ଉଦଯାପିତ ହେଲା ୧୫ତମ ଛତୁଆ ବୋଇତ ବନ୍ଦାଣ ଉତ୍ସବ

•ବୋଇତ ଭସାଣି ଓ ବାଲିଯାତ୍ରା ଆମ ସଂସ୍କୃତିର ପ୍ରତୀକ: କହିଲେ ଅତିଥି

ବାଲେଶ୍ୱର, ୨୫ ନଭେମ୍ବର (କୃଷ୍ଣ କୁମାର ମହାନ୍ତି): ଛତୁଆ ବୋଇତ ବନ୍ଦାଣ ଉତ୍ସବ କମିଟି ପକ୍ଷରୁ ସ୍ଥାନୀୟ ଛତୁଆ ପୋଖରୀ ନିକଟ ପଡ଼ିଆରେ ଆୟୋଜିତ ୧୫ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ କମିଟି ସଭାପତି ମନୋଜ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ।
ସଭାରେ ଅତିଥି ଭାବେ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ, ବିଜେଡି ନେତା ପ୍ରଭାତ ବିଶ୍ୱାଳ, ଶିକ୍ଷାବିତ୍ ସୁମନ୍ତ ସାହୁ ଓ କବି ପ୍ରଶାନ୍ତ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଭସାଣି ଓ ବାଲିଯାତ୍ରା ଓଡ଼ିଆ ସଂସ୍କୃତିର ଅନନ୍ୟ ପ୍ରତୀକ। ଏହି ପାରମ୍ପରିକ ଉତ୍ସବକୁ ଆଧୁନିକ ଅର୍ଥନୀତି ସହ ଯୋଡ଼ିବା ଏବଂ ଏହାର ଐତିହାସିକ ଗୁରୁତ୍ୱକୁ ସମକାଳୀନ ପରିପ୍ରେକ୍ଷୀରେ ଉପଯୋଗ କରିବା ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଉତ୍ସବ ଅବସରରେ ରଙ୍ଗୋଲି ଓ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଏକ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରାଣବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କମିଟିର କର୍ମକର୍ତ୍ତା ଭାସ୍କର ଜେନା, ରବୀନ୍ଦ୍ର ସାହାଣୀ, ବିଜୟ ନାୟକ, ଭବେନ୍ଦ୍ର ନାରାୟଣ ପଣ୍ଡା, ବିଶ୍ୱନାଥ ସେନ, ରମାକାନ୍ତ ମହାନ୍ତି, ଦୁର୍ଗାମାଧବ ମହାପାତ୍ର, ଘନଶ୍ୟାମ ବେହେରା, ରାଜବୀର ନାୟକ, ହରିଶ ଚନ୍ଦ୍ର ବେହେରା, ଆଦିତ୍ୟ ବେହେରା, ବିକାଶ ନାୟକ, ବିଶ୍ୱଜିତ ନାୟକ, ଗୌରବ ବେହେରା, ଗିରିଜା ଶଙ୍କର ନାୟକ ଓ କରୁଣାକର ବିଶ୍ୱାଳ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.