ରାୱଲପିଣ୍ଡି ଟେଷ୍ଟ୍‌ରେ ରନ୍‌ ଝଡ଼: ପ୍ରଥମ ଦିବସରେ ପ୍ରଥମ ଥର ୫୦୦+ ରନ୍‌

୧୧୨ ବର୍ଷ ତଳର ରେକର୍ଡ (୪୯୪) ଭାଙ୍ଗିଲା, ୪ ଶତକ ସହିତ ଇଂଲଣ୍ଡ ୭୫ ଓଭରରେ ୫୦୬/୪

ରାୱଲପିଣ୍ଡି: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ୍‌ କ୍ରିକେଟ୍‌ ଖେଳି ଚମତ୍କାର ଢଙ୍ଗରେ ଅଭିଯାନ କରିଛି ଇଂଲଣ୍ଡ। ୧୧୨ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଏକ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିବସରେ ଇଂଲଣ୍ଡ ପ୍ରଥମ ଦେଶ ଭାବେ ୫୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିଛି। ତା’ପୁଣି ୭୫ ଓଭରରେ, ଅର୍ଥାତ୍‌ ଓଭର ପିଛା ୬.୭୪ ହାରରେ ରନ୍ ସଂଗୃହୀତ ହୋଇଛି ପ୍ରଥମ ଦିନ ଖେଳରେ। ୧୯୧୦ ମସିହାରେ ଏକ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିବସରେ ସର୍ବାଧିକ ୪୯୪ ରନ୍‌ ସଂଗ୍ରହ କରିଥିଲା ଅଷ୍ଟ୍ରେଲିଆ। ସିଡନିରେ‌ ଖେଳାଯାଇଥିବା ଏହି ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସ୍କୋର କରିଥିଲା ଘରୋଇ ଦଳ। ଗୁରୁବାରଠାରୁ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ଟେଷ୍ଟରେ ଇଂଲଣ୍ଡର ୪ ଜଣ ବ୍ୟାଟର୍‌ ମଧ୍ୟ ଶତକ ହାସଲ କରିବା ଆଉ ଏକ ଉଲ୍ଲେଖନୀୟ ଘଟଣା।

ରାୱଲପିଣ୍ଡି ଟେଷ୍ଟ୍ ମ୍ୟାଚ୍‌ ଖେଳାଯିବା ପୂର୍ବଦିନଠାରୁ ଇଂଲଣ୍ଡ ଶିବିରରେ କିନ୍ତୁ ଆଶଙ୍କା ଭରି ରହିଥିଲା। ଇଂଲଣ୍ଡର ୧୪ ଜଣ ଖେଳାଳି ଅସୁସ୍ଥ ହୋଇପଡ଼ିଥିବାରୁ ନିର୍ଧାରିତ ଦିନଠୁ ଏହି ମ୍ୟାଚ୍‌ ଆରମ୍ଭ ନେଇ ମଧ୍ୟ ସଂଶୟ ସୃଷ୍ଟି ହୋଇଥିଲା। ତେବେ ଗୁରୁବାର ସକାଳେ ସବୁ ଠିକ୍‌ଠାକ୍‌ ରହିବାରୁ ଖେଳ ଯଥାରୀତି ଆରମ୍ଭ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଇଂଲଣ୍ଡ ଖେଳାଳି କିନ୍ତୁ ପିଣ୍ଡିର ଫ୍ଲାଟ୍ ପିଚ୍‌ ଏବଂ ପାକିସ୍ତାନର ଅନଭିଜ୍ଞ‌ ବୋଲିଂ ବାହିନୀରୁ ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ। ଟସ୍ ଜିତି ବ୍ୟାଟିଂ କରିବା ପରେ ପ୍ରଥମ ୩ ଜଣ ଇଂଲିସ୍ ଖେଳାଳି ଜ୍ୟାକ୍ କ୍ରଲି (୧୧୧ ବଲରୁ ୧୨୨ ରନ୍‌), ବେନ୍ ଡକେଟ୍‌ (୧୧୦ ବଲ୍‌ରୁ ୧୦୭ ରନ୍) ଏବଂ ଓଲି ପୋପ୍ (୧୦୪ ବଲ୍‌ରୁ ୧୦୮ ରନ୍‌) ତିନି ଅଙ୍କ ଛୁଇଁବା ପରେ ଆଉଟ୍ ‌ହୋଇଯାଇଥିଲେ। ରନ୍‌ ବର୍ଷା କିନ୍ତୁ ଜାରି ରହିଥିଲା। କେବଳ ଜୋ ରୁଟ୍‌ (୨୩) ସଅଳ ଆଉଟ୍ ହୋଇଯାଇଥିଲେ। ଅପରାହ୍ଣରେ ହ୍ୟାରି ବ୍ରୁକ୍ସ (୮୧ ବଲ୍‌ରୁ ୧୦୧* ରନ୍‌) ଏବଂ ବେନ୍ ଷ୍ଟୋକ୍ସ (୧୫ ବଲ୍‌ରୁ ୩୪* ରନ୍‌) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଅପରାଜିତ ରହିଥିଲେ।

ପାକିସ୍ତାନ ପକ୍ଷରୁ ପଦାର୍ପଣ କରିଥିବା ଲେଗସ୍ପିନର୍‌ ଜାହିଦ୍ ମେହମ୍ମୁଦ (୨୩-୧-୧୬୦-୨) ପ୍ରଥମ ଦିନର ସଫଳତମ ବୋଲର ଥିଲେ ମଧ୍ୟ ମହଙ୍ଗା ବୋଲିଂ ରେକର୍ଡର ଅଧିକାରୀ ହୋଇଥିଲେ। ଡକେଟ୍‌ ଓ ବ୍ରୁକ୍‌ ନିଜ ନିଜ ପ୍ରଥମ ଟେଷ୍ଟ୍‌ ଶତକ ହାସଲ କରିଥିବା ବେଳେ କ୍ରଲି ଓ ପୋପ୍‌ ନିଜ ନିଜର ତୃତୀୟ ଟେଷ୍ଟ୍ ଶତକ ହାସଲ କରିଥିଲେ। ପ୍ରଥମ ଦିବସରେ ମାତ୍ର ୩ଟି ମେଡେନ୍‌ ଓଭର‌ ବୋଲିଂ ହୋଇଥିବା ବେଳେ ୭୩ ଚୌକା ଓ ୩ ଛକା ନଜରକୁ ଆସିଛି। ଦିନର ତିନି ଅଧିବେସନରେ ଯଥାକ୍ରମେ ୧୭୪, ୧୫୮ ଓ ୧୭୪ ରନ୍‌ ସଂଗ୍ରହ କରିଥିଲେ ଇଂଲଣ୍ଡ ବ୍ୟାଟର୍‌। ମୋଟ ୫ ଜଣ ପାକିସ୍ତାନ ଖେଳାଳି ଜାହିଦ୍ ମେହମ୍ମୁଦ, ମହମ୍ମଦ ଅଲୀ, ହାରିସ୍ ରୌଫ, ସୌଦ ସକିଲ୍‌, ଏହସାନ ରାଜା ଟେଷ୍ଟ୍ ପଦାର୍ପଣ କରିଛନ୍ତି।

ଗୋଟିଏ ଦିନର ସର୍ବୋଚ୍ଚ ରନ୍‌: ଟେଷ୍ଟ୍‌ କ୍ରିକେଟ୍‌ର ପ୍ରଥମ ଦିବସରେ ପ୍ରଥମ ଥର ୫୦୦ ରନ୍‌ରୁ ଅଧିକ ରନ୍‌ ଦେଖିବାକୁ ମିଳିଛି ଗୁରୁବାର। କିନ୍ତୁ ‌ଗୋଟିଏ ଦିନରେ ୫୦୦ରୁ ଅଧିକ ରନ୍‌ ୪ ଥର ଘଟିଥିଲେ ମଧ୍ୟ କୌଣସିଟି ପ୍ରଥମ ଦିନ ନଥିଲା। ଇଂଲଣ୍ଡ ୩ ଥର ଏବଂ ଶ୍ରୀଲଙ୍କା ଥରେ ଏଭଳି କରିଛନ୍ତି। କୌଣସି ଗୋଟିଏ ଦିନର ସର୍ବାଧିକ ରନ୍ ସଂଗ୍ରହ ରେକର୍ଡ ମଧ୍ୟ ରହିଛି ଇଂଲଣ୍ଡ ନାମରେ। ୧୯୩୬ ମସିହାରେ ମା‌ଞ୍ଚେଷ୍ଟର୍‌ଠାରେ ଭାରତ ବିପକ୍ଷରେ ଇଂଲଣ୍ଡ ଦ୍ବିତୀୟ ଦିବସରେ ମୋଟ ୫୮୮ ରନ୍ ସଂଗ୍ରହ କରିଥିଲା।

Comments are closed.