ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର

ଅର୍ଜୁନୀ ଚରଣ ବେହେରା

ବିଦଗ୍ଧ କବି ଅଭିମନ୍ୟୁ
ସାମନ୍ତସିଂହାର
============
ଉତ୍କଳରେ ବିଦଗ୍ଧ ଭକ୍ତିରସପୂର୍ଣ୍ଣ ସାହିତ୍ୟର ସ୍ରଷ୍ଟା କବି ଅଭିମନ୍ୟୁ ସାମନ୍ତସିଂହାର l ଜନ୍ମ,ଯାଜପୁର ଜିଲ୍ଲା ବାଲିଆ, ଫେବୃଆରୀ 23 ତାରିଖ 1760 ମସିହା ଶନିବାର,ତିଥି,ମାଘ ଶୁକ୍ଳସପ୍ତମୀ l ପିତା ଇନ୍ଦ୍ରଜିତ ସାମନ୍ତସିଂହାର,ମାଆ ତୁଳସୀ ଦେବୀ l
ତାଙ୍କ ମାଆ ଥିଲେ ପିତା ଇନ୍ଦ୍ରଜିତଙ୍କ ଅଷ୍ଟମ ତଥା କନିଷ୍ଠା ପତ୍ନୀ l ତାଙ୍କର ଅନ୍ୟ ସାତଜଣ ପତ୍ନୀଙ୍କ କୌଣସି ସନ୍ତାନ ନଥିଲେ l କବିଙ୍କ ପତ୍ନୀ ଥିଲେ ବିମଳା ଦେବୀ l
ଅଭିମନ୍ୟୁଙ୍କ ପୂର୍ଵପୁରୁଷ କ୍ଷତ୍ରିୟବଂଶ ସିଂହ ସଜ୍ଞା ଧାରୀ ଥିଲେ l ରାଜପୁତାନା ଜୟପୁରଠାରୁ ଆସି ସେମାନେ ଉତ୍କଳରେ ବସତି କରିଥିଲେ l ସାମନ୍ତ ସିଂହାର ବଂଶ ସେ ବଂଶର ବହୁ ପରବର୍ତ୍ତୀ ବଂଶ ବୋଲି ଅନୁମାନ କରାଯାଏ l ଖୋର୍ଦ୍ଧା ଭୋଇବଂଶ ରାଜାଙ୍କ ଠାରୁ ଅଭିମନ୍ୟୁଙ୍କ ବଂଶଧର ଯାଜପୁର ଜିଲ୍ଲାର ବରୁଆଁ ପ୍ରଗନାନ୍ତର୍ଗତ ବାଲିଆ ଜମିଦାରୀ ପ୍ରାପ୍ତ ହୋଇଥିଲେ l ସାମନ୍ତସିଂହାର ଉପାଧି ତାଙ୍କୁ କାହାଠାରୁ ପ୍ରାପ୍ତ ହୋଇଥିଲା ତାହା ନିଶ୍ଚିତଭାବେ ଜଣାଯାଇ ନାହିଁ l କେତେକ ମତ ଦେଇଥାନ୍ତି ସେ ଅଞ୍ଚଳରେ ସେତେବେଳେ ବରପଦା ଆଦି ନାମକ ସାତ ଟପା ବା ଗଡ଼ ଥିଲା l ସାତ ଟପାରେ ରଣ ସିଂହ ମହାପାତ୍ର,ଦକ୍ଷିଣ ରାୟ ମହାପାତ୍ର ପ୍ରଭୃତି ବିଭିନ୍ନ ରାଜ ଉପାଧି ଧାରୀ ସାତ ସାମନ୍ତ ଥିଲେ l ଅଭିମନ୍ୟୁଙ୍କ ପୂର୍ବପୁରୁଷ ଏହି ସାମନ୍ତ ମାନଙ୍କରେ ଗଣ୍ୟ ନ ହେଉ ଥିଲେ ମଧ୍ୟ ଏକ ସମୟରେ ସେ ବଂଶର ଜଣେ, ଅନ୍ୟ ସାତ ସାମନ୍ତଙ୍କୁ ଏକ ବଡ଼ ବିପଦରୁ ରକ୍ଷା କରିଥିଲେ l ଏଥିରେ ସେ ସାମନ୍ତ ମାନେ ସନ୍ତୁଷ୍ଟ ହୋଇ ତାଙ୍କୁ ସାମନ୍ତଙ୍କ ଭୂଷଣ ବା ‘ସାମନ୍ତସିଂହାର’ ଉପାଧିରେ ଭୂଷିତ କରିଥିଲେ l ସେହି ଉପାଧି ସମ୍ମାନସହ ତାଙ୍କ ବଂଶ ପରମ୍ପରା କ୍ରମେ ଚଳି ଆସିଛି l
ତାଙ୍କ ଜନନୀ ତୁଳସୀ ଦେବୀଙ୍କ ଜନ୍ମ କେନ୍ଦ୍ରାପଡ଼ା ଅନ୍ତର୍ଗତ ଉଦୟପୁର (ଲାଉଖିଆ) ଗ୍ରାମ ବିଖ୍ୟାତ ପଟ୍ଟନାୟକ ବଂଶରେ l ତାଙ୍କର ଆଉ କେତେଜଣ ସପତ୍ନୀ ଥିଲେ l ତୁଳସୀ ସପତ୍ନୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଧର୍ମ ପରାୟଣା ଥିଲେ l କବିଙ୍କ
ବଂଶଲତା ଏହିପରି :- ବନ୍ଦକୀ ସାମନ୍ତସିଂହାର – – ଖୋସାଲି ସାମନ୍ତ ସିଂହାର – ଇନ୍ଦ୍ରଜିତ ସାମନ୍ତ ସିଂହାର – ଅଭିମନ୍ୟୁ ସାମନ୍ତ ସିଂହାର l
ଓଡିଶାର ଅନ୍ୟତମ ବୈଷ୍ଣବ କବି ଶ୍ରୀ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଥିଲେ ତାଙ୍କର କୁଳଗୁରୁ l ତାଙ୍କ ଦେବପୂଜା ହେତୁ ଅଭିମନ୍ୟୁ ଜନ୍ମ ହୋଇ ଥିଲେ ବୋଲି ପ୍ରବାଦ ଅଛି,ସେ ମଧ୍ୟ ଅଭିମନ୍ୟୁଙ୍କ ଗୁରୁ ଥିଲେ l
ମାତ୍ର 9 ବର୍ଷ ବୟସରେ ଅଭିମନ୍ୟୁ ପ୍ରଥମ ପଦ୍ୟ ରଚନା କରିଥିଲେ :-
କରମଙ୍ଗା ଗଛ ଛାଇ
କରମ ଯାହାର ସଫଳ ହୋଇବ,
କୃଷ୍ଣଙ୍କୁ ଲଭିବ ସେହି l
ଗଞ୍ଜେଇ ଗଛର ଛାଇ
ବେଣୁ ବିନୋଦିଆ ଯେଣେ ଯାଉଥାଇ
ତେଣେ ହୁରି ପଡ଼ୁଥାଇ l
ତାଙ୍କ ପ୍ରମୁଖ ସାହିତ୍ୟକୃତି ଗୁଡ଼ିକ ହେଲେ ବିଦଗ୍ଧ ଚିନ୍ତାମଣି,ପ୍ରେମକଳା,ରସବତୀ,ସୁଲକ୍ଷଣା, ପ୍ରେମ ତରଙ୍ଗିଣୀ,ବାଘଗୀତ,ଚଢ଼େଇଗୀତ,ବୋଲେ ହୁଁଟି ପ୍ରେମ ଚିନ୍ତାମଣି ପ୍ରଭୃତି l ବିଦଗ୍ଧ ଚିନ୍ତାମଣି କାବ୍ୟ ଓଡ଼ିଆ ସାହିତ୍ୟରେ ଏକ ଅମୁଲ୍ୟନିଧି l ଚିନ୍ତାମଣି କାବ୍ୟ ସମ୍ବନ୍ଧରେ କିମ୍ବଦନ୍ତୀରୁ ଜ୍ଞାତ ହୋଇଥାଏ, କବି ଅଭିମନ୍ୟୁ ପତ୍ନୀବିମଳାଙ୍କ ସତ୍ୟତା ପରୀକ୍ଷା କଲା ବେଳେ ପତ୍ନୀଙ୍କ ଅକାଳ ବିୟୋଗ ଘଟିଲା l ସେହି ଦୁଃଖରେ ସେ ମ୍ରିୟମାଣ ହୋଇ ପଡ଼ିଲେ l ଦୁଃଖରେ ସେ ଶ୍ରୀରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମକୁ ସୁମରଣାକରି ବିଦଗ୍ଧ ଚିନ୍ତାମଣି ନାମକ ଏକ ଶହ ଛାନ୍ଦ ବିଶିଷ୍ଟ କାବ୍ୟ ଲିଖନ କରିବା ପାଇଁ ମନସ୍ଥ କଲେ l କିନ୍ତୁ ଏହାର ୯୭ ଗୋଟି ଛାନ୍ଦ ଲେଖିଲା ପରେ ସେ ସ୍ୱର୍ଗବାସୀ ହୋଇଥିଲେ l ବିଦଗ୍ଧ କବି ଅଭିମନ୍ୟୁଙ୍କ ଶ୍ରେଷ୍ଠ କିର୍ତ୍ତୀ ବିଦଗ୍ଧଚିନ୍ତାମଣି କାବ୍ୟ ସମ୍ବନ୍ଧରେ କୁହା ଯାଇଛି :-
ଉପମା ଭଞ୍ଜବୀରସ୍ୟ
ତସୌବଚାର୍ଥ ଗୌରବମ୍ l
କଲ୍ଲୋଳେ ପଦ ଲାଳିତ୍ୟମ୍
. ସନ୍ତି ଚିନ୍ତାମଣୋ ତ୍ରୟଃ ll
ବିଦଗ୍ଧ ଚିନ୍ତାମଣିରେ କବି ତାଙ୍କର ବଂଶ ପରିଚୟ ଦେଇ କହିଛନ୍ତି :-
ଜମ୍ବୁଦ୍ଵୀପେ ଭାରତ ଖଣ୍ଡେ ଏ ସାର ମହୀ l
ମହୋଦଧି ଯାଜ ନଗ୍ର ମଧ୍ୟ ରମ୍ୟ ତହିଁ ll
ସୁଵିହାର ସ୍ଥାନ ଏଣୁ ଥିବାର ସେ ଦେଶ l
ଗୋଳକୁଣ୍ଡ ନାମେ ଗ୍ରାମ ତହିଁ ପରକାଶ ll
ବ୍ରାହ୍ମୀନଦୀ ସେ ଗ୍ରାମର ସୀମା ଭେଦି ବହି l
ବିରାଟ ଗୋଧନ ରହିବାର ସ୍ଥାନ ସେହି ll
ଏ ରାଜ୍ୟରେ ରାଜା ମିତ୍ରବଂଶୀ କ୍ଷତ୍ରିବର l
ଇନ୍ଦ୍ରଜିତ ସାମନ୍ତ ସିଂହାର ନାମ ବର ll
ତାଙ୍କ ଜ୍ୟେଷ୍ଠସୂତ ଅଭିମନ୍ୟୁ ନାମ ମୋର l
ଆଡମ୍ବର ରୀତିରେ ତ ସାମନ୍ତ ସିଂହାର ll
ପୁଣି ତାଙ୍କର ଜନ୍ମସ୍ଥାନ ବାଲିଆ ବିଷୟରେ କବି ଲେଖିଛନ୍ତି :-
ବାଲିଆ ବୋଲି ଯେ ଏକ ନବର l
ତହିଁ ନୃପତି ସାମନ୍ତ ସିଂହାର ll
ରସିକ ଵିଵେକୀ ବଡ଼ ଧାର୍ମିକ l
ପ୍ରସଂଶା କରନ୍ତି ବହୁତ ଲୋକ ll
ବିଦଗ୍ଧ ଚିନ୍ତାମଣିର ଭକ୍ତି ରସ ଭରା ନିମ୍ନ ପ୍ରଦତ୍ତ ପ୍ରଥମ ଛାନ୍ଦ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ l
ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି l
ଅବ୍ୟକ୍ତ ଲୀଳାଜୁ ବ୍ୟକ୍ତ କର ଅବତରି ll
ଆଦି ଅନାଦି କାରଣ ନିର୍ଗୁଣ ସଗୁଣ l
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ll
ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି l
ଇଛାମୟ ସର୍ବ ଶକ୍ତିବନ୍ତ ତତ୍ତ୍ୱ ବିହି ll
**
କାମନା କଳପତରୁ ଚିନ୍ତାମଣି ନାମ l
କଲ୍ପୁଛି କବିତ୍ୱେ ବର୍ଣ୍ଣିବାକୁ ତଵ ପ୍ରେମ ll
ଖଗପତି ପୂର୍ଣ୍ଣ କର ଏ ମୋର ମାନସ l
କ୍ଷିତି ପାବନ ମଙ୍ଗଳ ବର୍ଣ୍ଣିବି ତୋ ଯଶ ll
ବାତ୍ସଲ୍ୟରସ ଭରା ତଥା କୃଷ୍ଣପ୍ରେମ ମୂଳକ ରସ ସିକ୍ତ କାବ୍ୟ ବିଦଗ୍ଧ ଚିନ୍ତାମଣିର ଶତଷଷ୍ଟି ଛାନ୍ଦ ଯଶୋଦା ବିଳାପ ନାମରେ ନିମ୍ନ ପଦ୍ୟଟି ମଧ୍ୟ ଓଡ଼ିଶାର ଘରେ ଘରେ ପରିଚିତ l
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ,
ମୋ କଳା ମାଣିକରେ l
ନିଧନ ସଙ୍ଖାଳି ମୋର ଦରିଦ୍ର ପସରା
ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନ ହାରା,
ମୋ କଳା ମାଣିକରେ l……
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବନା ରସତରଙ୍ଗ ଭଳି ବିଦଗ୍ଧଚିନ୍ତାମଣିରେ ଗୋଟିଏ ଅବନା ଅକ୍ଷର ଛାନ୍ଦ ଅଛି l ଚବିଶ ଗୋଟି ପଦରେ ରଚିତ ତାଙ୍କ ଏହି 29 ତମ ଛାନ୍ଦରୁ କେଇ ପଦ :-
ସଜ୍ଜନଗଣ କର ଶ୍ରବଣ ନନ୍ଦ ନନ୍ଦନ ଅଙ୍ଗ l
ବ୍ରଜ କଳତ୍ର ମଦନଶସ୍ତ୍ର ଉଚ୍ଚନ୍ନ ଭକ୍ତ ରଙ୍ଗ ll
ସକଳ ନବଘନ ସମ୍ଭବ ବରନ ବରଜନ l
କୃଷ୍ଣକମଳ ପ୍ରଚ୍ଛଳ ଦଳ ମରକତ ଗଞ୍ଜନ ll
ରମ୍ୟ କଜ୍ଜ୍ୱଳ ବର ଉଜ୍ଜ୍ୱଳ ତମସଚୟ ଜୟ l
ଭ୍ରମର ସଞ୍ଚ ମସ୍ତକ କଚ ବନ୍ଧନ ସ୍ମରଭୟ ll
ବରହ ବର ମଣ୍ଡନ କର ନବ ପଲ୍ଲଵ ସଙ୍ଗ l
ଅର୍ଦ୍ଧ ଚନ୍ଦ୍ରକ କମଳସ୍ତକ ବନ୍ଧନ ଛନ୍ଦରଙ୍ଗ ll
ଉତ୍କଳ ସାହିତ୍ୟ ଆକାଶରେ ଉଜ୍ବଳ ନକ୍ଷତ୍ର କବି ଅଭିମନ୍ୟୁଙ୍କ ମହା ପ୍ରୟାଣ ହୋଇଥିଲା 15 ଜୁନ 1806 ମସିହା ଛୟାଳୀଶ ବର୍ଷ ବୟସରେ ରଜ ସଂକ୍ରାନ୍ତି ଦିନ l ଅଭିମନ୍ୟୁଙ୍କ କାବ୍ୟର ଛତ୍ରେଛତ୍ରେ ଭରି ରହିଛି ଅମୀୟ ଭକ୍ତିସୁଧା l ସେ କବିମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠ ବୈଷ୍ଣବ କବିର ଆସନରେ ଅଧିଷ୍ଠିତ l
🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.