ବାଣୀ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମାତ ବୀଣାପାଣି l
ବୀଣା ଝଂକାରେ ବେଦ ଭଣି ll
ନମସ୍ତେ ମାତ ନାରାୟଣୀ l
ତୁ କାବ୍ୟକଳା ଠାକୁରାଣି ll
ନମସ୍ତେ ଗାୟତ୍ରୀ ସାବିତ୍ରୀ l
ଗାୟତ୍ରୀ ଛନ୍ଦେ ତୋର ସ୍ତୁତି ll
ନମସ୍ତେ ନମଃ ଆଦିମାତେ l
କବି ଜନନୀ ନମସ୍ତୁତେ ll
ନମସ୍ତେ ମାତ ତୁ ଶାରଦା l
ବର ପ୍ରଦାନୀ ତୁ ବରଦା ll
ନମସ୍ତେ ମାତ ସରସ୍ବତୀ l
ତୁ ଖିଳରାଣୀ ବିଦ୍ୟାଦାତ୍ରୀ ll
ନମସ୍ତେ ମାତ ସ୍ରୋତସ୍ୱତୀ l
ତୁ ମାତ ବିଦ୍ୟା ଅଧିଷ୍ଠାତ୍ରୀ ll
ନମସ୍ତେ ମାତ ଶୁକ୍ଳାମ୍ବରୀ l
ବୀଣା ପୁସ୍ତକ ହସ୍ତେ ତୋରି ll
ନମସ୍ତେ ମାତ ଶୁଭ୍ରବର୍ଣ୍ଣି l
ତୁ ଶୁଭ ବୁଦ୍ଧି ପ୍ରଦାୟୀନୀ ll
ନମସ୍ତେ ମାତ ପଦ୍ମାସନୀ l
ତୁ ଶୁଭ୍ର ମରାଳ ବାହନୀ ll
ନମସ୍ତେ ମାତ ବାକ୍ୟଦେବୀ l
ପୂଜା କରନ୍ତି ତୋତେ କବି ll
ବାଗ୍ଦେବୀ ପ୍ରସାଦେ ତୋହର l
ମୂକ ବୋଲାଏ ବାଗ୍ମୀବର ll
ତୋହର ପ୍ରସାଦରୁ ମାତ l
ମୁରୁଖ ବୋଲାଏ ପଣ୍ଡିତ ll
ତୁ ମାତ ବାଣୀ ବେଦମାତା l
ତ୍ରିପୁରେ ବନ୍ଦିତା ପୂଜିତା ll
ବ୍ରହ୍ମ ଲୋକରେ ବାସ ତୋର l
ବ୍ରହ୍ମ ବାଦିନୀ ନମସ୍କାର ll
ତୁ ମାତ ଉତ୍କଳେ ଶାରଳା l
ଝଙ୍କଡ଼େ ବସି କରୁ ଖେଳା ll
ନମସ୍ତେ ମାତ ମହାମାୟୀ l
କବି ଜନନୀ କାବ୍ୟମୟୀ ll
ତୋ ପୂଜା ବସନ୍ତ ପଞ୍ଚମୀ l
ବନ୍ଦନା କରେ ପଦେ ନମି ll
କରୁଣାମୟୀ ବିଶ୍ୱ ଧାତ୍ରୀ l
ଅସଂଖ୍ୟ ନାମେ ତୋର ସ୍ତୁତି ll
ବନ୍ଦନା କରିଲି କିଞ୍ଚିତେ l
ବଞ୍ଚିତ ନକରିବୁ ମୋତେ ll
ବାଣୀ ତୋ କରୁଣାରୁ କଣେ l
ନମେ ତୋ ଅଭୟ ଚରଣେ ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.