ଚଣ୍ଡିଖୋଲ ହାଇସ୍କୁଲରେ ଗଳ୍ପକଥନ ପ୍ରତିଯୋଗିତା

 

ଚଣ୍ଡିଖୋଲ: ଗତ 18.08.2023 ତାରିଖରେ ଭୁବନେଶ୍ୱରସ୍ଥ ଓଡିଶା ଷ୍ଟୋରୀଟେଲିଙ୍ଗ ସୋସାଇଟି ଓ ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଗଳ୍ପକଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦେବପ୍ରସାଦ ମଲ୍ଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡିଶା ଷ୍ଟୋରୀଟେଲିଙ୍ଗ ସୋସାଇଟିର ପ୍ରତିଷ୍ଠାତା ଡକ୍ଟର ମନୀନ୍ଦ୍ର ନାରାୟଣ ନାୟକ ଯୋଗଦେଇ ଗଳ୍ପ ପଠନ, ଗଳ୍ପ ଶ୍ରବଣ ଏବଂ ଗଳ୍ପ କଥନ କିପରି ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ସ୍ତରକୁ ରୁଦ୍ଧିମନ୍ତ କରିଥାଏ ତାହାର ଅବତାରଣା କରିଥିଲେ l ଏହି ବିଦ୍ୟାଳୟର ଛାତ୍ର ଥିବା ଡକ୍ଟର ନାୟକ ସେ ସମୟର ଛାତ୍ର-ଶିକ୍ଷକ ପରମ୍ପରା, ଛାତ୍ରଛାତ୍ରୀଙ୍କ ଶିକ୍ଷକଙ୍କ ପ୍ରତି ସମ୍ମାନବୋଧ, ଶିକ୍ଷକଙ୍କ ସ୍ନେହଶ୍ରଦ୍ଧା ଓ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ଦିଗରେ ଥିବା ଅଙ୍ଗିକାରବଦ୍ଧତା ସମ୍ପର୍କରେ ନିଜର ଅନୁଭୂତି କହିଥିଲେ l ଓଡିଶା ଷ୍ଟୋରୀଟେଲିଙ୍ଗ ସୋସାଇଟି ରାଜ୍ୟର ବିଭିନ୍ନ ଅଂଚଳରେ ଏହିପରି ପ୍ରତିଯୋଗିତାମାନ ଅନୁଷ୍ଠିତ କରାଇ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ କରିବାରେ ଉଦ୍ୟମରତ ବୋଲି ସେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଗଳ୍ପ ସାହିତ୍ୟ ଉପରେ ଉଚ୍ଚତର ଗବେଷଣା କରିଥିବା ଡକ୍ଟର ସସ୍ମିତା ମହାନ୍ତି ଗଳ୍ପର ଲକ୍ଷଣ ଓ ଗଳ୍ପ କଥନ ଶୈଳୀ ଉପରେ ଆଲୋକପାତ କରିଥିଲେ l ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଗଳ୍ପ ପୁସ୍ତକ ପ୍ରଦାନ କରାଯାଇଥିଲା l ଏହି ଅବସରରେ ଡକ୍ଟର ନାୟକ ବିଦ୍ୟାଳୟର ପାଠାଗାର ନିମନ୍ତେ କିଛି ପୁସ୍ତକ ପ୍ରଦାନ କରିଥିଲେ l

Comments are closed.