ବ୍ରହ୍ମପୁର,୨୪/୧୧(ଡ.କୁମୁଦ ଚନ୍ଦ୍ର ବେହେରା):ମାସକର ଧାର୍ମିକ ନିଷ୍ଠା, ଆଧ୍ୟାତ୍ମିକ ଭାବନା ଓ ନିରାମିଷ ଆହାରର ପରମ୍ପରା ପରେ ଆସିଛି ବହୁ ପ୍ରତୀକ୍ଷିତ ଛାଡ଼ଖାଇ। କାର୍ତ୍ତିକ ମାସର ବିଦାୟ ସହ ଆମିଷପ୍ରେମୀଙ୍କ ମନରେ ଭରିଛି ନୂଆ ଉତ୍ସାହ। ଏହାର ପ୍ରଭାବ ବ୍ରହ୍ମପୁର ସହରର ଆମିଷ ବଜାରରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ବିଭିନ୍ନ ମାଛ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ମାଛ ଓ ଚିଙ୍କୁଡ଼ି କିଣିବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ପ୍ରବଳ ଆଗ୍ରହ। ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ କାର୍ତ୍ତିକ ମାସର ରହିଛି ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ। ଏହି ମାସକୁ ଧର୍ମ, ସଂଯମ ଓ ଆଧ୍ୟାତ୍ମିକ ସାଧନାର ମାସ ଭାବେ ଗ୍ରହଣ କରାଯାଏ। ଅନେକ ଲୋକ ଏହି ମାସରେ ମାଛ, ମାଂସ, ଅଣ୍ଡା ଆଦି ଆମିଷ ଖାଦ୍ୟ ତ୍ୟାଗ କରି ନିରାମିଷ ଭୋଜନ କରିଥାନ୍ତି। ବିଶେଷକରି ପଞ୍ଚୁକର ପାଞ୍ଚଦିନ ଧାର୍ମିକ ରୀତିନୀତି ଓ ନିଷ୍ଠାର ସହ ପାଳନ କରାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ବୋଇତ ବନ୍ଦାଣ ସହ ବିଭିନ୍ନ ପାରମ୍ପରିକ ରୀତିନୀତି ସମ୍ପନ୍ନ ହେବା ପରେ ଆସିଥାଏ ଛାଡ଼ଖାଇ। ଏହି ଦିନକୁ ଆମିଷପ୍ରେମୀମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି।ଛାଡ଼ଖାଇର ନାଁ ଶୁଣିଲେ ଓଡ଼ିଆଙ୍କ ମନରେ ଆମିଷ ଖାଦ୍ୟର ସ୍ୱାଦ ଓ ଆନନ୍ଦର ଚିତ୍ର ଭାସିଉଠେ। ମାଛ ଝୋଳ, ମାଛ ଭଜା, ଚିଙ୍କୁଡ଼ି ବେସର, କଙ୍କଡ଼ା ଝୋଳ, ଚିକେନ୍ ଓ ମଟନ୍ ଭଳି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନକୁ ନେଇ ଘରେ ଘରେ ଜମିଥାଏ ଭୋଜିଭାତର ଆସର। ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କ ସହ ଏହି ଦିନଟିକୁ ଉପଭୋଗ କରିବାର ଆନନ୍ଦ ମଧ୍ୟ ନିଆରା। ଅନ୍ୟପକ୍ଷରେ, ଛାଡ଼ଖାଇକୁ ଆଖିରେ ରଖି ମାଛ ବ୍ୟବସାୟୀମାନେ ମଧ୍ୟ ପୂର୍ବରୁ ପ୍ରସ୍ତୁତି କରିଥିଲେ। ଗ୍ରାହକଙ୍କ ଚାହିଦା ଅନୁଯାୟୀ ବଜାରକୁ ବିଭିନ୍ନ ପ୍ରଜାତିର ମାଛ ଓ ଚିଙ୍କୁଡ଼ି ଆସିଥିଲା। ନିଜ ପସନ୍ଦର ମାଛ କିଣିବା ପାଇଁ ଗ୍ରାହକମାନେ ଦୋକାନରୁ ଦୋକାନ ବୁଲୁଥିବା ବେଳେ ବଜାରରେ ଦେଖିବାକୁ ମିଳିଥିଲା ଚଳଚଞ୍ଚଳ ପରିବେଶ। ଦୀର୍ଘଦିନ ପରେ ଏଭଳି ଗ୍ରାହକଙ୍କ ଭିଡ଼ ଓ ଚାହିଦା ଦେଖି ବ୍ୟବସାୟୀମାନେ ମଧ୍ୟ ଭଲ ବ୍ୟବସାୟର ଆଶା ବାନ୍ଧିଛନ୍ତି। ପରମ୍ପରା ଓ ଖାଦ୍ୟ ସଂସ୍କୃତିର ଏହି ନିଆରା ସମନ୍ୱୟ ହିଁ ଛାଡ଼ଖାଇକୁ ଓଡ଼ିଆ ଜନଜୀବନରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ମାସକର ସଂଯମ ପରେ ଆମିଷର ସ୍ୱାଦ ଚାଖିବାର ଉତ୍ସାହ ଏବଂ ବଜାରରେ ଗ୍ରାହକଙ୍କ ଆଗମନ ଛାଡ଼ଖାଇର ଆନନ୍ଦକୁ ଦ୍ୱିଗୁଣିତ କରିଛି। ଫଳରେ କାର୍ତ୍ତିକର ଅବସାନ ସହ ବ୍ରହ୍ମପୁରର ଆମିଷ ବଜାରରେ ଫେରିଛି ନୂଆ ଚଳଚଞ୍ଚଳତା।
Sign in
Sign in
Recover your password.
A password will be e-mailed to you.