୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମଦିନ ପାଳିଲେ ଶୁଭେଚ୍ଛୁ।

୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଛୁଟିଲା ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନରେ ଉଭୟ ନେତା କିଛି ସମୟ କଥାବାର୍ତା ହୋଇଛନ୍ତି । କଥାବାର୍ତା ହେବା ପରେ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।ଜନ୍ମଦିନରେ ଆଇଟି କମ୍ପାନୀ ଆଇବିଏମ ଅଫିସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏହି ଅଫିସରେ ୨୦୦ରୁ ୪୦୦ ମାନବ ସମ୍ବଳ ଭିତରେ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ବାଙ୍ଗାଲୋର ଗସ୍ତରେ ଥିବା ବେଳେ ଆଇବିଏମ ଅଫିସ ଖୋଲିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜନ୍ମଦିନ ଅବସରରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଜନ୍ମଦିନରେ ନବୀନ ନିବାସ ନଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଆଜି ହାଇଦ୍ରାବାଦ ଯାଉଥିବାରୁ ଏପରି ଅନୁରୋଧ କରାଯାଇଥିଲା ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ଜନ୍ମଦିନ ପାଳନ କରିବା ସହ ଶୁଭାକାମନା ଜଣାଇଛନ୍ତି ଶୁଭେଚ୍ଛୁ । ପୁରୀରେ ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦୀର୍ଘ ଜୀବନ କାମନା କରି ପୁରୀରେ ଦୀପଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଉତ୍ସବ ଭାବେ ପାଳନ କରିବା ପାଇଁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Comments are closed.