ମାଘ ସପ୍ତମୀ

ଅର୍ଜୁନୀ ଚରଣ ବେହେରା

ମାଘ ସପ୍ତମୀ
==============
ଉତ୍ତରରେ ମହୋଦଧି ଦକ୍ଷିଣରେ ଚନ୍ଦ୍ରଭାଗାନଦୀ, ମଧ୍ୟ ଭାଗରେ ରହିଛି, ପୃଥିବୀର ସପ୍ତାଶ୍ଚର୍ଯ୍ୟ କୃଷ୍ଣ ପାଗୋଡା, କୋଣାର୍କ ମନ୍ଦିର, ସୂର୍ଯ୍ୟ ଦେବତାଙ୍କ ପୂଜାସ୍ଥଳୀ l ଏହା ସୂର୍ଯ୍ୟ ମନ୍ଦିର ନାମରେ ଜଗତ ବିଖ୍ୟାତ l କୋଣାର୍କ ଏହି କଳାର ଦେଶ ଉତ୍କଳର ଶ୍ରେଷ୍ଠ କିର୍ତ୍ତୀ l ଏହିଠାରେ ଅନୁଷ୍ଠିତ ହୋଇ ଥାଏ ପବିତ୍ର ଚନ୍ଦ୍ରଭାଗ ବେଳାଭୂମିରେ ଚନ୍ଦ୍ରଭାଗା ବୁଡ଼ ବା ମାଘ ସପ୍ତମୀ ବୁଡ଼ l ମାଘ ମାସ ଶୁକ୍ଳ ସପ୍ତମୀ ବା ତିଳ ସପ୍ତମୀ ହେଉଛି ସେ ପବିତ୍ର ଦିନ l ଏହା ସୂର୍ଯ୍ୟଙ୍କର ଜନ୍ମଦିନ l ଅର୍କ ନାମକ ଏକ ଦୈତ୍ୟକୁ ସୂର୍ଯ୍ୟଦେବ ଏଠାରେ ବଧ କରିଥିବାରୁ ଏହା ଅର୍କ କ୍ଷେତ୍ର ନାମରେ ମଧ୍ୟ ପ୍ରସିଦ୍ଧ l ପୁଣି ଏହି କ୍ଷେତ୍ରର ନାମ ପଦ୍ମ କ୍ଷେତ୍ର l ଗ୍ରହ ଯାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ କଳିଙ୍ଗ ସୂର୍ଯ୍ୟଙ୍କର ଜନ୍ମ ସ୍ଥାନ l
“ଦାଡ଼ିମି ପୁଷ୍ପା ସଂକାଶ କାଶ୍ୟପେୟ କଳିଙ୍ଗଜଃ
ଧନିଷ୍ଠା ତାରକଂ ଦେବଂ ମାର୍ତ୍ତଣ୍ଡ ପ୍ରଣମାମିହଂl ”
ଧନିଷ୍ଠା ନକ୍ଷତ୍ର, ମାଘ ଶୁକ୍ଳ ସପ୍ତମୀ ରବିବାରରେ ସୂର୍ଯ୍ୟଙ୍କର ଜନ୍ମ କାଶ୍ୟପ ଗୋତ୍ରରେ l ସୂର୍ଯ୍ୟଙ୍କର ପତ୍ନୀ ସଂଜ୍ଞା ପଦ୍ମିନୀ ରୂପ ଧାରଣ ପୂର୍ବକ ଯେଉଁ ସ୍ଥାନରେ ଆବିର୍ଭୁତା ହୋଇଥିଲେ ସେ ସ୍ଥାନ ପଦ୍ମ କ୍ଷେତ୍ର ରୂପେ ବିବେଚିତ l ତେଣୁ କୋଣାର୍କ ସୂର୍ଯ୍ୟ ଓ ପତ୍ନୀ ସଜ୍ଞା ଉଭୟଙ୍କ ଜନ୍ମସ୍ଥଳୀ l ଆହୁରିପୁଣି ଜୈମିନେୟ ଗ୍ରହ ସୂତ୍ରରେ କୁହା ଯାଇଛି, “ଜାତଂ ସୂର୍ଯ୍ୟଂ କଳିଙ୍ଗେଷୁ”l ପଦ୍ମ ପୁରାଣରେ କୋଣାର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କୁହାଯାଇଛି :-
ଲବଣସ୍ୟଧି ତୀରେ ପବିତ୍ର ସୁ ମନୋହର l
ସର୍ବତ୍ର ବାଲୁକାକିର୍ଣ୍ଣେ ଦେଶେ ସର୍ବ ଗୁଣାନ୍ଵିତେ ll
ଆସ୍ତେ ଯତ୍ର ସ୍ୱୟଂଦେଵ ସହସ୍ରାଂଶୁ ଦିଵାକରଃ l
କୋଣାଦିତ୍ୟଇତି କ୍ଷାତୋ ଭକ୍ତିମୁକ୍ତି ଫଳପ୍ରଦଃ ll
ପଦ୍ମପୁରାଣ ପ୍ରାଚୀ ମାହାତ୍ମ୍ୟରେ ସୂର୍ଯ୍ୟ, ଶିବଙ୍କୁ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରି କହିଛନ୍ତି :-
ଅର୍କ ତୀର୍ଥରେ ଯେତେ ପୁଣ୍ୟ l
ମୁଁ କହିବାକୁ ନୁହେଁ କ୍ଷମ ll
ମାଘ ମାସର ଶୁକ୍ଳ ପକ୍ଷ l
ସପ୍ତମୀ ହୋଇଲେ ପ୍ରତ୍ୟକ୍ଷ ll
ତିଳ ଲଗାଇ କଲେ ସ୍ନାନ l
ତିଳେ ଦେଲେ ଦାନ ଭୋଜନ ll
କୋଟି ଗୋଦାନ ଫଳ ପାଇ l
ତା ଦେହେ ବ୍ୟାଧି ଯେ ନଥାଇ ll
ସ୍ୱୟଂ ଦେବଦେବ ମହାଦେବ ଅର୍କତୀର୍ଥରେ ସ୍ନାନ କରି ବ୍ରହ୍ମାଶିର ଛେଦନ ଜନିତ ମହା ପାପରୁ ମୁକ୍ତି ଲାଭ କରି ଶ୍ରୀ ଶୋଭନେଶ୍ୱର ମହାଦେବ ଭାବେ ପ୍ରତିଷ୍ଠିତ ହୋଇଥିଲେ l
କୋଣାର୍କ,ଜମ୍ବୁଦ୍ବୀପର ଅଗ୍ନି କୋଣରେ ଅବସ୍ଥିତ l ଏହା ଏକ ପାବନ କ୍ଷେତ୍ର l ଏଠାରେ ସୁରେଶ୍ୱରୀ ଗଙ୍ଗା କୋଟି ତୀର୍ଥ ସଙ୍ଗେ ଧରି ଚନ୍ଦ୍ରଭାଗା ନାମ ଧାରଣ ପୂର୍ବକ ପ୍ରବାହିତ ହୁଅନ୍ତି l ଏଠାରେ ସ୍ନାନ କରି ସବିତାଙ୍କୁ ଦର୍ଶନ କଲେ ଅଶେଷ ଜନ୍ମାର୍ଜିତ କଳୁଷ ନାଶହୁଏ ବୋଲି ଲୋକ ବିଶ୍ୱାସ ରହିଛି l ଦେବୀ ସରସ୍ବତୀ, ପ୍ରାଚୀ ନଦୀ ରୂପେ ମର୍ତ୍ତ୍ୟରେ ପ୍ରବାହିତ ହୋଇ କୋଣାର୍କ ନିକଟରେ ଚିତ୍ରୋତ୍ପଳା ନାମ ଧାରଣ କରିଥିଲେ l ଏହି ନଦୀମୁହାଣ ଅର୍କ ତୀର୍ଥ ଭାବେ ଜଗତରେ ବିଖ୍ୟାତ l ମାଘ ସପ୍ତମୀ ଅବସରରେ ଏହି ପବିତ୍ର ତୀର୍ଥରେ ବୁଡ଼ ପକାଇ ଶ୍ରଦ୍ଧାଳୁମାନେ ମନ୍ତ୍ର ଉଚ୍ଚାରଣ କରିଥାନ୍ତି :-
ଯଦାଯତ୍ ଜନ୍ମକୃତଂ ପାପଂ ମାୟା ସପ୍ତସୁ ଜନ୍ମସୁ l ତନ୍ମେ ରୋଗଂଚ ଶୋକଂଚ ମକାରିହନ୍ତୁ ସପ୍ତମୀ ll
ବଡ଼ି ଭୋରରୁ ମହୋଦଧିରେ ବୁଡ଼ପକାଇ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥାନ୍ତି ସୂର୍ଯ୍ୟୋଦୟକୁ l ବାଳ ସୂର୍ଯ୍ୟ ଦର୍ଶନରେ ସେମାନେ ଗାଇ ଉଠିଥାନ୍ତି :-
ସପ୍ତ ସପ୍ତି ବହପ୍ରୀତ ସପ୍ତ ଦ୍ୱୀପ ପ୍ରଦୀପକ l
ସପ୍ତମ୍ୟାଞ୍ଚନମସ୍ତୁଭ୍ୟମ୍ ନମୋନନ୍ତାୟ ଵେଧସେ ll
ଅର୍କ ତୀର୍ଥର ଉତ୍ପତ୍ତି ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଓ ପୌରାଣିକ ଆଖ୍ୟାନ ରହିଛି l ସେଥିମଧ୍ୟରୁ କେଇ ଗୋଟି ହେଲେ l
1 – ଚନ୍ଦ୍ର ଦେବଙ୍କ ସମକକ୍ଷ ନ ହୋଇ ପାରିବାରୁ ଜଳପତି ବରୁଣଙ୍କ ମନରେ ବହୁ କଷ୍ଟ ଥିଲା l ସେ ଏଠାରେ ଏକ ବଟ ବୃକ୍ଷ ମୂଳରେ ନଅ ଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନ ଦେଖି ତପସ୍ୟା କଲେ l ଅର୍କ ନାମକ ଏକ ଦୈତ୍ୟ ବୁଲୁବୁଲୁ ସେଠାରେ ପହଞ୍ଚିଲା ଏବଂ ବରୁଣଙ୍କୁ ଭକ୍ଷଣ କରିବାକୁ ଉଦ୍ୟତହେଲା l ତାକୁ ସୂର୍ଯ୍ୟ ବାରଣ କଲେ,ହେଲେ ଦୈତ୍ୟ ତାଙ୍କ କଥା ଶୁଣିଲା ନାହିଁ l ଦୁହିଁଙ୍କ ଭିତରେ ଘୋର ସଂଗ୍ରାମ ଚାଲିଲା l ଅର୍କ ଦୈତ୍ୟ ସେହି ବଟମୂଳେ ପରାସ୍ତ ଓ ନିହତ ହେଲା l ଅର୍କ ଦୈତ୍ୟ ଏଠାରେ ନିହତ ହୋଇଥିବାରୁ ଏହାର ନାମ ହୋଇଛି କୋଣାର୍କ l ଶାରଳା ମହାଭାରତର ଶାନ୍ତି ପର୍ବରେ ଉଲ୍ଲେଖ ଅଛି :-
ପୃଥ୍ଵୀ ଅଗ୍ନି କୋଣେ ଯହୁଁ ଦୈତ୍ୟ ହେଲା ହତ l
ତେଣୁ ସେ କୋଣାର୍କନାମେ ହୋଇଛି ବିଖ୍ୟାତ ll
ଅର୍କ ଦୈତ୍ୟ ଯେଉଁଦିନ ବଧ ହୋଇଥିଲା ସେଦିନ ଥିଲା ମାଘ ଶୁକ୍ଳ ସପ୍ତମୀ ଗୁରୁବାର l
2. ଶାରଳା ମହାଭାରତର ଆଉ ଏକ ଉପାଖ୍ୟାନ ଅନୁସାରେ ଚନ୍ଦ୍ରଭାଗାକୁ କିର୍ତ୍ତୀ ଏବଂ ବାସ ବୋଲି ଦୁଇ ଭାଈ ଭୋଗ କରୁଥିଲେ l ସେମାନେ ଏଠାକୁ ବୁଡ଼ ପକାଇବାକୁ ଆସୁଥିବା ତୀର୍ଥ ଯାତ୍ରୀ ମାନଙ୍କୁ ବହୁତ ହଇରାଣ କରୁଥିଲେ l ଋଷିମାନେ ଏକଥା ହର ଗଉରୀଙ୍କୁ ଜଣାଇବାରୁ ମା’ ପାର୍ବତୀ ଜଣେ ଗଉଡ଼ୁଣୀ ବେଶରେ ଆସି ସେମାନଙ୍କୁ ଶୂଳ ବିଦ୍ଧ କରି ନିପାତ କରିଥିଲେ l ସେତେବେଳେ ଦୈତ୍ୟ ଦ୍ବୟ ଦେବୀ ପାର୍ବତୀଙ୍କୁ ପ୍ରାର୍ଥନାକରିଥିଲେ ସେହି ଯାଗାର ନାମ କିର୍ତ୍ତୀ ଏବଂ ବାସ ରଖିବାକୁ, ଏଣୁ ଏ କ୍ଷେତ୍ରର ଅନ୍ୟ ନାମ କୃତ୍ତିବାସ କ୍ଷେତ୍ର l
3.ଦିନେ ପାଣ୍ଡଵ ଭାଈମାନେ ଚନ୍ଦ୍ରଭାଗା କୂଳରେ ଭ୍ରମଣ କଲାବେଳେ ଲୋମ ଋଷିଙ୍କ ସହ ତାଙ୍କର ସାକ୍ଷାତହେଲା l ଋଷିଙ୍କୁ ଜ୍ୟେଷ୍ଠପାଣ୍ଡଵ ଯୁଧିଷ୍ଠିର ଏ ସ୍ଥାନର ମାହାତ୍ମ୍ୟ ବିଷୟରେ ପଚାରିବାରୁ ସେ କହିଲେ, “ଏଠାରେ କନୟ ନାମରେ ଏକ ରାଜା ରାଜୁତି କରୁଥିଲେ l ସବୁବେଳେ ଲାଗି ରହିଥିଵା ପ୍ରାକୃତିକ ବିପର୍ଯ୍ୟୟରୁ ରାଜା ପ୍ରଜାମାନଙ୍କୁ ରକ୍ଷା କରିନପାରି ନିଜ ପୁତ୍ରକୁ ରାଜ୍ୟଭାର ଅର୍ପଣ କରି ସେ ଏହିଠାରେ ପଞ୍ଚଦଶ ବର୍ଷ ସୂର୍ଯ୍ୟଙ୍କୁ ତପସ୍ୟା କଲେ l ରାଜାଙ୍କୁ ଅର୍କାସୁର ନାମରେ ଏକ ଅସୁର ଉତ୍ପାତ କରି ବହୁକଷ୍ଟ ଦେଲା l ଏଣୁ ରାଜା ଯାଇ ସୂର୍ଯ୍ୟଦେବଙ୍କ ଶରଣାଗତ ହେଲେ l ସୂର୍ଯ୍ୟଦେବ ଅର୍କାସୁରକୁ ମହୋଦଧିରେ ନିମଜ୍ଜିତ କରି ହତ୍ୟା କଲେ l ଶାରଳା ମହାଭାରତରେ ଉଲ୍ଲେଖ ଅଛି :-
ସୂର୍ଯ୍ୟଙ୍କୁ ଦେଖିଣ ରାଜା ଶତ ବାର ନମି l
ସ୍ତବେକହେ ଦୈତ୍ୟହାତୁ ରକ୍ଷାକର ସ୍ବାମୀ ll
—-
ଚଳି ଗଲେ ବାରିଧିର ଅଗ୍ନି କୋଣ ଆଡ଼େ l
ଅର୍କ ଦୈତ୍ୟକୁ ଚାପିଲେ ମହୋଦଧି ଜଳେ ll
ରାଜା କଣୟ ଏବଂ ଅର୍କାସୁରର ସମ୍ମିଳିତ ନାମରୁ କୋଣାର୍କ ନାମ ଆସିଛି l
4. ଶାମ୍ବପୁରାଣରେ ବର୍ଣ୍ଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ,ଏଠାରେ ଶାପ ଜନିତ କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ବାର ବର୍ଷ ତପସ୍ୟା କରିଥିଲେ l ତପସ୍ୟାରେ ଏକୋଇଶି ଦିନ ବ୍ୟାପି କଠିନ ସୂର୍ଯ୍ୟ ଉପାସନା ପରେ ମାଘ ଶୁକ୍ଳସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ପକାଇ ଏ ରୋଗରୁ ମୁକ୍ତ ହୋଇଥିଲେ l
ନାରଦ କହିଲେ ଶାମ୍ବ ଚାଲ ଏହି କ୍ଷଣ l
ଚନ୍ଦ୍ରଭାଗା କୁଳେ ସେବ ସୂର୍ଯ୍ୟନାରାୟଣ ll
ଭକ୍ତିଛଳେ ଅର୍କ ଦୈତ୍ୟ ମାରି ନିରଞ୍ଜନ l
ରଖିଲେ ସେହି ତୀର୍ଥର କୋଣାରକ ନାମ ll
ଶ୍ରୀକୃଷ୍ଣ ପୁତ୍ର ଶାମ୍ବ ପରିକ୍ଷୀତ ମହାରାଜଙ୍କ ସମ ସାମୟିକ ଥିଲେ ଓ ଏହି ସମୟ ପ୍ରାୟ ଖ୍ରୀଷ୍ଟପୂର୍ବ ଉନବିଂଶ ଶତାବ୍ଦୀ ହେବ lଏଥିରୁ ଅନୁମାନ କରା ଯାଏ କୋଣାର୍କର ସୂର୍ଯ୍ୟ ପୂଜାର ପରମ୍ପରା ପ୍ରାୟ ଚାରି ହଜାର ବର୍ଷ ପୁରୁଣା ହୋଇପାରେ ବୋଲି l ବହୁ କାଳରୁ ପ୍ରଚଳିତ ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟରେ ଏହିଠାରେ ରାଜା ଲାଙ୍ଗୁଳା ନରସିଂହଦେବ ବାର ଶହ ବଢ଼େଇଙ୍କ ଦ୍ୱାରା ବାରବର୍ଷକାଳ ଲାଗି ସୂର୍ଯ୍ୟ ମନ୍ଦିର, କୋଣାର୍କ ମନ୍ଦିର ନିର୍ମାଣ କରାଇଥିଲେ l ଏହାର ପ୍ରତିଷ୍ଠା ଦିବସ ଥିଲା ମାଘ ଶୁକ୍ଳ ସପ୍ତମୀ l କୋଣାର୍କ ନିର୍ମାଣ କିମ୍ବଦନ୍ତୀକୁ ଆମର ବରେଣ୍ୟ କବି ଉତ୍କଳ ମଣି ଗୋପବନ୍ଧୁ ଅମର କରି ଦେଇ ଯାଇଛନ୍ତି ତାଙ୍କର ‘ଧର୍ମପଦ’ କବିତା ମାଧ୍ୟମରେ l ଚନ୍ଦ୍ରଭାଗା କୂଳରେ କୋଣାର୍କ ନିର୍ମାଣ ସମୟରେ ସେଠାକୁ ପଥ ବହୁତ ଦୁର୍ଗମ ଥିଲା l ଧର୍ମପଦରେ ଗୋଟିଏ ଲୋକ କଥାକୁ ନେଇ ଗୋପବନ୍ଧୁ ମାଆ ମୁଖରେ ଧରମାକୁ କହିଛନ୍ତି :-
ଦେଖି ନାହିଁ ତୀର୍ଥ ଶୁଣିଛି କେବଳ
ସାତ ଥର ଯିବ ଗଙ୍ଗା l
ଥରେ କେହି ଯେବେ ଯିବ ଚନ୍ଦ୍ରଭାଗା
ମୁହଁ ପଡ଼ି ଯିବ ରଙ୍ଗା ll
କୋଣାର୍କ ସୂର୍ଯ୍ୟ ଉପାସନାର ଏକ ପ୍ରସିଦ୍ଧ ଏବଂ ଶ୍ରେଷ୍ଠ ସ୍ଥାନ l ଓଡ଼ିଆ ଧର୍ମ ଧାରଣା ଓ ବିଶ୍ୱାସକୁ ନେଇ ବୋଧହୁଏ ମହାରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ସ୍ଥାପନକରି ଥିଲେ l ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ,ପୁରାଣ କାଳରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ମନ୍ଦିର ସ୍ଥାପନ କରିବା ସହ ଯମୁନା ନଦୀ କୂଳ କଳାପ୍ରିୟ ଓ ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ ମୁଲତାନର ଚେନାଵ ନଦୀ କୂଳରେ ମଧ୍ୟ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ l ସୁପ୍ରାଚୀନ ସୂର୍ଯ୍ୟ ପୂଜା ଏବଂ ଏହି ଅର୍କ ତୀର୍ଥର ପବିତ୍ରତାର ସ୍ମୃତି ବହନ କରେ ଆମ ଏହି ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ l
ମାଘ ସପ୍ତମୀରେ କୋଣାର୍କ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଆଗ କାଳରେ ଗୋଟିଏ ରଥରେ ବିରାଜମାନ କରି ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରୁ ଥିଲେ I କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଏହି ରଥରେ ବିରାଜିତ ହୋଇ ଚନ୍ଦ୍ରଭାଗା ଯାତ୍ରା କରୁଥିଲେ l ସୂର୍ଯ୍ୟ ଦେବତାଙ୍କର ଏହି ରଥଯାତ୍ରା ଅତ୍ୟନ୍ତ ବିରଳ ଓ ବ୍ରହ୍ମ ପୁରାଣରେ ଏହା ସୌର ଗୁଣ୍ଡିଚା ଭାବେ କଥିତହୋଇଛି I କୋଣାର୍କ ସୂର୍ଯ୍ୟ ମନ୍ଦିରର ପତନ ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ନିଆ ଯାଇ ଶ୍ରୀମନ୍ଦିର ବେଢାରେ ସ୍ଥାପନ କରାଯାଇଛି I ଚନ୍ଦ୍ରଭାଗା ନଦୀଟି ପୋତି ହୋଇ କ୍ରମେ ଲୁପ୍ତ ହୋଇ ଯାଇଛି l ହେଲେ ସେଠାରେ ସେହି ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରି ମାଘ ସପ୍ତମୀ ବୁଡ ପାଳିତ ହୋଇଆସୁଛି I ଏହି ମାଘ ସପ୍ତମୀ ତିଥିରେ ଭୁବନେଶ୍ୱରସ୍ଥ ଖଣ୍ଡଗିରିଠାରେ ମଧ୍ୟ ନବଦିନ ବ୍ୟାପୀ ଏକ ଯଜ୍ଞ ଓ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ I ପୌରାଣିକ ତଥ୍ୟ ଅନୁସାରେ କୃଷ୍ଣ ପୁତ୍ର ଶାମ୍ବ, ମାଘ ସପ୍ତମୀ ଦିନ ଏଠାରେ ସ୍ଥିତ କପିଳମୁନିଙ୍କ ଆଶ୍ରମଠାରେ ଅବସ୍ଥାନ କରିଥିଲେ I କପିଳ ମୁନି ଶାମ୍ବଙ୍କୁ ଖଣ୍ଡ ଖିରୀ ଖାଇବାକୁ ଦେଇଥିଲେ I ଏହି ଖଣ୍ଡ ଖିରୀ ଉପାଖ୍ୟାନରୁ ଖଣ୍ଡଗିରି ନାମର ଉଦ୍ଭବ ହୋଇଛି ବୋଲି ଜନଶ୍ରୁତି କହେ l ଖଣ୍ଡ ଖିରୀ କାଳ କ୍ରମେ ଅପଭ୍ରଂଶ ହୋଇ ଖଣ୍ଡଗିରି ହୋଇଛି l ଏହି ମାଘ ସପ୍ତମୀ ଦିନ ଯାଜପୁର ପୂଣ୍ୟତୋୟା ବୈତରଣୀ ଦଶାଶ୍ୱମେଧ ଘାଟ ଠାରେ,ବେଦବ୍ୟାସ ଶଙ୍ଖ ଓ କୋଏଲ (ରାଉରକେଲା)ନଦୀ ସଙ୍ଗମ ସ୍ଥଳରେ ମଧ୍ୟ ବୁଡ ପଡ଼ି ଥାଏ I ମାଘ ସପ୍ତମୀ ଆମ ପୂର୍ବ ପରମ୍ପରା ଓ ଐତିହ୍ୟର ପ୍ରତୀକ I ମାଘସପ୍ତମୀ ଚନ୍ଦ୍ରଭାଗା ସ୍ନାନ,ମାର୍ତ୍ତଣ୍ଡ ଦେବଙ୍କ ପୂଜା ଅଶେଷ ପୁଣ୍ୟଦାୟୀ ଏଣୁ ମହାଭାରତରେ କୁହାଯାଇଛି :-
ସପ୍ତମୀରେ ସ୍ନାନ, ଦାନ, ଧର୍ମ ଯେହୁ କରେ l
ତାହାସମ ପୁଣ୍ୟାତ୍ମା କେ ନାହିଁ ଏ ସଂସାରେ ll
କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି l
ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି ll
ସୂର୍ଯ୍ୟ ସକଳଶକ୍ତିର ଆଧାର l ସୂର୍ଯ୍ୟଙ୍କ ବିନା ଏ ସୃଷ୍ଟି ଅସମ୍ଭବ,ଏଣୁ ପ୍ରତ୍ୟହ ସବୁ ଦେବାଳୟ ମାନଙ୍କରେ ପ୍ରଥମ ପୂଜା, ସୂର୍ଯ୍ୟଙ୍କ ପୂଜା ଅନୁଷ୍ଠିତ ହୋଇଥାଏ l ସୂର୍ଯ୍ୟ ଦେବତାଙ୍କୁ ପ୍ରତ୍ୟହ ପୂଜା କରିବା ବିଧେୟ l ଏଥିପାଇଁ କୁହାଯାଇଛି :-
ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେଦିନେ l
ନ ବ୍ୟାଧି ଶୋକ ଦାରିଦ୍ର୍ୟମ୍
ସୂର୍ଯ୍ୟଲୋକଂ ସ ଗଛତି ll
🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.