ଭୁବନେଶ୍ବର: ଘରୋଇ କମ୍ପାନୀର ବକେୟା ଟଙ୍କା ମାମଲାରେ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ କମର୍ସିଆଲ୍ କୋର୍ଟ। ବନ୍ଦୋବସ୍ତ ଓ ଭୂମାପ ନକ୍ସା ପ୍ରକାଶନ କାର୍ଯ୍ୟାଳୟ ସମ୍ପର୍କିତ ଏହି ମାମଲାରେ ପ୍ରାୟ ୯ କୋଟି ୧୯ ଲକ୍ଷ ଟଙ୍କା ବକେୟା ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୧୨ ମସିହାରେ ଏକ ଘରୋଇ କମ୍ପାନୀ ରାଜ୍ୟର ୧୧୨ଟି ତହସିଲକୁ କମ୍ପ୍ୟୁଟର ଯୋଗାଇଥିଲା। ଏହି କମ୍ପ୍ୟୁଟରଗୁଡ଼ିକର ମୂଲ୍ୟ ପ୍ରାୟ ୭ କୋଟି ୪୬ ଲକ୍ଷ ଟଙ୍କା ଥିଲା। ତେବେ ଏହି ଟଙ୍କା ପରିଶୋଧ ନେଇ ବିବାଦ ଦେଖାଦେଇଥିଲା। ବକେୟା ଅର୍ଥ ସହ ସୁଧ ମିଶି ମୋଟ ରାଶି ୯ କୋଟି ୧୯ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଦାବି କରାଯାଇଛି। ଏହି ଅର୍ଥ ଆଦାୟ ପାଇଁ କମ୍ପାନୀ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିବା ବେଳେ କଟକ କମର୍ସିଆଲ୍ କୋର୍ଟ ସରକାରୀ ସମ୍ପତ୍ତି ଆଟାଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ବକେୟା ରାଶି ପୈଠ କରିବାରେ ବିଫଳ ହେବାରୁ କୋର୍ଟ ଏବେ ଅଚଳ ସମ୍ପତ୍ତି ହସ୍ତାନ୍ତର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି। ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ମୁଖ୍ୟ ଶାସନ ସଚିବଙ୍କୁ ଏହି ସମ୍ପତ୍ତି ବିକ୍ରି, ଦାନ କିମ୍ବା ଅନ୍ୟ କୌଣସି ଆକାରରେ ହସ୍ତାନ୍ତର ନକରିବାକୁ ନିଷେଧ କରାଯାଇଛି। ୨୦୧୨ ମସିହାରେ ୧୧୨ଟି ତହସିଲ ଅଫିସକୁ କମ୍ପ୍ୟୁଟର ଯୋଗାଇବା ବାବଦକୁ ‘ସିଲଭେସା ଇନଫୋଟେକ୍’ ସଂସ୍ଥାର ୭,୪୬,୪୫,୨୨୭/- ଟଙ୍କାର ମୂଳ ପ୍ରାପ୍ୟ ବାକି ଥିଲା। ଆର୍ବିଟ୍ରେସନ୍ ପ୍ରୋସିଡିଂ ଅନୁଯାୟୀ ୧୦% ସୁଧ ସହ ଏହି ପରିମାଣ ୯,୧୯,୨୮,୦୫୯ ଟଙ୍କାରେ ପହଞ୍ଚିଛି। ସରକାର ଅର୍ଥ ପୈଠ ନକରିବାରୁ ଶେଷରେ କୋର୍ଟ ସମ୍ପତ୍ତି ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.