‘ବିଡ଼ି ସ୍କୁଲର ଭିତ୍ତିଭୂମି ବିକାଶ କରାଯାଇ ଶୈକ୍ଷିକ ପରିବେଶ ସୃଷ୍ଟି କରାଯିବ’

ପଟ୍ଟାମୁଣ୍ଡାଇ: ବିଡ଼ି ନୋଡାଲ ସ୍କୁଲ ବିକାଶ ପାଇଁ ଅନୁଦାନ ଯୋଗାଇ ଦିଆଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୩ନଂ ୱାର୍ଡ ତନୁପୁର ଗ୍ରାମର ବିଡ଼ି ନୋଡାଲ ସ୍କୁଲର ନୂତନ ଗୃହ ଉଦଘାଟନ ଉତ୍ସବରେ ଯୋଗଦେଇ ପ୍ରକାଶ କରିଛନ୍ତି । ସିଆରସିସି ମଳୟ କୁମାର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ମନୋଜ୍ଞା ଉତ୍ସବରେ ବିଧାୟକ ଶ୍ରୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍କୁଲ ଭିତ୍ତିଭୂମି ବିକାଶ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିବାରୁ ଉତ୍ତମ ଶୈକ୍ଷିକ ପରିବେଶରେ ଉପଯୁକ୍ତ ଶିକ୍ଷାଦାନ କରାଯାଇ ଉତ୍ତମ ଛାତ୍ରଛାତ୍ରୀ ସୃଷ୍ଟି କରିବାକୁ ବିଧାୟକ ପରାମର୍ଶ ଦେବା ସହିତ ସ୍କୁଲର ବିକାଶ ପାଇଁ ନିଜସ୍ୱ ପାଣ୍ଠିରୁ ୧୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇଦେବାକୁ ଘୋଷଶଣା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ୩ନଂ ୱାର୍ଡ କାଉନସିଲର ପ୍ରତିନିଧିତଥା ବ୍ଲକ ବିଜେଡ଼ି ସଭାପତି କିଶୋର ସାହୁ, ନଗର ବିଜେଡ଼ି ସଭାପତି ବୁଢ଼ା ଲେଙ୍କା, ୪ନଂ ୱାର୍ଡ କାଉନସିଲର ପ୍ରତିନିଧି ହୃଷିକେଶ ମଲିକ, ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଅଦୈତ ପ୍ରସାଦ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ବିଜେଡ଼ି ଡିଜିଟାଲ ସମ୍ପାଦିକା ପୁଷ୍ପାଞ୍ଜଳି ପାତ୍ର ଅତିଥିଙ୍କୁ ଉପଭୋଜନ ପ୍ରଦାନ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ପ୍ରାକ୍ତନ ପୌର ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ପୂର୍ବତନ କାଉନସିଲର ହରିଶ୍ଚନ୍ଦ୍ର ତରାଇ, ଶରତ ମାଝୀ, ଯୁବନେତା ରଞ୍ଜିତ ନାୟକ, ଶଭ୍‌କର ନାୟକ, ଶୁଭକାନ୍ତ ତରାଇ, ପ୍ରମୋଦ ପାତ୍ର, ଯୁଗଳ ବେହେରା, ରମାକାନ୍ତ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍କୁଲ ଓ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯୁଗଳ କିଶୋର ବେହେରା ଧନ୍ୟବାଦ ଦେଇଥିଲେ ।

Comments are closed.