ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ତରଭା : ‌ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ।ସଭା ପ୍ରାରମ୍ଭରେ ଗଙ୍ଗାଧର ମେହେରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପରେ ଗଙ୍ଗାଧରୀୟ ସାହିତ୍ୟକୁ ନେଇ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଏକାଡେମୀ ସମ୍ପାଦକ ରାଜେନ୍ଦ୍ର ଝାଙ୍କର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଜନ୍ମଭୂମି ବରପାଲିସ୍ଥିତ କବି ସ୍ମୃତି ସଦନଠାରେ ଗଙ୍ଗାଧରଙ୍କ ଚିଠିପତ୍ର, ଗ୍ରନ୍ଥାବଳୀ, ପାଣ୍ଡୁଲିପି, ତାଙ୍କ ବ୍ୟବହୃତ କୋଟ,ଖଟ, ଗ୍ଲାସ୍,ଥାଳି,କଲମ,ଦୁଆତ ସମେତ ଅନେକ ସାମଗ୍ରୀର ରକ୍ଷଣାବେକ୍ଷଣ କରି ସରକାରୀ ସ୍ତରରେ ମେହେର ସଂଗ୍ରହାଳୟ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନିଆଯିବାର ସମୟ ଉପନୀତ।କବିଙ୍କ ଜନ୍ମଭୂମି – କର୍ମଭୂମି ଅଞ୍ଚଳକୁ ଗଙ୍ଗାଧର ତୀର୍ଥକ୍ଷେତ୍ରଭାବେ ରାଜ୍ୟ ସରକାର ଘୋଷଣା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।

ସେହିପରି ଦ୍ବିତୀୟ ଅଧିବେଶନରେ ଆୟୋଜିତ କୋସଲୀ କବିତା ଆସରରେ କବି ଲୋକନାଥ ଦଳବେହେରା ଅଧ୍ୟକ୍ଷତା କରିଥିବାବେଳେ ଯୁବକବି ହିରଣ୍ମୟ ପଟ୍ଟନାୟକ ଓ ସଞ୍ଜୀବ ସେଠି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡେ଼ାଶୀ ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ତିରିଶରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କବିତାମାନ ପାଠ କରିଥିଲେ।ଏହି ସାରସ୍ବତ କାର୍ଯ୍ୟକ୍ରମରେ ରୋଶନ ସାହୁ, ବାବୁଲା ପଣ୍ଡା, ରାଜେଶ ଦଣ୍ଡସେନା, ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ ଓ କପିଳାସ ସେଠ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସଙ୍ଗେସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.