କାନୀନ ପୁତ୍ର ରାଧେୟ

ଅର୍ଜୁନୀ ଚରଣ ବେହେରା

ଭଗବାନ୍ ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କ ପିତା ଥିଲେ ଯଦୁଶ୍ରେଷ୍ଠ ସୁରସେନ l ସୁରସେନଙ୍କ ପୃଥା ନାମରେ ଏକ କନ୍ୟା ଥିଲା l ସୁରସେନଙ୍କ ପିଉସୀ ପୁଅ ଭାଇ ଥିଲେ, ନାଗରାଜ, କୁନ୍ତୀଭୋଜ l ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ସେ ପୃଥାଙ୍କୁ ନିଜ ପାଳିତା କନ୍ୟା ଭାବେ ଗ୍ରହଣ କଲେ l ପୃଥା, କୁନ୍ତୀଭୋଜଙ୍କ ଦ୍ୱାରା ଲଳିତା ପାଳିତା ହୋଇ ତାଙ୍କର ନାମ ହେଲା କୁନ୍ତୀ l କୁନ୍ତୀ ଯୁବାବସ୍ଥାରେ ପହଞ୍ଚିଲାରୁ କୁନ୍ତୀଭୋଜ ବିବାହ ନିମନ୍ତେ ଏକ ସ୍ଵୟଂବର ସଭାର ଆୟୋଜନ କଲେ l ସ୍ଵୟଂବରକୁ ଭାରତ ବର୍ଷର ବହୁ ଯୁବରାଜ ଆମନ୍ତ୍ରିତ ହୋଇ ଆସିଲେ l ହସ୍ତୀନା ନରେଶ ପାଣ୍ଡୁ ମଧ୍ୟ ଏହି ସ୍ଵୟଂବରକୁ ନିମନ୍ତ୍ରିତହୋଇ ଆସିଥିଲେ l ସ୍ଵୟମ୍ବରରେ କୁନ୍ତୀ ପାଣ୍ଡୁଙ୍କୁ ବରଣ କରି ହସ୍ତୀନାର ମହାରାଣୀ ହୋଇ ଆସିଲେ ଓ କାଳକ୍ରମେ ପାଣ୍ଡଵ ଜନନୀ ଭାବେ ଖ୍ୟାତ ହେଲେ l
କୁନ୍ତୀଙ୍କ କୁମାରୀ ବେଳର କଥା l ଦିନେ ପିତା କୁନ୍ତୀ ଭୋଜ ଓ କୁନ୍ତୀ ପଶା ଖେଳୁଥାନ୍ତି l ଏହି ସମୟରେ ମହର୍ଷି ଦୁର୍ବାସା ଆସି ଭୋଜରାଜଙ୍କ ଅତିଥିହେଲେ l ପିତାଙ୍କ ନିର୍ଦ୍ଦେଶରେ କୁନ୍ତୀ ଋଷିଙ୍କ ସେବାରେ ଲାଗି ପଡ଼ିଲେ l ରାଜକୁମାରୀ କୁନ୍ତୀଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦିନେ ଦୁର୍ବାସା କହିଲେ,’ମାଆ କୁନ୍ତୀ ! ତୁମ ସେବାରେ ମୁଁ ଅତ୍ୟନ୍ତ ପ୍ରୀତ ହୋଇଛି l ଯାହା ବର ମାଗୁଛୁ ମାଗିନିଅ’l କୁନ୍ତୀ କହିଲେ,ହେ ମହାଭାଗ ! ଆପଣ ମୋତେ ସେହି ବର ଦିଅନ୍ତୁ, ମୋର ଯଦ୍ଵାରା ଭବିଷ୍ୟତ ପାଇଁ ମଙ୍ଗଳ ହେବ l ଦୁର୍ବାସା କହିଲେ, ନିଶ୍ଚୟ ! ତାହାହିଁ ହେବ l ଏପରିକହି ୠଷି ଦୁର୍ବାସା ତାଙ୍କୁ ଏକ ଦିବ୍ୟ ମାଳା ପ୍ରଦାନକରି କହିଲେ, ନିଅ ମାଆ, ତୁମେ ଏହି ମାଳାଟି ରଖ l ଏହି ମାଳା ଜପ କରି ତୁମର ମଙ୍ଗଳ ପାଇଁ ଯେ କୌଣସି ଦେବତାଙ୍କୁ ତୁମେ ଆହ୍ବାନ କରିପାରିବ l ଦିବ୍ୟମାଳା ଏବଂ ମନ୍ତ୍ର ପ୍ରଦାନକରି ମହର୍ଷି ଦୁର୍ବାସା ଭୋଜରାଜ୍ୟରୁ ବିଦାୟ ଘେନି ପ୍ରସ୍ଥାନ କଲେ l
କିଛିଦିନ ପରେ କୁନ୍ତୀ କୌତୁହଳବଶତଃ ମହର୍ଷିଙ୍କ ମନ୍ତ୍ରର ସତ୍ୟତା ପରୀକ୍ଷା କରିବା ପାଇଁ ସେହି ମାଳା ଓ ମନ୍ତ୍ର ଜପକରି ଭୁବନ ଭାସ୍କର ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କଲେ l ଋଷିଙ୍କ ମନ୍ତ୍ର ତ ଅନ୍ୟଥା ଯିବନାହିଁ l ସଙ୍ଗେ ସଙ୍ଗେ ସୂର୍ଯ୍ୟଦେବ, ଦିବ୍ୟ ଅଳଙ୍କାର ଭୂଷିତ ହୋଇ, ଏକ ସୁନ୍ଦର ଯୁବକ ରୂପରେ ରାଜ କୁମାରୀ କୁନ୍ତୀଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ କହିଲେ, ହେ ରାଜକୁମାରୀ ! ତୁମେ କାହିଁକି ମୋତେ ସ୍ମରଣକଲ ! କୁନ୍ତୀ ହଡ଼ବଡ଼େଇ ଯାଇ କହିଲେ,ହେ ସୁର୍ଯ୍ୟଦେବ ! ମୁଁ କେବଳ ୠଷି ଦୁର୍ବାସାଙ୍କ ପ୍ରଦତ୍ତ ମନ୍ତ୍ରର ସତ୍ୟତା ପରୀକ୍ଷା କରିବା ପାଇଁ ଆପଣଙ୍କୁ ସ୍ମରଣ କରିଥିଲି l ମୋର ଚପଳତା ପାଇଁ ମୋତେ କ୍ଷମା କରି ଆପଣ ଫେରିଯାଆନ୍ତୁ l ସୂର୍ଯ୍ୟ କହିଲେ,ତାହା ହେବନାହିଁ l ମନ୍ତ୍ରଶକ୍ତି ମୋତେ ଏଠାରେ ଧରିରଖିଛି l ମୁଁ ତୁମକୁ କିଛି ନଦେଇ ଫେରି ପାରିବି ନାହିଁ l ଏଣୁ ମୁଁ ତୁମକୁ ମୋ କବଚ କୁଣ୍ଡଳ ଦେଇ ଏକ ପୁତ୍ରସନ୍ତାନ ପ୍ରଦାନ କରୁଛି l ସେହି ପୁତ୍ର ତୁମର ଶୌର୍ଯ୍ୟ,ବୀର୍ଯ୍ୟ, ଦାନ, ଧର୍ମ, ଧନୁର୍ବିଦ୍ୟାରେ ସମସ୍ତ ଭାରତ ବର୍ଷରେ ପ୍ରସିଦ୍ଧି ଲାଭକରି କର୍ଣ୍ଣ ବୋଲାଇବ l ତା ସମକକ୍ଷ ଯୋଦ୍ଧା କେହିହେଲେ ରହିବେନାହିଁ l ଆଉ ତୁମ କୁମାରୀତ୍ଵ ମଧ୍ୟ ଅକ୍ଷୁର୍ଣ୍ଣ ରହିବ l
କିଛିଦିନ ପରେ କୁମାରୀ କୁନ୍ତୀଙ୍କ କାନବାଟ ଦେଇ କବଚକୁଣ୍ଡଳ ଧାରୀ ଗୋଟିଏ ଦିବ୍ୟ କାନ୍ତିଯୁକ୍ତ ପୁତ୍ର ଜନ୍ମ ହେଲା l ପୁତ୍ରଟିକୁ ଦେଖି କୁନ୍ତୀ ବହୁ ଆନନ୍ଦିତ ହେଲେ କିନ୍ତୁ ଲୋକାପବାଦ ଭୟରେ ଚିନ୍ତିତହୋଇ ପଡ଼ିଲେ l ସେ ଅନନ୍ୟୋପାୟ ହୋଇ ଅପବାଦରୁ ରକ୍ଷା ପାଇବା ପାଇଁ ସେହି ପୁତ୍ରଟିକୁ ଏକ ପେଟିକା ମଧ୍ୟରେ ରଖି, ଯମୁନାସ୍ରୋତରେ ଭସାଇ ଦେଲେ l କାନ୍ଦିକାନ୍ଦି ବିଦାୟ ଦେଇ ସେ ମନେ ମନେ ପୂତ୍ରକୁ କ୍ଷମା ମାଗି ନେଲେ l
ପେଟିକାଟି ଯମୁନା ଜଳରେ ଭାସିଭାସି ଚାଲିଥାଏ l କିଛି ଦୂରରେ ଯମୁନାରେ ସ୍ନାନ କରୁଥଲେ, ସାରଥି କୂଳରେ (ସୂତକୂଳ) ଜନ୍ମିତ ଅଧିରଥ l କୌତୁହଳୀ ହୋଇ ସେ ପେଟିକାଟିକୁ ଉଠାଇ ନେଇ ଦେଖିଲେ ପେଡ଼ି ଭିତରେ ଶୋଇଚ୍ଛି ଏକ ଦିବ୍ୟ ଶିଶୁ l ଆନନ୍ଦ ଅଧୀର ଅଧିରଥ ଶିଶୁଟିକୁ ଘରକୁ ଘେନି ଆସିଲେ l ପତ୍ନୀ ରାଧା ପିଲାଟିକୁ ଦେଖି ଖୁସିହୋଇ କହିଲେ, ଏତେ ଦିନେ ଭଗଵାନ ଆମର ଡାକ ଶୁଣିଲେ l
ନିଃସନ୍ତାନ ଦମ୍ପତ୍ତି ଅଧିରଥ ଓ ରାଧା ସେହି ଶିଶୁକୁ ଲାଳନ ପାଳନ କରି ଓ ଶିକ୍ଷା ଦେଇ ବଡ଼ କଲେ l ସେ କର୍ଣ୍ଣଦେଇ ଜନ୍ମ ହୋଇ ଥିବାରୁ ପରେ କାନୀନ ପୁତ୍ର କର୍ଣ୍ଣ ନାମରେ ପରିଚିତହେଲେ l ପାଳକପିତା ଅଧିରଥ ତାଙ୍କ ନାମ ରଖି ଥିଲେ, ବସୁଷେଣ l ସୂତ କୂଳସମ୍ଭୂତ ପିତାଙ୍କ ଯୋଗୁଁ ତାଙ୍କର ଅନ୍ୟ ପରିଚିତି ଥିଲା, ସୂତପୁତ୍ର l ମାତା ରାଧାଙ୍କ ଦ୍ଵାରା ପ୍ରତିପାଳିତ ହୋଇ ତାଙ୍କ ନାମ ହୋଇଥିଲା ରାଧେୟ l
ଏହି ଥିଲେ ମହାଭାରତର ମହାବୀର କର୍ଣ୍ଣ l ମାତା କୁନ୍ତୀଙ୍କ ମାତୃତ୍ଵକୁ ସେ ପ୍ରତ୍ୟାଖ୍ୟାନ କରି, ସର୍ବଦା ନିଜକୁ ରାଧାପୁତ୍ର ରାଧେୟ କହୁଥିଲେ l
!!! ଜୟ ମହାବୀର କର୍ଣ୍ଣ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.