ବିଭାଗୀୟ ଆଶ୍ୱାସନା ସତ୍ତ୍ୱେ ମିଳିଲାନି ବକେୟା ଭତ୍ତା!

ଭତ୍ତା ଆଶାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଲେ ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବା ହିତାଧିକାରୀ ।

0

ଗଜପତି, ୨୫|୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) : ସରକାରୀ ନିର୍ଦ୍ଦେଶ ଓ ବିଭାଗୀୟ ଆଶ୍ୱାସନା ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକରେ ଭତ୍ତା ହିତାଧିକାରୀଙ୍କୁ ନିରାଶାର ସମ୍ମୁଖୀନ ହେବାକୁ ପଡ଼ିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୧୨୦୪୫, ତା ୨୩.୧୧.୨୦୨୬ ରିଖରେ ବିଭାଗୀୟ ନିର୍ଦ୍ଦେଶିକା ପାରୁଲ ପାଟୱାରୀ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବିଡ଼ିଓ ମାନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି ଯେ, ଚଳିତ ନଭେମ୍ବର ୨୫ ତାରିଖରେ ଦୁଇ ମାସର ବକେୟା ଭତ୍ତା ପଞ୍ଚାୟତ କାର୍ଯ୍ୟାଳୟ ମାଧ୍ୟମରେ ବଣ୍ଟନ କରାଯିବ। ଏଥିସହ ହିତାଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅଂଶଧନ ନଗଦ ଆକାରରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଛି ଏବଂ କେନ୍ଦ୍ର ସରକାରଙ୍କ ଅଂଶଧନ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦିଆଯିବ। କିନ୍ତୁ ବିଭାଗୀୟ ପତ୍ରରେ ଉଲ୍ଲେଖିତ ଆଶ୍ୱାସନାକୁ ଭରସା କରି ନୂଆଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତର ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ମହିଳାମାନେ ଭତ୍ତା ପାଇବା ଆଶାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ମାତ୍ର ସେଠାରେ ଭତ୍ତା ଟଙ୍କା ବଣ୍ଟନ ହୋଇନଥିବାରୁ ସେମାନଙ୍କୁ ନିରାଶ ହୋଇ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି, ଯେତେବେଳେ ବିଭାଗୀୟ ସ୍ତରରୁ ତାରିଖ ନିର୍ଦ୍ଧାରଣ କରି ସମ୍ପୃକ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଆଗୁଆ ଅବଗତ କରାଯାଇଥିଲା, ସେତେବେଳେ ନୂଆଗଡ଼ ବ୍ଲକରେ ଭତ୍ତା ବଣ୍ଟନ କାହିଁକି ସୁନିଶ୍ଚିତ ହୋଇପାରିଲା ନାହିଁ? ଆବଶ୍ୟକ ଅର୍ଥ ଉପଲବ୍ଧ ନଥିଲା କି? ନା ତୃଣମୂଳସ୍ତରରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ସମନ୍ୱୟର ଅଭାବ ରହିଥିଲା? ଏହାର ସ୍ପଷ୍ଟୀକରଣ ଆବଶ୍ୟକ। ସାମାଜିକ ସୁରକ୍ଷା ଭତ୍ତା କୌଣସି ଅନୁଗ୍ରହ ନୁହେଁ; ଏହା ଆର୍ଥିକ ଓ ସାମାଜିକ ଭାବେ ଅସହାୟ ହିତାଧିକାରୀଙ୍କ ଜୀବନଧାରଣର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର। ବିଶେଷକରି ବୃଦ୍ଧ, ଦିବ୍ୟାଙ୍ଗ ଓ ବିଧବା ମହିଳାଙ୍କ ପାଇଁ ଏହି ଅର୍ଥର ମୂଲ୍ୟ ଅତ୍ୟନ୍ତ ଅଧିକ। ତେଣୁ ବିଭାଗୀୟ ଆଶ୍ୱାସନା କେବଳ କାଗଜପତ୍ରରେ ସୀମିତ ନରହି ତାହାର ବାସ୍ତବ କାର୍ଯ୍ୟକାରିତା ସୁନିଶ୍ଚିତ ହେବା ଆବଶ୍ୟକ। ଏହି ପରିସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଥ୍ୟଭିତ୍ତିକ ଅନୁଧ୍ୟାନ କରି ଭତ୍ତା ବଣ୍ଟନରେ ବିଳମ୍ବର କାରଣ ସ୍ପଷ୍ଟ କରିବା ସହ ବକେୟା ଭତ୍ତା ତୁରନ୍ତ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ସରକାରୀ ଘୋଷଣା ଓ ହିତାଧିକାରୀଙ୍କ ପ୍ରାପ୍ୟ ମଧ୍ୟରେ ଦୂରତା ରହିବା ଉଚିତ ନୁହେଁ। ଶେଷରେ ପ୍ରଶ୍ନ ଗୋଟିଏ ବିଭାଗର ଆଶ୍ୱାସନା କେବେ ବାସ୍ତବରେ ପରିଣତ ହେବ?

Leave A Reply

Your email address will not be published.