ସୁରମ୍ୟ ସ୍ବର୍ଣ୍ଣମୟୀ ଲଙ୍କା

ଅର୍ଜୁନୀ ଚରଣ ବେହେରା

ରାମଦୂତ ମହାବୀର ହନୁମାନ ସୀତା ଠାବକରିବା ପାଇଁ ମେଘ ସଦୃଶ ଏକ ପର୍ବତ ଆକାର ରୂପ ଧରି ମହା ବେଗରେ ଶତ ଯୋଜନ ଅତିକ୍ରମ କରି ଯାଇ ସାଗରର ଅପର ପାର୍ଶ୍ୱରେ ପହଞ୍ଚି ଗଲେ l ଲଙ୍କାର ରମଣୀୟ ବନରାଜି ତାଙ୍କର ଦୃଷ୍ଟିଗୋଚର ହେଲା l ରାକ୍ଷସ ମାନଙ୍କ ସନ୍ଦେହରେ ପଡ଼ିବେ ବୋଲି ଭାବି ସେ ନିଜର ବିଶାଳ ରୂପକୁ ପରିତ୍ୟାଗ କରି ପ୍ରକୃତ ସ୍ୱରୂପକୁ ଫେରି ଆସିଲେ l କେତକୀ, ନାରୀକେଳ ଶୋଭିତ ଲମ୍ବ ନାମକ ପର୍ବତ ଉପରେ ସେ ଓହ୍ଲାଇ ଅମରାବତୀ ସଦୃଶ ସୁରମ୍ୟ ଲଙ୍କା ପୁରୀର ଶୋଭା ଦେଖି ବିସ୍ମିତ ହେଲେ l
ଉଚ୍ଚ ପାର୍ବତ୍ୟମାଳଭୂମି ଉପରେ ସ୍ଥାପିତ ଲଙ୍କା ବହୁ ରମଣୀୟ ବନ ଉପବନରେ ପୂର୍ଣ୍ଣ ଥିଲା l କରବୀର କଦମ୍ୱ, ଖର୍ଜୁର, କର୍ଣ୍ଣିିକାର, କୁଟଜ, କେତକୀ ଆଦି ପୁଷ୍ପିତ ବୃକ୍ଷମାନେ ପକ୍ଷୀମାନଙ୍କଦ୍ଵାରା ମଣ୍ଡିତହୋଇ ମୃଦୁ ମଳୟ ପବନରେ ଚାଳିତ ହେଉଥିଲେ l ହଂସ କାରଣ୍ଡବ, ପଦ୍ମ ଓ ଉତ୍ପଳ ଶୋଭିତ ବହୁ ରମଣୀୟ ସରୋବର ଉଦ୍ୟାନ ଓ କ୍ରୀଡ଼ାଭୂମି ଲଙ୍କାର ଶୋଭା ବର୍ଦ୍ଧନ କରୁଥିଲା l ଲଙ୍କାର ଚାରିପଟରେ ବହୁ ଜଳ ପୁର୍ଣ୍ଣ ପରିଖା, ଉତ୍ତୁଙ୍ଗପ୍ରାଚୀର ଭୟଙ୍କର ଧନୁର୍ଦ୍ଧାରୀ ରାକ୍ଷସ ମାନଙ୍କ ଦ୍ଵାରା ସୁରକ୍ଷିତ ହୋଇ ରହିଥିଲା l ଶତ ଶତ ସୌଧ ଏବଂ ଅଟ୍ଟାଳିକା ଶୁଭ୍ର ମେଘବର୍ଣ୍ଣ ଧାରଣ କରି, ଆକାଶକୁ ଚୁମ୍ବନ କରୁଥିଲା l ବୃକ୍ଷରୁ ପୁଷ୍ପ ମାନ ପଡ଼ି, ଲଙ୍କାର ଶୁଭ୍ର ବର୍ଣ୍ଣର ଉଚ୍ଚା ସଡ଼କ ସବୁ ପୁଷ୍ପମୟ ଦିଶୁଥିଲା l ନଗରୀର ଚତୁର୍ଦ୍ଦିଗରେ କାଞ୍ଚନମୟ ତୋରଣ ସବୁ ଶୋଭା ପାଉଥିଲା l
ହନୁମାନ ଯାଇ ଉତ୍ତରଦ୍ୱାରରେ ପହଞ୍ଚି ଚିନ୍ତାକଲେ ସମୁଦ୍ର ପରିବେଷ୍ଠିତ ଲଙ୍କାପୁରୀକୁ ଦେବତା ମାନେ ମଧ୍ୟ ଜୟ କରିପାରିବେ ନାହିଁ l ଶ୍ରୀରାମ ବା କଅଣ କରିବେ l ସେ ନିଜ ଦାୟିତ୍ୱ,ସୀତାଠାବ କଥା ମନେ ପକାଇ ଏକ କ୍ଷୁଦ୍ର ବିରାଡ଼ି ରୂପ ଧରି ଲଙ୍କାପୁରୀରେ ପ୍ରବେଶକରି ପ୍ରସାଦ ମାନଙ୍କ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ l ସେ ଦେଖିଲେ ସାତ ତାଲା ଆଠ ତାଲା କୋଠା ମାନଙ୍କରେ ସୁନାର ଖମ୍ଭ, ହୀରା ନୀଳାରେ ପାହାଚ ଓ ମୁକ୍ତା ଜାଲ ଦିଆ ଯାଇଥିବା ବାତାୟନ ସବୁ ଶୋଭାପାଉଛି l ସମୁଦ୍ରର ମୃଦୁ ହିଲ୍ଲୋଳ ଭାସି ଆସୁଛି l ମୟୂର ରାଜହଂସମାନଙ୍କ କଳଧ୍ଵନୀ ଶୁଣା ଯାଉଛି l କୋଠା ମାନଙ୍କରେ ସୁନ୍ଦର ପତାକାମାନ ସମୁଦ୍ରର ହିଲ୍ଲୋଳରେ ଫର ଫର ଉଡୁଛି l ବିଦ୍ୟୁତ୍ ପ୍ରଦୀପ ମାନଙ୍କ ଦ୍ଵାରା ସମସ୍ତ ରାବଣନଗରୀ ଲଙ୍କା ଆଲୋକିତ ହୋଇଛି l
ଏହା ପରେ ହନୁମାନ ଲଙ୍କାର ରକ୍ଷାକର୍ତ୍ତ୍ରୀ ଲଙ୍କିନୀ ଦେବୀଙ୍କୁ ପରାସ୍ତକରି ପ୍ରାଚୀର ଡେଇଁ ଲଙ୍କାନଗରୀ ମଧ୍ୟରେ ପ୍ରବେଶ କଲେ ଓ ଜ୍ୟୋତ୍ସ୍ନାସ୍ନାତ ରାତ୍ରୀରେ ଝରାପୁଞ୍ଜ ଶୋଭିତ ରାଜପଥ ଉପରେ ଚାଲି ଚାଲି ରମଣୀୟ ଲଙ୍କା ନଗରୀକୁ ଦେଖିବାକୁ ଲାଗିଲେ l ତୂରୀ, ଅନ୍ୟ ବାଦ୍ୟ ନାଦରେ ନଗର ଉତ୍ସବମୁଖର ଜଣା ଯାଉଥିଲା l ପଦ୍ମ ଏବଂ ସ୍ଵସ୍ତିକଚିହ୍ନ ଶୋଭିତ ଉଚ୍ଚ ସୌଧମାଳା ବିଚିତ୍ର ମାଲ୍ୟ ଓ ଅଳଙ୍କାର ଦ୍ଵାରା ଶୋଭିତଥିଲା l ସଙ୍ଗୀତର ମୂର୍ଚ୍ଛନା ଓ ନାରୀମାନଙ୍କ ନୁପୁରର ନିକ୍ୱଣ ସହ କେଉଁଠି କେଉଁଠି ବେଦଧ୍ଵନୀ ମନ୍ତ୍ର ଜପ ଶୁଣା ଯାଉଥିଲା l ସ୍ଥାନେ ସ୍ଥାନେ ଯୋଦ୍ଧା ମାନଙ୍କ ବାହୁସ୍ଫୋଟ ଓ ସିଂହନାଦ ଶୁଣା ଯାଉଥିଲା l ଭାଟ ମାନେ ରାବଣର ପ୍ରଶସ୍ତି ଗାୟନ କରୁଥିଲେ l ଧନୁ,ଖଡ୍ଗ, ଶତଘ୍ନି ଆଦି ଅସ୍ତ୍ରଶସ୍ତ୍ର ଧରି ବହୁ ରାକ୍ଷସ ଲଙ୍କା ନଗରୀକୁ ରକ୍ଷା କରୁଥଲେ l ସେ ପ୍ରାସାଦରେ ଅନେକ ଅନିନ୍ଦ୍ୟ ସୁନ୍ଦରୀ ନାରୀ ମାନଙ୍କୁ ଦେଖିବାକୁ ପାଇଲେ l ସୁନ୍ଦରୀ ଲଳନା ଗଣ ସେମାନଙ୍କ ସ୍ବାମୀ ମାନଙ୍କ ସହ କ୍ରୀଡ଼ାରତ ଥିଲେ l
ହନୁମାନ କ୍ଷୀପ୍ର ଗତିରେ ବିଭିନ୍ନ ଗୃହ ପ୍ରସାଦ ମଧ୍ୟ ଦେଇ ସୀତାଙ୍କୁ ଖୋଜି ବୁଲୁଥାନ୍ତି, ଏହି ସମୟରେ ସେ ଏକ ସୁବର୍ଣ୍ଣ ପାଚେରୀ ଘେରା ପ୍ରସାଦ ମଧ୍ୟରେ ପ୍ରବେଶକଲେ l ଅଶ୍ୱାରୋହୀ ଓ ଗଜାରୋହୀ ବୀର ମାନେ ଏହାକୁ ପହରାଦେଉଥାନ୍ତି l ଏହାର ତୋରଣ ସବୁ ରୌପ୍ୟ ନିର୍ମିତ ଓ ସୁବର୍ଣ୍ଣ ଖଚିତ ଥିଲା l ଲଙ୍କା ନଗରୀର ଅଳଙ୍କାରସ୍ୱରୂପ ସେହି ପ୍ରସାଦ ରାବଣର ପ୍ରସାଦ ଥିଲା l ହନୁମାନ ସେହି ପ୍ରସାଦମଧ୍ୟରେ ବହୁ ପ୍ରମୋଦ ଏବଂ ବିହାର ଗୃହମାନ ଦେଖିଲେ l ସେହି ଗୃହ ମାନଙ୍କ ଅପୁର୍ବ ସାଜସଜ୍ଜା ତାଙ୍କୁ ଖୁବ୍ ଚମତ୍କୃତ କଲା l ସେଠାରେ ସେ ସ୍ୱର୍ଣ୍ଣ, ରୌପ୍ୟ, ବୈଦୂର୍ଯ୍ୟ ଓ ପ୍ରବାଳ ନିର୍ମିତ ରାବଣର ପୁଷ୍ପକ ବିମାନ ଦର୍ଶନକରି ବିସ୍ମିତ ହେଲେ l ସେହିଠାରେ ହନୁମାନ ନିଶାର୍ଦ୍ଧରେ ରାବଣକୁ ସୁପ୍ତାବସ୍ଥାରେ ଦେଖିଲେ l ସେ ହସ୍ତୀଦନ୍ତ ଓ ସୁବର୍ଣ୍ଣ ପାଦଯୁକ୍ତ ବୈଦୂର୍ଯ୍ୟ ନିର୍ମିତ ଏକ ପଲ୍ୟଙ୍କ ଉପରେ ବରାଙ୍ଗନାଙ୍କ ସହ ଶୋଇଥିଲା l ହନୁମାନ ସେମାନଙ୍କ ମଧ୍ୟରେ ଏକ ହେମାଙ୍ଗୀ ସୁନ୍ଦରୀ ନାରୀ ଶୋଇ ଥିବାର ଦେଖି, ସୀତାଙ୍କୁ ପାଇଗଲେ ବୋଲି ଭାବି ଆନନ୍ଦିତହେଲେ l କିନ୍ତୁ ପର ମୁହୂର୍ତ୍ତରେ ଏହା ତାଙ୍କର ଭ୍ରମ ବୋଲି ଜାଣି ଦୁଃଖିତ ହେଲେ l ସେହି ନାରୀ ଥିଲେ ରାବଣ ପଟ୍ଟମହିଷି ମନ୍ଦୋଦରୀ l
ଏହା ହିଁ ବାଲ୍ମୀକି ରାମାୟଣ ମନୋହର ବର୍ଣ୍ଣନାରେ ରାବଣପୁରୀ ସ୍ଵର୍ଣ୍ଣମୟୀ ଲଙ୍କା l ହନୁମାନଙ୍କ ଲଙ୍କା ଦର୍ଶନକୁ ବାଲ୍ମୀକି ବର୍ଣ୍ଣନା କରିଛନ୍ତି :-
ଶଙ୍ଖପ୍ରଭଂ କ୍ଷୀର ମୃଣାଳବର୍ଣ୍ଣ
ମୁଦ୍ରଚ୍ଚମାନ ବ୍ୟଭଭାସ ମାନଂ l
ଦଦର୍ଶ ଚନ୍ଦ୍ରଂ ସ କପିପ୍ରବୀରଃ
ପୋପ୍ଲୁୟମାନଂ ସରସୀଜ ହଂସମ୍ ll
ଲଙ୍କା ନଗରୀ ନିର୍ମାଣ ବିଷୟରେ ଦୁଇଟି କାହାଣୀ ଦେଖା ଯାଏ l ପ୍ରଥମ କାହାଣୀ ଅନୁସାରେ ଥରେ ମାଆ ପାର୍ବତୀ ଭଗବାନ ଶଙ୍କରଙ୍କୁ କହିଲେ, ଆଉ ଏ କୈଳାସ ପୁରୀ ଭଲ ଲାଗୁନାହିଁ l ଆମ ନିବାସ ପାଇଁ ତୁମେ ଅନ୍ୟ ଏକ ନଗର ନିର୍ମାଣ କର l ଶିବ ବିଶ୍ଵକର୍ମାଙ୍କୁ ଡକାଇ ଲଙ୍କା ନଗରୀ ନିର୍ମାଣ କଲେ l ନଗରୀର ପ୍ରତିଷ୍ଠା ପାଇଁ ସେ ବ୍ରହ୍ମଜ୍ଞାନୀ ରାବଣକୁ ପୁରୋହିତ ବରଣ କଲେ l ପରେ ରାବଣ ଦକ୍ଷିଣା ସ୍ୱରୂପେ ଶିବଙ୍କ ଠାରୁ ଲଙ୍କାକୁ ମାଗି ନେଲା l
ଅନ୍ୟ ଏକ କାହାଣୀରୁ ଜଣା ପଡ଼େ, ଲଙ୍କା ପ୍ରଥମେ ଧନପତି କୁବେରଙ୍କ ନଗରୀ ଥିଲା l ତାଙ୍କୁ ଯୁଦ୍ଧରେ ପରାଜିତ କରି ରାବଣ ତାଙ୍କଠାରୁ ଲଙ୍କାନଗରୀ ଓ ପୁଷ୍ପକ ବିମାନ ଛଡ଼ାଇ ଆଣିଥିଲା l କୁବେର ଥିଲେ ବିଶ୍ରବାନନ୍ଦନ ରାବଣର ବୈମାତୁର ଭ୍ରାତା l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.