଳ ଆୟୋଜନରେ କଟକର ବିଏମ୍ଡି କ୍ୟାମ୍ପର ସୁଭକାନ୍ତ ବଳ, ଇଣ୍ଡି କେମ୍ ହେଲଥ୍ ସ୍ପେଶାଲିଷ୍ଟ ପ୍ରାଇଭେଟ୍ ଲିମିଟେଡ୍ର ସରୋଜ ବିଶ୍ୱାଳ ଏବଂ ଆପୋଲୋ ହସ୍ପିଟାଲର ଚନ୍ଦ୍ରଶେଖର ସାହୁ ଓ ପୂଜାପ୍ରିୟା ରାଉଳ ବିଭିନ୍ନ ବିଭାଗରେ ପରୀକ୍ଷା ଓ ସେବା ପ୍ରଦାନ କରିଥିଲେ।
ପୁରାତନ ଛାତ୍ର ସଂସଦର ଅର୍ଥ ସମ୍ପାଦକ ଶ୍ୟାମସୁନ୍ଦର ଜେନା, ବରିଷ୍ଠ ସଦସ୍ୟ ପୀତାମ୍ବର ଦାସ, ରାମଚନ୍ଦ୍ର ସେଠୀ, ଦେବାଶିଷ ପାଣି, ଉପସଭାପତି ଚିତ୍ରାରାଣୀ ପାତ୍ର ଓ ସଙ୍ଗୀତା ରଥ ଏବଂ ସାଂସ୍କୃତିକ ସମ୍ପାଦକ ଅମୃତାଂଶୁ ପଟ୍ଟନାୟକ ସହଯୋଗ କରିଥିଲେ। ସେହିପରି ଅମୃତଧାରା ବୃଦ୍ଧାଶ୍ରମ ଟ୍ରଷ୍ଟର ସଦସ୍ୟ ଅର୍ଦ୍ଧେନ୍ଦୁ ଦାସ ମହାପାତ୍ର, ଅଶୋକ କୁମାର ପୁରୀ, ଅରବିନ୍ଦ ପଣ୍ଡା, ରାଧାକାନ୍ତ ପଣ୍ଡା, ରାଧାକାନ୍ତ ଦାସ, ସୁରେଶ କୁମାର ସାମଲ ଓ ମାନସ କୁମାର ପରିଡ଼ା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ପୁରୀ ସରସ୍ୱତୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଛାତ୍ରୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟରକ୍ଷା ଓ ସେବାକୁ ପ୍ରାଥମିକତା ଦେଇ ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟକ୍ରମ ଜାରି ରଖିବାକୁ ଫକୀର ମୋହନ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।