କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ

ବହୁ ସ୍ଥାନରେ ଘଳିଆ ସାଙ୍ଗକୁ ନଦୀବନ୍ଧ ଟଳମଳ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାହିତ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ପାଇକା ଓ ଚିତ୍ରୋପିଳା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉଦ୍ଧ୍ୱର୍ରେ ପ୍ରବାହିତ ହେବା ଫଳରେ ନଦୀଘେର ମଧ୍ୟରେ ଥିବା ଗ୍ରାମ ଗୁଡ଼ିକରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଅନ୍ୟପକ୍ଷରେ ୧୭ଟି ସ୍ଥାନରେ ଏହି ସବୁ ନଦୀବନ୍ଧରେ ଘଳିଆ ପଡ଼ୁଥିବାରୁ ସମଗ୍ର ଉପତ୍ୟକା ଅଞ୍ଚଳରେ ବନ୍ୟା ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଜି ପାଇକା ନଦୀର ଉତ୍ତର ପାଶ୍ୱର୍ ନଦୀବନ୍ଧରେ ବଟିରା ଗ୍ରାମ ନିକଟରେ ଏକ ବଡ଼ ଧରଣର ଘଳିଆ ସୃଷ୍ଟି ହେବା ଯୋଗୁ ମାର୍ଶଘାଈ, ଗରଦପୁର ଓ ମହାକାପଡ଼ା ବ୍ଲକ୍‌ର ପ୍ରାୟ ୨୨ଟି ପଞ୍ଚାୟତର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଜଳସମ୍ପଦ ବିଭାଗ ଯନ୍ତ୍ରୀ ପଦାଧିକାରୀ, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଏହି ଘଳିଆ ବନ୍ଦ କରିବାପାଇଁ ଦିନ ତମାମ ପ୍ରୟାସ କରିବା ଫଳରେ କୌଣସି ଅଘଟଣ ଘଟନାହିଁ । ବନ୍ୟା ଜଳସ୍ତର ହାସ୍ର ପାଇବାର ଦେଖିବାକୁ ମିଳିନାହିଁ । ବରଂ ସବୁ ନଦୀ ଗୁଡ଼ିକରେ ବନ୍ୟା ସ୍ତର ବୃଦ୍ଧି ପାଉଛି । ତେବେ ଆଶ୍ୱସ୍ତିର କଥା ଯେ, ଗତ ସୋମବାର ଭଳି ବନ୍ୟାସ୍ତର ବୃଦ୍ଧି ପାଇବା ପରିବର୍ତ୍ତେ ଧିମା ହୋଇଛି । ହାଇ ଫ୍ଲଡ ଲେବୁଲକୁ ଏହି ଜଳସ୍ତର କୌଣସି ଠାରେ ଛୁଇଁ ନାହିଁ । ତଥାପି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଲୁଣା -କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗ୍ରାମ ପାଣି ଘେରରେ ରହିଛି । ଅଦ୍ୟାବଧି ଜିଲାର ୩୪ ପଞ୍ଚାୟତର ୮୬ ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଜିଲାର ୨୩୯ ପଞ୍ଚାୟତ ମଧ୍ୟରୁ ୧୩୩ ପଞ୍ଚାୟତରେ ବନ୍ୟା ଜଳ ପଶିବା ଆଶଙ୍କା କରାଯାଉଛି । ଲୁଣା ନଦୀର ଜଳବତ୍ତନ ଦାନପୁର ଠାରେ ଅପରାହ୍ନ ୨ଟା ସୁଦ୍ଧା ୩୭.୮୦ ଫୁଟ ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ହେଉଛି ୩୨.୫୫ ଫୁଟ । ସେହିପରି ଏହି ନଦୀ ମାର୍ଶାଘାଈ ଠାରେ ୨୫.୪୦ଫୁଟ୍‌ରେ ପ୍ରବାହିତ ହେଉଛି । ଏଠାରେ ୨୨ ଫୁଟ ବିପଦ ସଙ୍କେତ ସ୍ତର ରହିଛି । ବସୁପୁର ଠାରେ ୨୬.୮୫ ଫୁଟ ବିପଦ ସଙ୍କେତ ସ୍ତର ଥିବାଳେ ବନ୍ୟାଜଳ ୩୭.୮୦ ଫୁଟରେ ପ୍ରବାହିତ ହେଉଛି । ପୂବାଂଶରେ ୩୫ ଫୁଟ ବିପଦ ସଙ୍କେତ ଥିବା ବେଳେ ୪୦.୨୦ ଫୁଟରେ ଜଳ ପ୍ରବାହିତ ହେଉଛି । ଚିତ୍ରୋପିଳା ନଦୀ ପାଟକୁରାଠାରେ ଜଳସ୍ତର ବିପଦ ସଙ୍କେତ ଠାରୁ ପ୍ରାୟ ୮ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୨୧.୫୦ ଫୁଟ ଥିବା ବେଳେ ୨୮.୦୫ ଫୁଟ ଅଛି । ଏହି ସ୍ଥାନରେ ସର୍ବାଧିକ ୨୮.୫୦ ଫୁଟ ଜଳସ୍ତର ରହିଥିବା ରେକର୍ଡ ଅଛି । ଅପରପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ଅଦ୍ୟାବଧି ବିପଦ ସଙ୍କେତ ଟପିନାହିଁ । ତେବେ କେନ୍ଦ୍ରାପଡାର ଇନ୍ଦୁପୁର ଠାରେ ବିପଦ ସଙ୍କେତ ୮.୨୩ ମିଟର ଥିବା ବେଳେ ଏଠାରେ ୭.୮ ମିଟର ଅଛି । ସେହିପରି ଅଳଭା ଠାରେ ୪.୮୮ ମିଟର ଥିବାବେଳେ ଏବେ ୪.୮ ମିଟରରେ ଅଛି । ଜିଲା ଜରୁରୀକାଳୀନ ବିଭାଗ ତଥ୍ୟ ଅନୁଯାୟୀ ବୁଧବାର ସକାଳ ୮ଟା ସୁଦ୍ଧା ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡା ବ୍ଲକ ଅଞ୍ଚଳରେ ବିଭିନ୍ନ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ମୋଟ ୮୬ ପଞ୍ଚାୟତର ୮୦,୬୧୫ ଅଧିବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି । ୫୮ଟି ଗ୍ରାମକୁ ବନ୍ୟା ଜଳ ଛୁଇଁଛି । ୮୫୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୧୨ଟି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରଦାନ ସହ ଅନ୍ୟ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବିତରଣ କରାଯାଇଛି । ସେହିପରି ମୋଟ ୯,୨୦୩ଟି ଗୃହପାଳିତ ପଶୁ ବନ୍ୟା ଜଳ ଘେରରେ ଅଛନ୍ତି । ୨୧ଟି କଚ୍ଚା ଘର ଭାଙ୍ଗିଛି । ବନ୍ୟାସ୍ଥିତିର ନୀରିକ୍ଷଣ କରୁଥିବା ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି ଯେ, ବନ୍ୟା ସ୍ଥିତି ଗମ୍ଭୀର ଅଛି । ଏହାକୁ ପ୍ରଶାସନିକ ସ୍ତରରେ ମୁକାବିଲା କରାଯାଉଛି । ଏହି ବନ୍ୟାରେ ଜଣେ ହେଲେ ମୃତୁ୍ୟ ମୁଖରେ ନ ପଡିବା ପାଇଁ ସ୍ଥାନାନ୍ତରଣକୁ ଗୁରୁତ୍ୱ ଦିଆଯାଇଛି । ଗତ ମଙ୍ଗଳବାର ଠାରୁ ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଛି । ଏଥିପାଇଁ ବୋଟ, ଡଙ୍ଗା ଆଦି ଉପଯୋଗ କରାଯାଉଥିବା ବେଳେ ଓଡ୍ରାଫ, ଏନ୍‌ଡିଆରଏଫ, ଅଗ୍ନିଶମବାହିନୀ, ପୋଲିସ ଓ ସମସ୍ତ ପ୍ରଶାସନିକ ଅଧିକାରୀ ନିୟୋଜିତ ହୋଇଛନ୍ତି । ମୋଟ ୨୪୯ ପଞ୍ଚାୟତ ମଧ୍ୟରୁ ୧୩୩ଟି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ରହିଛି । ନଦୀବନ୍ଧରେ ଘଳିଆ ପଡିଥିବା ସ୍ଥାନଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଉଛି । ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଆଦି ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ବନ୍ୟା ଜଳସ୍ତର ହ ୍ରାସ ପାଇବା ସମ୍ଭାବନା ଥିବାରୁ ଜିଲାର ବନ୍ୟା ସ୍ଥିତିରେ ସୁଧାର ଆସିପାରିବ ବୋଲି ଶ୍ରୀ ସାମଲ ଆଶା ପୋଷଣ କରିଛନ୍ତି ।

Comments are closed.