ଭାଷା ଓ ସାହିତ୍ୟର ପ୍ରସାର ଏବଂ ପ୍ରକାଶନ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ପୁସ୍ତକ ମେଳା -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଶୁଭ ଉଦ୍‌ଘାଟନ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁସ୍ତକ ମେଳା ଭାଷା ଓ ସାହିତ୍ୟର ପ୍ରସାର ସହିତ ପ୍ରକାଶନ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଏହା ଦ୍ୱାରା ରାଜ୍ୟ ବାହାରର ଅନେକ ପ୍ରଥିତଯଶା ସାହିତ୍ୟିକମାନଙ୍କ ଲେଖାମାନ ଅଗଣିତ ପୁସ୍ତକପ୍ରେମୀ ଓ ଛାତ୍ରଛାତ୍ରୀ ପଢ଼ି ପାରିବାର ସୁଯୋଗ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ହେଉଛି ଏକ ଜାତିର ଆତ୍ମା ବୋଲି ପ୍ରକାଶ କରିଥିଲେ । ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହୋଇପାରିବ । ବହି ହେଉଛି ମଣିଷର ସ୍ୱାଭାବିକ ବନ୍ଧୁ । ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ପୁସ୍ତକ ଏକ ପଠନ ପ୍ରକ୍ରିୟାର ଅପରିବର୍ତ୍ତିତ ମାଧ୍ୟମ ହୋଇ ରହିଛି ଓ ପୁସ୍ତକର କୌଣସି ବିକଳ୍ପ ନାହିଁ । ପୁସ୍ତକ ଯୁଗେ ଯୁଗେ ସମାଜରେ ପରିବର୍ତ୍ତନ ଆଣିଛି ଓ ସ୍ୱାଧୀନଚେତା ଲେଖକମାନଙ୍କ କୃତିମାନ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ମଧ୍ୟ ସହାୟକ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ଏହି ଉତ୍ସବରେ ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଶ୍ରୀ ଆର୍‌. ବାଲକ୍ରିଷ୍ଣନ୍‌ କହିଲେ ଯେ ଭାଷା, ଐତିହ୍ୟ ଓ ସଂସ୍କୃତି ଏକ ଜାତିର ସୂକ୍ଷ୍ମଶକ୍ତି । ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ପୁସ୍ତକମାନ ମାତୃଭାଷାରେ ଲେଖାହେବା ଉଚିତ ଯାହା ଆଜିର ପିଢ଼ି ପାଇଁ ସହାୟକ ହୋଇପାରିବ । ପଠନ ଅଭ୍ୟାସ ଏକ ଆନ୍ଦୋଳନରେ ପରିଣତ ହୋଇପାରିଲେ ଉତ୍ତରପିଢ଼ିର ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ପୁସ୍ତକ ପଠନ ଅଭ୍ୟାସ ଆରମ୍ଭ କରାଯିବା ଉଚିତ ଓ ବୋଧଗମ୍ୟ ହେବା ଭଳି ପୁସ୍ତକ ପ୍ରତ୍ୟେକଟି ପାଠାଗାରରେ ସ୍ଥାନିତ ହେବାର ଆବଶ୍ୟକତା ରହିଥିବା ସେ କହିଥିଲେ । ବିଭିନ୍ନ ଭାଷାରେ ଥିବା ଉପାଦେୟ ପୁସ୍ତକମାନ ମାତୃଭାଷାରେ ଅନୁବାଦିତ ହୋଇପାରିଲେ ବିଭିନ୍ନ ସମୟର ସଂସ୍କୃତି ଓ ଐତିହ୍ୟ ବିଷୟରେ ଜ୍ଞାନ ଉପାର୍ଜନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ସରକାରୀ ସ୍ତରରେ ପ୍ରୋତ୍ସାହନ ପ୍ରଦାନ ଦ୍ୱାରା ବିଭିନ୍ନ ପୁସ୍ତକମେଳା ଲୋକାଭିମୁଖୀ ହୋଇଥିବାର ସେ କହିଥିଲେ ।

ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ କହିଲେ ଯେ ଓଡ଼ିଆ ଭାଷାର ପ୍ରମୁଖ ୧୦୦ଟି ନିର୍ବାଚିତ ଗଳ୍ପ ଜର୍ମାନ୍‌, ଫ୍ରେଞ୍ଚ, ଜାପାନୀ ଓ ସ୍ପାନିସ୍‌ ଭାଷାରେ ଅନୁବାଦିତ ହେବା ପ୍ରକ୍ରିୟା ଜାରି ରହିଛି । ଅତିଥିମାନଙ୍କ ଦ୍ୱାରା ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଡ. ଭାଗ୍ୟଲିପି ମଲ୍ଲଙ୍କ ଦ୍ୱାରା ଲିଖିତ ‘ସ୍ଥାପତ୍ୟ ଇତିହାସରେ ଶକ୍ତି ସଂହିତା’ ଓ ‘ରୂପରୂପାନ୍ତର’, ଡ. ଭାରତୀ ପାଲଙ୍କ ଦ୍ୱାରା ରଚିତ ‘ଭଞ୍ଜ ଡାଇନେଷ୍ଟି ଅଫ୍‌ ମଞ୍ଜୁଳା ବକ’ ଏବଂ ଦୁଇଟି ସଂପାଦିତ ପୁସ୍ତକ ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌’ ଏବଂ ‘ସାରଳା ମହାଭାରତର ଚାରୋଟି ପର୍ବ’ ଉନ୍ମୋଚିତ ହୋଇଥିଲା ।

ଏହି ପୁସ୍ତକମେଳା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ଆୟୋଜିତ ହୋଇଛି । ଏହି ମେଳାରେ ୫୭୨ଟି ଷ୍ଟଲ ରହିଛି । ଏଥିରେ ବିଭିନ୍ନ ରାଜ୍ୟର ପ୍ରକାଶକମାନେ ସେମାନଙ୍କ ପୁସ୍ତକ ପ୍ରଦର୍ଶନ ଏବଂ ବିକ୍ରୟ କରୁଛନ୍ତି । ଏହି ମେଳା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ।

ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କବି ଜୟନ୍ତ ମହାପାତ୍ରଙ୍କ ପାଇଁ ସମର୍ପିତ ସନ୍ଧ୍ୟାରେ ବିଭିନ୍ନ କବିତାମାନ ଆବୃତ୍ତି କରାଯାଇଥିଲା ।

Comments are closed.