ବନ୍ଦେ ପ୍ରଭୁ ହନୁମାନ

ଅର୍ଜୁନୀ ଚରଣ ବେହେରା

ବନ୍ଦେ ପ୍ରଭୁ ହନୁମାନ ଅଞ୍ଜନାର ବଳା l
ମହା ବଳବନ୍ତ ପ୍ରଭୁ ସ୍ୱର୍ଣ୍ଣଲଙ୍କା ଜଳା ll
ଜୟ ସଂକଟହରଣ ଜୟ ହେ ମାରୁତି l
ପବନ ନନ୍ଦନ ତୁମ ବାୟୁବେଗ ଗତି ll
ମହା ମେଘ ରୂପ ଧରି ସାଗର ଲଙ୍ଘିଲ l
ଲଙ୍କାପୁର ଲଙ୍କିନିକୁ ଚାପୁଡ଼େ ମାରିଲ ll
ଅଶୋକକାନନେ ପଶି ବନ ଉଜାଡ଼ିଲ l
ସୀତା ଠାବକରି ସ୍ଵର୍ଣ୍ଣମୁଦ୍ରିକାକୁ ଦେଲ ll
ମୁଖେ ଦେଇ ଚୂନକାଳି ଲଙ୍କାର ଅସୁର l
ଘରଘର ବୁଲାଇଲେ ନେଇ ଲଙ୍କାପୁର ll
ଜଳେଇ ମାରିବ ପୁଣି ! ରାବଣଟା ମୂର୍ଖ l
ଘୃତତୈଳ ଶୂନହେଲା ଲଙ୍କାପୁର ଯାକ ll
ଲାଙ୍ଗୁଳେଲାଗିଲା ତବ ଯହୁଁ ବୈଶ୍ୱାନର l
ସ୍ୱର୍ଣ୍ଣଲଙ୍କା ଜାଳି କରି ଦେଲ ଛାରଖାର ll
ଭୀମଙ୍କ ଅଗ୍ରଜ ପ୍ରଭୁ ସ୍ମରିଲେ ଅଚ୍ୟୁତେ l
କପିଧ୍ଵଜ ବିଜେକଲ ନନ୍ଦିଘୋଷ ରଥେ ll
କାଳ କାଳ ପାଇଁ ପ୍ରଭୁ କଥା ରହି ଗଲା l
‘ଗନ୍ଧମାର୍ଦ୍ଦନ ଉପାଡ଼ି ହନୁ ଆଣି ଥିଲା’ ll
ନମସ୍ତେ ନମସ୍ତେ ଆହେ ମହାବଳବନ୍ତା l
ସଙ୍କଟ ମୋଚନ ପ୍ରଭୁ ସର୍ଵଶାସ୍ତ୍ର ଜ୍ଞାତା ll
ତବ ନାମ ସ୍ମରଣରେ କଟେ ସର୍ବପୀଡ଼ା l
ଜୀବନ୍ତଦେବତା ପ୍ରଭୁ ଚତୁର୍ଯୁଗେ ଛିଡ଼ା ll
ନମଃ ନମଃ ମହାକପି ନମଃ ମହାବଳ l
ଶ୍ରୀକ୍ଷେତ୍ରର ଚତୁର୍ଦ୍ୱାରେ ଅଛ ଦ୍ଵାରପାଳ ll
ତବ ପାଶେ ଅଛି, ରାମ ନାମ ରସାୟନ l
କଣ ମାତ୍ର ମାଗେ ମୁହିଁ ଆଜନ୍ମୁ ଅଜ୍ଞାନ ll
ନମସ୍ତେ ନମସ୍ତେ ଦେବ ନମସ୍ତେ ମାରୁତ l
ବିଦ୍ୟା, ବୁଦ୍ଧି, ଜ୍ଞାନ ଦିଅ ପ୍ରଭୁ ଜ୍ଞାନବନ୍ତ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା

Comments are closed.