ନୂଆ ନିୟମ ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ସ୍ଥାୟୀ । ନିଯୁକ୍ତି ପାଇଥିବା ତାରିଖରୁ କରାଯିବ ହିସାବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜିଠାରୁ ସ୍ଥାୟୀ ଚାକିରି ମାନ୍ୟତା ପାଇଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀ । ଏନେଇ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ଯେଉଁମାନେ ଠିକା କର୍ମଚାରୀରୁ ସ୍ଥାୟୀ ହେଲେ ସେମାନେ ନିୟମ ଅନୁସାରେ ନିଯୁକ୍ତି ଦିନଠାରୁ ପ୍ରମୋସନ ଓ ଇନକ୍ରିମେଣ୍ଟ ପାଇବେ । ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତିି ବିରୋଧୀ । କହିଛନ୍ତି, ଏମାନଙ୍କୁ ମିଳିଲା, ହେଲେ ଗାଁ ସାଥୀ, ଜିଆରଏସ, ହୋମଗାର୍ଡ, ଡାଟା ଏଣ୍ଟ୍ରି ଅପରେଟରଙ୍କ ଭଳି ହଜାର ହଜାର କର୍ମଚାରୀଙ୍କୁ କେବେ ମିଳିବ ସ୍ଥାୟୀ ଚାକିରୀ ମାନ୍ୟତା ।
ଗତ ମାସ ୧୧ ତାରିଖରେ ଭୁବନେଶ୍ୱରର ଲୋୟର ପିଏମଜିରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଛେଦ ଦାବିରେ ବର୍ଷାରେ ଭିଜି ଭିଜି ବିକ୍ଷୋଭ କରିଥିଲେ ଠିକା କର୍ମଚାରୀ । ଆଉ ଏହାର ଠିକ୍ ମାସକ ପରେ ଅକ୍ଟୋବର ୧୫ ତାରିଖରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ହେବା ପରେ କର୍ମଚାରୀ ଖୁସି ମନାଇଛନ୍ତି । ତେବେ ଚୁକ୍ତି ଭିତ୍ତିକି ନିଯୁକ୍ତି ପ୍ରଥା ଉଛେଦ ନେଇ ଶନିବାର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରବିବାର ପ୍ରକାଶ ପାଇଛି ବିଜ୍ଞପ୍ତି ।

  • ଆସିଲା ବିଜ୍ଞପ୍ତି
  • ଉଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମ-୨୦୧୩
  • ସ୍ଥାୟୀ ହେଲେ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ
  • ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ରାଜ୍ୟ ସରକାରଙ୍କ ଗ୍ରୁପ-ବି, ଗ୍ରୁପ-ସି, ଗ୍ରୁପ୍-ଡି ପୋଷ୍ଟ ପାଇଁ ଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମ -୨୦୧୩କୁ ଉଛେଦ କରିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କ ଅଧିନରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଗ୍ରୁପ୍-ବି, ଗ୍ରୁପ୍-ସି, ଗ୍ରୁପ୍-ଡି ପୋଷ୍ଟ କର୍ମଚାରୀ ସ୍ଥାୟୀ କର୍ମଚାରୀର ମାନ୍ୟତା ପାଇବେ । ବିଜ୍ଞପ୍ତି ଅନୁସାରେ..– ଯେଉଁମାନେ ଇନିସିଆଲ ଆପଏଣ୍ଟି ଭାବେ ନିଯୁକ୍ତି ପାଇଥିଲେ, ସେମାନଙ୍କୁ ସ୍ଥାୟୀ ପଦବୀରେ ନିଯୁକ୍ତି ଦିଆଯିବ

    – ଚୁକ୍ତିଭିତ୍ତିିକ ନିଯୁକ୍ତି ତାରିଖକୁ ହିସାବକୁ ନେଇ ନିୟମ ଅନୁସାରେ ସେମାନଙ୍କ ବେତନ ବୃଦ୍ଧି ହେବ

    – ଯେଉଁମାନେ ଠିକା କର୍ମଚାରୀ ଭାବେ ୬ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି, ନିଯୁକ୍ତି ଦିନଠାରୁ ସେମାନଙ୍କର ଆଜି ପର୍ଯ୍ୟନ୍ତ ହିସାବକୁ ନିଆଯିବ

    – ପୂର୍ବ ୬ବର୍ଷକୁ ହିସାବ କରି ବେତନ ବୃଦ୍ଧି ଓ ପ୍ରମୋସନ ଦିଆଯିବ

    – ଯେଉଁ ଠିକା କର୍ମଚାରୀ ପୂର୍ବରୁ ସ୍ଥାୟୀ ହୋଇ ସାରିଛନ୍ତି, ସେମାନଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ମିଳିବ

    ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ଠିକା କର୍ମଚାରୀ ସଂଘ ପକ୍ଷରୁ ଐତିହାସିକ ବୋଲି କୁହାଯାଇଛି

    ଅନ୍ୟପଟେ ୨୦୧୩ର ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମକୁ ସରକାର ଉଛେଦ କରିବା ପରେ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତିି, ୨୦୧୩ରେ ନିଜେ ନେଇଥିବା ଐତିହାସିକ ଭୁଲକୁ ସ୍ୱୀକାର କରି କିଞ୍ଚିତ ସମାଧାନ କରିବାର ପ୍ରୟାସ କରିଛନ୍ତିି ସରକାର । ୨୦୧୩ରେ ଲୋକଙ୍କ ଅନ୍ଧକାରରେ ରଖି ଚୁକ୍ତିଭିତ୍ତିକ ନିଯୁକ୍ତିର ମହାଦୁର୍ନୀତି ଆରମ୍ଭ କରିଥିଲେ ସରକାର । ଏଥିସହ ପ୍ରଶ୍ନ କରି ପଚାରିଛନ୍ତି, ରାଜ୍ୟରେ ବେକାର ଥିବା ୮ଲକ୍ଷ ୮୦ ହଜାର ବେକାର ଯୁବକ, ଯୁବତୀଙ୍କୁ କେବେ ମିଳିବ ନିଯୁକ୍ତି?

    ଗ୍ରାମରକ୍ଷୀ, ଜିଆରଏସ, ହୋମଗାର୍ଡ, ଗାଁ ସାଥୀ, ବିଭିନ୍ନ ଅଫିସରେ କାର୍ଯ୍ୟରତ ଡିଟିପି ଅପରେଟରଙ୍କୁ କେବେ ଦିଆଯିବ ସରକାରୀ ଚାକିରୀର ମାନ୍ୟତା । କଂଗ୍ରେସ ପକ୍ଷରୁ ପ୍ରେସମିଟ୍ କରି ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦକୁ ସ୍ୱାଗତ କରାଯାଇଛି । ହେଲେ, ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁଥିଲେ ବି ଅନ୍ୟମାନଙ୍କୁ କେବେ ସ୍ଥାୟୀ କରାଯିବ ସେ ନେଇ ବର୍ଷିଛନ୍ତି କଂଗ୍ରେସ ନେତା । ରାଜ୍ୟ ସରକାର ଠିକା କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା ଉଛେଦ କରିଥିଲେ ବି ହଜାର ହଜାର କର୍ମଚାରୀ ଆଉଟ ସୋର୍ସିଂ ଓ ଅନ୍ୟାନ୍ୟ ମାଧ୍ୟମରେ ସରକାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହେଲେ, ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ କି ନାହିଁ ସେନେଇ କୌଣସି ସ୍ପଷ୍ଟ କରାଯାଇନାହିଁ ।

Comments are closed.