ସିସୋଦିଆଙ୍କୁ ସିବିଆଇ ସମନ୍, ଦ୍ୱିତୀୟ ଥର ସିବିଆଇକୁ କରିବେ ସାମ୍ନା।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ୍ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ କରିଛି । ଆସନ୍ତାକାଲି ସକାଳ ୧୧ଟାରେ ସିସୋଦିଆଙ୍କୁ ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ସମନ ହୋଇଛି । ଏହାପରେ ଆପ୍ ଓ ବିଜେପି ମଧ୍ୟରେ ବାକ୍ୟୁଦ୍ଧ ତେଜିଛି । ଏହାପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ଶୁକ୍ରବାର ଦିନ ଦିଲ୍ଲୀର ୨୫ ଟି ସ୍ଥାନରେ ଚଢାଉ କରିଥିଲା । ସିବିଆଇର ସମନ ପରେ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ସେ ପୂର୍ବରୁ ତଦନ୍ତରେ ସହଯୋଗ କରିଥିଲେ ।ଏବେ ମଧ୍ୟ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ । ପୂର୍ବରୁ ୧୪ ଘଣ୍ଟା ଧରି ସିବିଆଇ ତାଙ୍କୁ ଜେରା କରିଥିଲା, କିଛି ପାଇନଥିଲା । ବ୍ୟାଙ୍କ ଲକର ଖୋଜାଯାଇଥିଲା ହେଲେ କିଛି ବାହାରି ନଥିଲା ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରିଛନ୍ତି । ସ୍ୱାଧୀନତା ପାଇଁ ଏହା ଦ୍ୱିତୀୟ ଲଢେଇ । ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୌନ୍ ଆଜିର ଭଗତ ସିଂହ । ୭୫ ବର୍ଷ ପରେ, ଦେଶ ଜଣେ ଶିକ୍ଷାମନ୍ତ୍ରୀ ପାଇଛି ଯିଏ ଗରିବ ଲୋକଙ୍କୁ ଭଲ ଶିକ୍ଷା ଦେଉଛନ୍ତି । କୋଟି କୋଟି ଗରିବଙ୍କ ପ୍ରାର୍ଥନା ସିସୋଦିଆଙ୍କ ସହିତ ଅଛି

୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଦ୍ୱିତୀୟ ଥର ଜେରା କରିବାକୁ ଯାଉଛି । ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି । ଆଉ ଏବେ ସିସୋଦିଆଙ୍କୁ ସିବିଆଇ ଗିରଫ କରିବ ବୋଲି ଦଳ ଆଶଙ୍କା କରିଛି । ଏବେ ଯେଉଁ ସମନ ହୋଇଛି ଏହାପଛରେ ଅବକାରୀ ଦୁର୍ନୀତି ନୁହେଁ ବରଂ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି ବୋଲି ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି । ଅନେକ ଥର ରେଡ୍ ହୋଇଛି ହେଲେ କଣ ମିଳିଛି ଏଯାବତ ସ୍ପଷ୍ଟ କରିନି ତଦନ୍ତକାରୀ ଟିମ୍ । କେନ୍ଦ୍ର ସରକାର ଏପରି କରି ହୀନ ରାଜନୀତି କରୁଛନ୍ତି ବୋଲି ଦଳ କହିଛି । ସେପଟେ ବିଜେପି ମଧ୍ୟ ଏହାକୁ ନେଇ କଡା ଜବାବ ରଖିଛି । ତଦନ୍ତକୁ ପ୍ରଭାବିତ କରିବାକୁ ଆମ୍ ଆଦମୀ ପାର୍ଟି ଏକ ମାହୋଲ ତିଆରି କରୁଛି ବୋଲି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ।

ଏହି ବହୁଚର୍ଚ୍ଚିତ ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି । ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ କରିଛି । ଦିଲ୍ଲୀର ଉପରାଜ୍ୟପାଳ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୭ରେ ସିବିଆଇ ଅବକାରୀ ଦୁର୍ନୀତି ହୋଇଥିବା ନେଇ ମାମଲା ରୁଜୁ କରିଥିଲା ।

Comments are closed.