କାର୍ତ୍ତିକ ସରିଲା: ମହାପ୍ରସାଦ ଶୋଷଣ କମିଲାନି

ପୁରୀ : ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲା, କିନ୍ତୁ ମହାପ୍ରସାଦ ଦର ନିୟନ୍ତ୍ରଣ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରତିଦିନ ଭକ୍ତମାନେ ମହାପ୍ରସାଦ କିଣି ଶୋଷଣ ଶିକାର ହେଉଛନ୍ତି। କିଛି ଦଲାଲ ଏଭଳି ଶୋଷଣର ମାର୍ଗ ପ୍ରଶସ୍ତ କରି ଚାଲିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିଆଣି ଦୁଇଗୁଣା ଦରରେ ବାହାରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ଦୈନିକ ଏହାକୁ ନେଇ ଭକ୍ତ ମହଲ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଏ ଦିଗରେ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଆଜି ସୁଆର ମହାସୁଆର ନିଯୋଗ ଏହା ବିରୋଧରେ ମୁହଁ ଖୋଲିଛି। ଏହି ଶୋଷଣ ପାଇଁ ଉତ୍ତର ଦ୍ବାର ବନ୍ଦକୁ ଦାୟୀ କରାଯାଇଥିବା ବେଳେ ଯେଉଁ ଦଲାଲମାନେ ଏଭଳି କାର୍ଯ୍ୟ କରୁଛନ୍ତି,ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଧର୍ମମାସ କାର୍ତ୍ତିକରେ ଭକ୍ତମାନେ ମହାପ୍ରସାଦ ଖାଇବାକୁ ଆନନ୍ଦବଜାରରେ ପ୍ରତିବର୍ଷ ଭିଡ଼ ଲଗାଇଥାନ୍ତି। ଶ୍ରୀକ୍ଷେତ୍ରରେ ପ୍ରତି ଘରେ କାର୍ତ୍ତିକ ମାସରେ ମହାପ୍ରସାଦ ଖାଇବାର ପରମ୍ପରା ରହିଛି। କେବଳ ଶ୍ରୀକ୍ଷେତ୍ର ନୁହେଁ, ରାଜ୍ୟ ବାହାରୁ ବି ହଜାର ହଜାର ଭକ୍ତ ଦୈନିକ ମହାପ୍ରସାଦ କିଣି ନେଉଥିଲେ। କିନ୍ତୁ ବିଗତ କିଛି ବର୍ଷ ହେବ, ଭକ୍ତଙ୍କ ଏହି ଭକ୍ତିଭାବରେ କଣ୍ଟା ଭଳି ଛିଡ଼ା ହୋଇଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। ଭକ୍ତମାନେ ଅଭିଯୋଗ କରିଛନ୍ତି, ପୂର୍ବରୁ ଶ୍ରୀମନ୍ଦିର ଚାରିଦ୍ବାରରୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଥିଲା। ଏଣୁ ଯେଉଁ ଭକ୍ତମାନେ କେବଳ ମହାପ୍ରସାଦ ପାଇଁ ଯାଉଥିଲେ, ସେମାନେ ସିଂହଦ୍ବାର ଧାଡ଼ିରେ ନ ଯାଇ ଉତ୍ତରଦ୍ବାର ଅବା ଅନ୍ୟ ଦ୍ବାରରେ ପ୍ରବେଶ କରି ସୁବିଧାରେ ମହାପ୍ରସାଦ ଆଣି ପାରୁଥିଲେ। ଯେହେତୁ ଆନନ୍ଦବଜାର ଉତ୍ତରଦ୍ବାର ପାର୍ଶ୍ବକୁ ରହିଛି, ଅଧିକାଂଶ ଭକ୍ତ ଉତ୍ତରଦ୍ବାର ଦେଇ ଆନନ୍ଦବଜାରରୁ ମହାପ୍ରସାଦ କିଣି ଫେରି ଆସୁଥିଲେ। କିନ୍ତୁ ବିଗତ କିଛି ବର୍ଷ ଚାରିଦ୍ବାରରେ ପ୍ରବେଶରେ କଟକଣା ଲଗାଯାଇଛି। ଯେଉଁଥିପାଇଁ ଭକ୍ତମାନେ ମହାପ୍ରସାଦ କିଣିବା ବେଳେ ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଯେଉଁ ମହାପ୍ରସାଦ ଅଢ଼େଇ ଶହ ଟଙ୍କାରେ କିଣିବା କଥା, ତାକୁ ୫ଶହରୁ ୭ଶହ ଟଙ୍କାରେ ଦଲାଲଙ୍କଠାରୁ କିଣୁଛନ୍ତି। ସେପଟେ ଦଲାଲଙ୍କ ସହ ଉତ୍ତରଦ୍ବାରରେ ଥିବା ଜେଟିପି ଓ ଅନ୍ୟମାନେ ବି ହାତ ମିଳାଇଛନ୍ତି। ପରିଚୟପତ୍ର ନ ଥାଇ ବି ଏମାନଙ୍କୁ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଏ ସଂପର୍କରେ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଭକ୍ତମାନଙ୍କ ଅଭିଯୋଗରେ ସତ୍ୟତା ରହିଛି। କାରଣ ଉତ୍ତରଦ୍ବାର ବନ୍ଦ ରହିବାରୁ ଯେଉଁ ଭକ୍ତମାନେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି, ସେମାନେ ସିଂହଦ୍ବାର ଭିଡ଼ରେ ନ ପଶି ଉତ୍ତରଦ୍ବାରରୁ ସହଜରେ ମହାପ୍ରସାଦ ନେବାକୁ ଅଧିକ ପ୍ରଧାନ୍ୟ ଦେଉଛନ୍ତି। କିନ୍ତୁ ଉତ୍ତରଦ୍ବାର ଦେଇ ସାଧାରଣଙ୍କ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ଯେଉଁ ଦଲାଲମାନେ ଏଠାରେ ଛିଡ଼ା ହେଉଛନ୍ତି, ବାଧ୍ୟ ହୋଇ ସେମାନଙ୍କ ସହାୟତା ନେଉଛନ୍ତି ଓ ଅଧିକ ଟଙ୍କା ଦେଇ ମହାପ୍ରସାଦ କିଣୁଛନ୍ତି। ଏହି ଦଲାଲମାନେ ଆନନ୍ଦବଜାରକୁ ଭକ୍ତ ଭଳି ଆସି ମହାପ୍ରସାଦ କିଣୁଛନ୍ତି। କିନ୍ତୁ ଭକ୍ତଙ୍କୁ ବିକ୍ରି ବେଳେ ଯେଉଁ ଦରରେ କିଣୁଛନ୍ତି, ତା’ଠାରୁ ଅଧିକ ଦରରେ ବିକ୍ରି କରୁଛନ୍ତି। ଏହା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆମେ ବି ଉତ୍ତରଦ୍ବାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି କରି ଆସୁଛୁ। ଦର୍ଶନ ପାଇଁ ନ‌ ହେଲେ ବି ଉତ୍ତରଦ୍ବାର ଦେଇ ପ୍ରବେଶ କରି ଆନନ୍ଦବଜାରରୁ ମହାପ୍ରସାଦ କିଣିବାକୁ ବ୍ୟବସ୍ଥା କରିବାକୁ ଦାବି କରି ଆସୁଛୁ। ନଚେତ୍‌ ସୁଆର ମହାସୁଆର ନିଯୋଗକୁ ଉତ୍ତରଦ୍ବାରରେ ଏକ କାଉଣ୍ଟର ଖୋଲିବାକୁ ଅନୁମତି ଦେବାକୁ ଦାବି କରି ଆସୁଛୁ। ଯଦ୍ବାରା ଭକ୍ତମାନେ ମହାପ୍ରସାଦ ସୁବିଧାରେ ପାଇପାରିବେ ଓ ଶୋ‌ଷଣମୁକ୍ତ ପରିବେଶ ସୃଷ୍ଟ ହେବ।

ଅନ୍ୟପଟେ ମହାପ୍ରସାଦ ଶୋଷଣ ନେଇ ଭକ୍ତ ମହଲ ଅସନ୍ତୋଷ ବ୍ୟକ୍ତ କରିବା ପରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି। ଆନନ୍ଦବଜାର ଶୋଷଣ ଉପରେ ନଜର ରଖିବା ପାଇଁ ନିଯୋଗ ତରଫରୁ ଖୁବଶୀଘ୍ର ୧୦ଜଣିଆ ସ୍କ୍ବାଡ୍‌ ଗଠନ କରାଯିବ। ଏଥିରେ ନିଯୋଗର ବରିଷ୍ଠ ସଦସ୍ୟମାନେ ରହିବେ। ଏମାନେ ଆନନ୍ଦବଜାର ଶୃଙ୍ଖଳା ଦାୟିତ୍ବ ବୁଝିବେ। ଯଦି କେହି ଭକ୍ତଙ୍କଠାରୁ ଅଧିକ ଦର ନେଉଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ନିଆଯିବ। ଆବଶ୍ୟକ ପଡ଼ିଲେ, ଥାନାରେ ଦିଆଯିବ ବୋଲି ଶ୍ରୀ ମହାସୁଆର କହିଛନ୍ତି।

Comments are closed.