କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା

ଉପତ୍ୟକା ଅଞ୍ଚଳରେ ବୁଲି ପରିସ୍ଥିତିର ଅନୁଧ୍ୟାନ କଲେ ମନ୍ତ୍ରୀ

ମହାନଦୀ ଆସିଥିବା ପ୍ରବଳ ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ପାଇକା, ଚିତ୍ରୋପିଳା, କରାଣ୍ଡିଆ, ଲୁଣା ଓ ବିରୁପା ନଦୀ ବିପଦ ସଙ୍କେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ନଦୀ ଘେର ଭିତରେ ଥିବା ଗାଁଗୁଡ଼ିକରେ ବନ୍ୟା ଜଳ ପ୍ଳାବିତ ହେବା ସହ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । କରାଣ୍ଡିଆ ନଦୀର ବନ୍ୟାଜଳ ଘେରୀବନ୍ଧ ଭାଙ୍ଗି ଲୁଣା-କରାଣ୍ଡିଆର ଦ୍ୱୀପାଞ୍ଚଳକୁ ଜଳମଗ୍ନ କରିଦେଇଛି । ଫଳରେ ୧୩ ଗ୍ରାମ ପାଣି ଘେରରେ ରହିଛନ୍ତି । ଅନେକଙ୍କ ଘରେ ବନ୍ୟାଜଳର ସୁଅ ପଡୁଛି । ଅପରପକ୍ଷରେ ଗରଦପୁର ବ୍ଲକର ଭଦଳା ଠାରେ ଚିତ୍ରୋପିଳା ନଦୀବନ୍ଧରେ ଏକ ଘଳିଆ ସୃଷ୍ଟି ହୋଇଛି । ସେହିପରି ଏହି ବ୍ଲକ ବଡନୟନପୁର ଠାରେ ପାଇକା ନଦୀବନ୍ଧରେ ଏକ ଘଳିଆ ହୋଇଛି । ଏହି ଦୁଇ ନଦୀର ଘଳିଆକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି । ବନ୍ୟା ପାଇଁ ଆଶ୍ରୟସ୍ଥଳଗୁଡିକ ଖୋଲା ଯାଇଛି । ତେବେ ଏଠାରେ ଥିବା ସରଞ୍ଜାମ ବ୍ୟବହାର ପଦ୍ଧତି ସମ୍ପର୍କରେ କାହାକୁ ଜଣା ନାହିଁ । ନଦୀ କୂଳ ଅଞ୍ଚଳର ପ୍ରାୟ ୫ ହଜାର ହେକଫର ଜମିରେ ଖରିଫ ଚାଷ ସହିତ ପନିପରିବା ନଷ୍ଟ ହୋଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତିକୁ ନିରୀକ୍ଷଣ କରାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ, ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଓ ଦୁର୍ବଳ ନଦୀବନ୍ଧର ସୁରକ୍ଷା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ଆଇତିପୁରର କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, କରାଣ୍ଡିଆ ନଦୀରେ ଆଦୌ ଆଡିବନ୍ଧ ନାହିଁ । ଏହା ସହିତ ଲୁଣା ନଦୀବନ୍ଧ କମ ଉଚ୍ଚତାରେ ଅଛି । ଏଥିପାଇଁ ବନ୍ୟା ଆସିଲେ ପ୍ରତ୍ୟେକ ବର୍ଷ ଦ୍ୱୀପାଞ୍ଚଳର ୧୩ ଗ୍ରାମରେ ପାଣି ପଶୁଛି । ଗତ ରାତିରୁ ଏହି ଦୁଇ ନଦୀରୁ ଗ୍ରାମ ମଧ୍ୟକୁ ପାଣି ଆସିଛି । ଅପରାହ@ ୨ଟା ସୁଦ୍ଧା ଡିହବଳରାମପୁର, ବାଳିସିଂ ଓ ଆଇତିପୁରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଏବେ ଏହି ୩ ଗ୍ରାମର ପ୍ରାୟ ୬ ହଜାର ଲୋକ ଜଳବନ୍ଦୀରେ ଅଛନ୍ତି । ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଅଦ୍ୟାବଧି ବନ୍ୟା ସ୍ଥିତି ନୀରିକ୍ଷଣ ପାଇଁ କୌଣସି ଅଧିକାରୀ ଆସିନାହାନ୍ତି । ତେବେ କିଛି ଗ୍ରାମବାସୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ଗ୍ରାମର ପୀନାକୀ ସାମନ୍ତରାୟ କହିଛନ୍ତି ଯେ, ଆଇତିପୁର ଓ ଡିହବଳରାମପୁରରେ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି । ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ଆବଶ୍ୟକତା ଅଧିକ । ତେବେ ଗୃହର ଆକାର ପ୍ରଭାବିତଙ୍କୁ ଆଶ୍ରୟ ଦେବାରେ ବିଫଳ ହୋଇଛି । ଏହି ଦୁଇ ଆଶ୍ରୟସ୍ଥଳରେ ଅତିବେଶିରେ ୧୫୦ ଜଣଙ୍କ ପାଇଁ ସ୍ଥାନ ଥିବା ବେଳେ ପ୍ରାୟ ଦୁଇ ହଜାର ଲୋକ ଘର ଛାଡି ଅନ୍ୟ ସ୍ଥାନରେ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ରହୁଛନ୍ତି । ସେହିପରି ଏଠାରେ ରହିଥିବା ଅବାଶ୍ୟକୀୟ ସାମଗ୍ରୀ ଆସ୍କା ଲାଇଟ, ଜେନେରେଟର ଠାରୁ କଟର ମେସିନର ବ୍ୟବହାର କାହାକୁ ଜଣା ନାହିଁ । ଫଳରେ ରାତିରେ ଆବଶ୍ୟକ ମୁତାବକ ସାମଗ୍ରୀର ବ୍ୟହାର ହେଉନାହିଁ । ସେହିପରି ପାଇଖାନା ଯଥେଷ୍ଟ ନଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି । ପତିତପାବନ ରାଉତ କହିଛନ୍ତିଯେ, ବନ୍ୟା ଏବେ ଋଣ ସୁଝିବା ଚିନ୍ତି ବଢ଼ାଇଛି । ଫଳନ୍ତି ପନିପରିବା ନଷ୍ଟ ହୋଇଛି । ଏଥିସହିତ ସ୍ଥାନୀୟ ଅଞ୍ଚଳର ଖରିଫ ଚାଷ ନଷ୍ଟ ହୋଇଛି । ବିଦୁ୍ୟତ କାଟରୁ ରକ୍ଷା ପାଇଁ କିରୋସିନି ଦର ଲିଟର ପ୍ରତି ୧୨୦ ଟଙ୍କା ରହିଛି । ନଳକୂପ, ପୋଖରୀ ଆଦି ପାଣିରେ ବୁଡି ଥିବାରୁ ଜଳବାହିତ ରୋଗ ହେବା ସମ୍ଭାବନା ବଢ଼ିଛି । କେନ୍ଦ୍ରାପଡ଼ା ଜଳସେଚନ ଡ଼ିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀ କହିଛନ୍ତିଯେ, ମହାନଦୀରେ ବନ୍ୟା ପାଇଁ ଜିଲାର ଲୁଣା, କରାଣ୍ଡିଆ, ପାଇକା, ଚିତ୍ରୋପିଳା ଓ ବିରୂପା ନଦୀରେ ପାଣି ଆସିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହାର ଜଳସ୍ତର ଅଧିକ ହେବ । ଏଥିପାଇଁ ବିଭାଗୀୟ ଅଧିକାରୀ ସଜାଗ ଅଛନ୍ତି । ନଦୀ ବନ୍ଧ ଗୁଡ଼ିକର ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି । ଜିଲାପାଳ ଅମୃତ ଋତୁରାଜ କହିଛନ୍ତି ଯେ, ବନ୍ୟା ସ୍ଥିତିକୁ ନଜର ରଖାଯାଇଛି । ପାଇକା ଓ ଚିତ୍ରୋପିଳାର ଘଳିଆ ଏବେ ବନ୍ଦ ହୋଇଛି । ଦ୍ୱିପାଞ୍ଚଳରେ ଆବଶ୍ୟକ ଅନୁସାରେ ସ୍ଥାନାନ୍ତର କାର୍ଯ୍ୟ କରାଯିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଦୀବନ୍ଧ ଗୁଡ଼ିକରେ ପୋଲିସ ପଇତରା ର ବ୍ୟବସ୍ଥା ହୋଇଛି । ବନ୍ୟା ପାଇଁ ସ୍ଥାନୀୟ ଅଧିବାସୀ ଅତ୍ୟଧିକ ଭୟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଗରଦପୁର, ମାର୍ଶାଘାଈ ଓ ମହାକାପଡ଼ା ବ୍ଲକ୍‌ ଅନ୍ତର୍ଗତ ଏହି ସବୁ ନଦୀ ଉପତ୍ୟକା ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ପଦକ୍ଷେପ ନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଗାମୀ ୪୮ଘଣ୍ଟା ଯଥେଷ୍ଟ ଗୁରୂତ୍ୱପୂର୍ଣ୍ଣ ହୋଇଥିବାରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ମନ୍ତ୍ରୀ ଶ୍ରୀନାୟକ କହିଛନ୍ତି ।

Comments are closed.