ସୀତା ବିବାହ

ଅର୍ଜୁନୀ ଚରଣ ବେହେରା

ଜନକପୁରୀରେ ବାଜେ ମଙ୍ଗଳ ମହୁରୀ l
ଶ୍ରୀରାମଙ୍କୁ ବରିଛନ୍ତି ସୀତୟା ସୁନ୍ଦରୀ ll
ଶ୍ରୁତକିର୍ତ୍ତି ମାଣ୍ଡବୀ ଉର୍ମିଳା ଭଗ୍ନୀମାନେ l
ବରିଛନ୍ତି ଶତ୍ରୁଘ୍ନଙ୍କୁ ଭରତେ, ଲକ୍ଷ୍ମଣେ ll
ବାଜଇ ଢୋଲ ଟମକ ଢ଼କ୍କା ଶଙ୍ଖ ତୂରୀ l
ଆନନ୍ଦମୁଖର ସର୍ଵ ବିଦେହନଗରୀ ll
ଶ୍ରୀରାମ ଭାଙ୍ଗିଲେ ପଣ ଧନୁ ଶିବଙ୍କର l
ସଂକଳ୍ପ ପୁରିଛି ରାଜର୍ଷି ଜନକଙ୍କର ll
ଉପସ୍ଥିତ ଛନ୍ତି କୁଳଗୁରୁ ଶ୍ରୀବଶିଷ୍ଠ l
ଉପସ୍ଥିତ ଛନ୍ତି ମହାଋଷି ବିଶ୍ୱାମିତ୍ର ll
ଉପସ୍ଥିତ ଛନ୍ତି ମହାରାଜା ଦଶରଥ l
ପାତ୍ର ମିତ୍ର ବନ୍ଧୁ ମହମନ୍ତ୍ରୀ ଶ୍ରୀସୂମନ୍ତ୍ର ll
କୃତକୃତ୍ୟ ଶ୍ରୀଜନକ ରାଣୀ ସୁନୟନା l
ସତାନନ୍ଦ ଦଶରଥ ରାଜା ମହାମନା ll
ଅହୋଭାଗ୍ୟ କି ସୁନ୍ଦର ଗଢ଼ିଅଛି ବିଧି l
ରଘୁକୁଳ ବିଦେହକୁ ବିବାହରେ ଛନ୍ଦି ll
ବେଦମନ୍ତ୍ର ଉଚ୍ଚାରଣ ପଡ଼େ ହୁଳହୁଳି l
ସମୁଦୀ ହୁଅନ୍ତି ପ୍ରେମଭର କୋଳାକୋଳି ll
ସ୍ବସ୍ତିବାଚ କରି ମହାମୁନି କୋଉଶିକ l
ବୋଲନ୍ତି ସୀତାଙ୍କୁ ଆଣ ରାଜନ ଜନକ ll
ଜୟ ସୀତା ରାମ ପଡ଼ିଗଲା ହସ୍ତଗଣ୍ଠି l
ଶ୍ରୀରାମ ସୀତାଙ୍କୁ ଧୀରେ କଣେଇ ଚାହାଁନ୍ତି ll
ଗଜ ଧେନୁ ଅଶ୍ଵ ସ୍ୱର୍ଣ୍ଣ ବହୁ ଦାନ ଦେଇ l
ଜନକ କରନ୍ତି ଚାରି ପୂତ୍ରୀଙ୍କ ବିଦାୟୀ ll
ଅଶ୍ରୁପୂର୍ଣ୍ଣ ନେତ୍ରେ ମାଆ ରାଣୀ ସୁନୟନା l
କୋଶଳପତିଙ୍କୁ ସମର୍ପିଲେ ଚାରି ସୁନା ll
ଜୟ ଶ୍ରୁତକୀର୍ତ୍ତି ଜୟ ମାଣ୍ଡବୀ ଉର୍ମିଳି l
ଜୟ ଶତୃଘ୍ନ ଭରତ ଲକ୍ଷ୍ମଣ ମୈଥିଳି ll
ଜୟ ଶ୍ରୀରଘୁନାୟକ ଜୟ ମା ଭୂମିଜା l
ଅବଧ ଫେରନ୍ତି ଦଶରଥ ବାଜେ ବାଜା ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.