ଖୋଲିଲା ପରିକ୍ରମା ମାର୍ଗ: ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ।

ପୁରୀ: ମନେ ରହିବ ଏ ମୁହୂର୍ତ୍ତ। ଅମଳିନ ରହିବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ। ଦୀର୍ଘ ପ୍ରତୀକ୍ଷା, ତମାମ ଆଲୋଚନା-ପର୍ଯ୍ୟାଲୋଚନା, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ କାରିଗରଙ୍କ ଅହରହ ଶ୍ରମର ଫଳଶ୍ରୁତି ସ୍ବରୂପ ପୂର୍ଣ୍ଣାଙ୍ଗ ରୂପ ନେଇଛି ୩୩୦ କୋଟିର ପରିକ୍ରମା ପ୍ରକଳ୍ପ। ଉନ୍ମୁକ୍ତ ହୋଇଛି ପରିକ୍ରମା ମାର୍ଗ। ଏଣିକି ପରିକ୍ରମାରେ ଆଉ ବାଧା ଦେଉନି ଗାଡ଼ି ମୋଟରର କୋଳାହଳ। ବଉଳମାଳିଆ ପଥରରେ ସଜେଇ ହୋଇଛି ଚଲାପଥ। ସବୁଜିମାରେ ଚମକୁଛି ପ୍ରଦକ୍ଷିଣ କ୍ଷେତ୍ର। ଆକାଶମାର୍ଗରୁ ଆଲୁଅମାଳାର ଚିତ୍ର ଦେଉଛି ନୂଆ ବୋହୂର ଅନୁଭବ। ଏହି ସମସ୍ତ ଘଟଣାର ସାକ୍ଷୀ ରହିଛି ସମୟ। ପ୍ରକଳ୍ପ ଲୋକାର୍ପଣ ହୋଇନଥିଲା, କିନ୍ତୁ ପରିକ୍ରମା ମାର୍ଗର ଅନୁଭବ ନେବାକୁ ସକାଳୁ ଛୁଟିଥିଲା ଭକ୍ତଙ୍କ ସୁଅ। ସକାଳୁ ଇନ୍ଦ୍ର ଯେମିତି ବୃଷ୍ଟି ରୂପରେ ପୁଷ୍ପ ଅଜାଡ଼ି ଦେଇଥିଲେ। କିଏ ଭଜନରେ ଭିଜୁଥିଲା ତ କିଏ ଆନନ୍ଦାଶ୍ରୁରେ ଭକ୍ତି ନୈବେଦ୍ୟ ବାଢ଼ି ଦେଉଥିଲେ। କିଏ ଚିତ୍ରରେ ଭାବକୁ ବ୍ୟକ୍ତ କରୁଥିଲା ତ ପୁଣି କିଏ ସୌନ୍ଦର୍ଯ୍ୟରେ ଉଲ୍ଲସିତ ହୋଇ ଫଟୋ ଉଠାଇବାରେ ମଜ୍ଜି ଯାଉଥିଲେ। ଜଗନ୍ନାଥମୟ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ମାର୍ଗକୁ ଛୁଟିଛି ଭକ୍ତଙ୍କ ସୁଅ। ସମ୍ଭବତଃ ଶ୍ରୀମନ୍ଦିର ନିର୍ମାଣ ଓ ମେଘନାଦ ପାଚେରି ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେ ସର୍ବବୃହତ୍‌ ନିର୍ମାଣ କାର୍ଯ୍ୟ ସମାହିତ ହୋଇଛି। ଭକ୍ତ ପରିକ୍ରମା ଘେରା ମାରିବା ବେଳେ ନୀଳଚକ୍ର ଓ ଶ୍ରୀମନ୍ଦିରର ଚତୁଃପାର୍ଶ୍ବ କାରିଗରୀର ଶୋଭା ଦେଖି ବିଭୋର ହୋଇଛନ୍ତି। ପୁଣି ପାଦ ଦେଶରେ ମଠ ମନ୍ଦିରର କାରୁକାର୍ଯ୍ୟ, ସବୁଜିମା ଭରା ବଗିଚା ସାଙ୍ଗକୁ ତୁଳସୀ ଓ ଫୁଲର ମହମହ ବାସ୍ନା ପୁଲକିତ କରୁଛି। କାମ ନୂଆ, କିନ୍ତୁ ଖୋଣ୍ଡଲାଇଟ୍‌ ପଥରର କାରିଗରୀ ପ୍ରାଚୀନ ସୌନ୍ଦର୍ଯ୍ୟର ଅନୁଭବ ଦେଉଛି।

ପରିକ୍ରମା ମାର୍ଗ କେବଳ ଲୋକଙ୍କ ପ୍ରଦକ୍ଷିଣ ସମସ୍ୟା ଦୂର କରିନାହିଁ। ସୌନ୍ଦର୍ଯ୍ୟର ଅପୂର୍ବ ସମନ୍ବୟ ଦେଖି ମନ ଲାଖିଯାଉଛି। ଅତୀତର ମଠ ମନ୍ଦିର ଓ ଉନ୍ନତୀକରଣ ପରର ମଠ ମନ୍ଦିରକୁ ଚିହ୍ନି ହେଉନାହିଁ। ପାରିପାର୍ଶ୍ବିକ ଅବସ୍ଥା ଓ ଚିତ୍ର ବଦଳିଯାଇଛି। କଳିଙ୍ଗ କଳା ସ୍ଥାପତ୍ୟର ଝଲକ ମଠ ମନ୍ଦିରରେ ଝଟକି ଉଠୁଛି। ତୋରଣ, ମଗର, ଖୁମ୍ବକୁ ଖୋଣ୍ଡଲାଇଟ୍‌ ପଥରରେ ମଠରେ ଛାପ ଦିଆଯାଇଛି। ନୂଆ ରୂପ ନେଇଥିବା ଜରାଜୀର୍ଣ୍ଣ ମଠର କାରୁକାର୍ଯ୍ୟ ଆଗରେ ଫଟୋ ଉଠାଇବାକୁ ଭିଡ଼ ଜମୁଛି। ଏମାର ମଠ, ନୃସିଂହ ଆଚାରୀ ମଠ, ଦକ୍ଷିଣପାର୍ଶ୍ବ ମଠ, ଉତ୍ତରପାର୍ଶ୍ବ ମଠ, ପଞ୍ଜାବୀ ମଠ, ଶଙ୍ଖଚକ୍ର ମଠ, ତ୍ରିମାଳି ମଠ, କଟକୀ ମଠ, ରେବେସା ମଠ, ଛାଉଣି ମଠ, ରାମଦୟା ପରିଷଦ, କୌଶଲ୍ୟା ଦାସ ମଠ, ମଙ୍ଗୁ ମଠ, ଲଙ୍ଗୁଳି ମଠ, ବଡ଼ଛତା ମଠ, ବଡ଼ଆଖଡ଼ା ମଠ, କାକୁଡ଼ିଖାଇର ନୂଆ ରୂପ ସଂଦର୍ଶନ କରିଛନ୍ତି ଭକ୍ତ। ସେହିଭଳି ପ୍ରଦକ୍ଷିଣ ମାର୍ଗରେ ବୁଢ଼ୀ ମା ମନ୍ଦିର, ଦୁର୍ଗାମାଧବ ମନ୍ଦିର, ମହାବୀର ମନ୍ଦିର, ଉଗ୍ରତାରା ମନ୍ଦିର, କପାଳମୋଚନ ମନ୍ଦିର ଓ ଭଗବତୀଙ୍କ ମନ୍ଦିରରେ ସ୍ବଚ୍ଛନ୍ଦ ଦର୍ଶନ ପାଇଛନ୍ତି ଶ୍ରଦ୍ଧାଳୁ। କେବଳ ସୌନ୍ଦର୍ଯ୍ୟ ନୁହେଁ, ଭକ୍ତଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଦକ୍ଷିଣ-ପଶ୍ଚିମ-ଉତ୍ତର ପାର୍ଶ୍ବରେ ଗୋଟିଏ ଲେଖାଏଁ ମହିଳା ଶୌଚାଳୟ, ପୁରୁଷ ଶୌଚାଳୟ ଓ ସେବାୟତ ଶୌଚାଳୟ ଭଳି ୯ଟି ଶୌଚାଳୟ ସୁବିଧା ରହିଛି। ଏହାବ୍ୟତୀତ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ୩ଟି ଆଶ୍ରୟସ୍ଥଳୀରେ ଲୋକେ ବିଶ୍ରାମର ଅବସର ନେଇଛନ୍ତି। ତିନି ଦ୍ବାର ପାର୍ଶ୍ବରେ ୩ଟି କ୍ଲକ୍‌ ରୁମ୍‌ ତଥା ଜମାଘର ସହ ଜୋତା ଷ୍ଟାଣ୍ଡ ରହିଥିବାରୁ ଭକ୍ତ ଏହା ମଧ୍ୟରେ ନିଜର ଜିନିଷ ରଖି ନିର୍ଦ୍ବନ୍ଦ୍ବରେ ବୁଲାବୁଲି କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ୨ଟି ଲେଖାଏଁ ମୋଟ୍‌ ୪ଟି ଭଜନ ମଣ୍ଡପ ସହ ଆଉ ୧୦ଟି ମୁକ୍ତାକାଶ ମଞ୍ଚରେ ବସି ଫଟୋ ଉଠାଇବାକୁ ଭିଡ଼ ଜମିଛି।

 

Comments are closed.