ଓସ୍‌ମି ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୨ ଉଦ୍‌ଘାଟିତ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଆନୁଷଂଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ନାଲ୍‌କୋ ଓ ବେଦାନ୍ତ ସହଯୋଗରେ ରାଜ୍ୟ ସରକାର ଯଥାକ୍ରମେ ଅନୁଗୁଳ ଓ ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ସ୍ଥାପନ କରୁଛନ୍ତି ଯାହା କାମ ଜାରି ରହିଛି । ଏହା ବ୍ୟତୀତ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ଟି ଶିଳ୍ପ ପାର୍କ ସ୍ଥାପନ କରିବାର ଦାୟିତ୍ୱ ଇଡ୍‌କୋକୁ ଦିଆଯାଇଛି ଓ ସେଥିପାଇଁ ଇଡ୍‌କୋକୁ ଆସନ୍ତା ତିନି ବର୍ଷରେ ୬୦୦ କୋଟି ଟଙ୍କା ଆବଂଟନ କରାଯିବ । ଜିଲ୍ଲା ସ୍ତରରେ ଶିଳ୍ପର ବିକାଶ ପାଇଁ ଜିଲ୍ଲା ଶିଳ୍ପ ବିକାଶ ଏଜେନ୍ସି (ଦୀପା) କାମ କରୁଛି ଯାହାର ଅଧ୍ୟକ୍ଷତା କରୁଛନ୍ତି ଜିଲ୍ଲାପାଳ । ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଲାଗି ସରକାର ପ୍ରତିବଦ୍ଧ ରହିଛନ୍ତି ଓ ସେଥିପାଇଁ ସବୁ ପ୍ରକାର ସହଯୋଗ ପ୍ରଦାନ କରୁଥିବା ସେ କହିଛନ୍ତି । ଓଡ଼ିଶା ଆସେମ୍ବଲି ଫର ସ୍ମଲ ଆଣ୍ଡ୍ ମିଡିୟମ୍ ଏଟଂରପ୍ରାଇଜେସ୍ ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରର ଜନତା ମୈଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୨ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶିଳ୍ପ ପାର୍କ ପ୍ରତିଷ୍ଠା ବ୍ୟତୀତ ରାଉରକେଲା ଓ ମାଲକାନଗିରିକୁ ଯୋଡ଼ୁଥିବା ବିଜୁ ଏକ୍ସପ୍ରେସ୍ ୱେ ପାଶ୍ୱର୍ବର୍ତୀ ଅଂଚଳରେ ଇଡ୍‌କୋ ପକ୍ଷରୁ ୧୧ଟି ଶିଳ୍ପ କରିଡର ମଧ୍ୟ ସ୍ଥାପନ କରାଯାଉଛି । ଅନୁନ୍ନତ ଅଂଚଳରେ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ପ୍ରୋତ୍ସାହନ ଯୋଜନା ଘୋଷଣା କରିବା ଉପରେ ବିଚାର କରୁଛନ୍ତି ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଂଜନା ଚୋପ୍ରା କହିଛନ୍ତି ଯେ ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ସମ୍ପର୍କିତ ସମସ୍ୟାକୁ ଶୁଣିବା ଲାଗି ରାଜ୍ୟର ସବୁ ବିଦ୍ୟୁତ ବିତରଣକାରୀ କଂପାନି (ଡିସ୍‌କମ୍‌)ଗୁଡ଼ିକୁ ସ୍ୱତନ୍ତ୍ର ଏମ୍‌ଏସ୍‌ଏମ୍‌ଇ ସେଲ୍ ସ୍ଥାପନ କରିବାକୁ କୁହାଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକର ଏହି ସମସ୍ୟା ସମ୍ପର୍କରେ ଆମେ ଯାଜପୁରର କଳିଙ୍ଗନଗରରେ ଠାରେ ଆୟୋଜନ କରାଯାଇଥିବା ଇଣ୍ଡଷ୍ଟ୍ରି କେୟାର ବୈଠକ ବେଳେ ଜାଣିବାକୁ ପାଇଥିଲୁ । ଏହିଭଳି ଅନେକ ପ୍ରକାର ପଦକ୍ଷେପ ଜରିଆରେ ସରକାର ସବୁ ଜିଲ୍ଲାର ପ୍ରମୁଖ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସହ ସମ୍ପର୍କରେ ରହିଛନ୍ତି ବୋଲି ସେ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ ପ୍ରାୟ ୯୫% ସଂସ୍ଥା ଅଣୁ ସ୍ତରରେ ରହିଛନ୍ତି ଯେଉଁମାନଙ୍କ ନିଯୁକ୍ତି ସୃଷ୍ଟି ପ୍ରତି ଯୋଗଦାନ ଆଦୌଁ ଉତ୍ସାହଜନକ ନୁହେଁ । ସେମାନେ କିଭଳି ଅତିିକମ୍‌ରେ କ୍ଷୁଦ୍ର ସଂସ୍ଥାରେ ରୂପାନ୍ତରିତ ହେବେ ତାହା ସରକାର ଚାହୁଁଛନ୍ତି ଓ ସେଥିପାଇଁ ଦରକାର ସବୁ ପ୍ରକାର ସୁବିଧା ସୁଯୋଗ ଯଥା ପାଣ୍ଠି, ମାର୍କେଟିଂ ସୁବିଧା ଆଦି ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି । ଓସ୍‌ମିର ମହାସଚିବ ଶ୍ରୀଯୁକ୍ତ ସାତ୍ୱିକ ସ୍ୱାଇଁ କହିଛନ୍ତି ଯେ କଟକର ଚୌଦ୍ୱାରରେ ୩୦ କୋଟି ଟଙ୍କା ନିବେଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଆମେ ପୂର୍ବ ଭାରତର ସର୍ବବୃହତ ଇଞ୍ଜିନିୟରିଂ କମନ ଫାସିଲିଟି ସେଂଟର ସ୍ଥାପନ କରିବାକୁ ଯାଉଛୁ ଯେଉଁଥିପାଇଁ ସରକାର ଆମକୁ ୬ ଏକର ଜମି ଦେଇଛନ୍ତି । ଏହା ବ୍ୟତୀତ ଇରାନ ସହ ଦ୍ୱିପାକ୍ଷିକ କାରବାର ବଢ଼ାଇବା ଲାଗି ଓସ୍‌ମି କାର୍ଯ୍ୟାଳୟରେ କିଛି ମାସ ପୂର୍ବରୁ ଇଣ୍ଡୋ-ଇରାନ ଟ୍ରେଡ୍ ସେଂଟର୍ ମଧ୍ୟ ଖୋଲାଯାଇଥିବା ସେ କହିଛନ୍ତି । ଏହି ଅବସରରେ ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର, ପି କେ ଗୁପ୍ତା, ଜଏଂଟ ଡାଇରେକ୍ଟର ଏବଂ ଏଚ୍‌ଓଓ, ଏମ୍‌ଏସ୍‌ଏମ୍‌ଇ-ଡିଏଫଓ, ଭାରତ ସରକାର, କଟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ବିଜେତାମାନଙ୍କୁ ଓସ୍‌ମି ପୁରସ୍କାର ପ୍ରଦାନ କରିଥିଲେ ଏବଂ ଓସ୍‌ମି ସ୍ମରଣିକା ୨୦୨୨କୁ ଉନ୍ମୋଚନ କରିଥିଲେ । ଜାତୀୟ ସ୍ତରର ପ୍ରଦର୍ଶନୀ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଯାହା ଆଜିଠାରୁ ଆରମ୍ଭ ହୋଇଛି ତାହା ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ଜନତା ମୈଦାନରେ ଚାଲିବ । ଏଥିରେ ସାରା ଭାରତର ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ୪୦ରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଏକ ବହୁଦେଶୀୟ କଂପାନି ମଧ୍ୟ ଏଥିରେ ଯୋଡ଼ି ହୋଇଛି । ଓଡ଼ିଶାରୁ ୧୦୦ରୁ ଅଧିକ ଏସ୍‌ଏମ୍‌ଇ ମଧ୍ୟ ଏହି ପ୍ରଦର୍ଶନରେ ଯୋଗ ଦେଇଛନ୍ତି । ଓଡ଼ିଶାରେ ଆୟୋଜନ କରାଯାଇଥିବା ଏହି ପ୍ରଥମ ଧରଣର ପ୍ରଦର୍ଶନୀ ହେଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ନିଜର ଉତ୍ପାଦ ଓ ସେବାକୁ ପ୍ରଦର୍ଶିତ କରିବା ଏବଂ ପରସ୍ପର ସହ ଯୋଡ଼ି ହୋଇ ଚିନ୍ତାଧାରାର ଆଦାନପ୍ରଦାନ କରିବା ଲାଗି ଏହା ଏକ ଉପଯୁକ୍ତ ମଂଚ ସଦୃଶ । ରାଜ୍ୟର ଏମ୍‌ଏସ୍‌ଏମଇଗୁଡ଼ିକୁ ଏହା ନୂଆ ବ୍ୟବସାୟ ଓ ନେଟୱର୍କିଂ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଓ ପ୍ରଦର୍ଶନକାରୀମାନଙ୍କ ପାଇଁ ନୂଆ ବଜାର ଓ ବ୍ୟବସାୟ ସୃଷ୍ଟି କରିବାକୁ ଚାହୁଁଛି ।

 

 

 

Comments are closed.