ଯାଜପୁରରେ କ୍ଷେତ ପୋଖରୀ ଯୋଜନା ବିଫଳ

୫ବର୍ଷରେ ୧୦ହଜାର ଲକ୍ଷ୍ୟ: ଅଢ଼େଇ ବ‌ର୍ଷରେ ୯୩୮

ଯାଜପୁର: ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଜଳ ବିଭାଜିକା ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କ୍ଷେତ ପୋଖରୀ ଯୋଜନା କରାଯାଇଥିଲା। ୨୦୧୯-୨୦ରୁ ୨୦୨୩-୨୪ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ସେ ମଧ୍ୟରୁ ଏହି ୫ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାର ଭାଗ ରହିଛି ୧୦ ହଜାର ପୋଖରୀ ଖନନ। ହେଲେ ଅଢ଼େଇ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରେ ଖନନ ହୋଇଛି ୯୩୮ଟି କ୍ଷେତ ପୋଖରୀ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଧାର୍ଯ୍ୟଲକ୍ଷ୍ୟ ହାସଲ ଅସମ୍ଭବ ଭଳି ମନେହେଉଛି।

ଜିଲ୍ଲାରେ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ କ୍ଷେତ ପୋଖରୀ ଯୋଜନା ୨୦୧୯-୨୦ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିଲା। ଏହା ୨୦୨୩ -୨୪ ପର୍ଯ୍ୟନ୍ତ ଚାଲିବ । ଯାଜପୁର ଜିଲ୍ଲାରେ ଏବେ ସୁଦ୍ଧା ୯୩୮ଟି ପୋଖରୀ ଖୋଳାଯାଇଛି। ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସୁକିନ୍ଦା ବ୍ଲକରେ ୭୭ଟି, ବଡ଼ଚଣା ବ୍ଲକରେ ୮୪ ଟି ଓ ଧର୍ମଶାଳା ବ୍ଲକରେ ୧୬୯ଟି କ୍ଷେତ ପୋଖରୀ ଖୋଳାଯାଇଛି। ସେହିପରି କୋରେଇ ବ୍ଲକରେ ୨୦୯ଟି, ଦାନଗଦିରେ ୪୬ ଟି ଓ ରସୁଲପୁରରେ ୨୭ଟି, ବିଞ୍ଝାରପୁରରେ ୮୧ଟି , ବରୀରେ ୫୮ଟି, ଦଶରଥପୁରରେ ୧୧୮ଟି ଓ ଯାଜପୁରରେ ୬୯ ଟି କ୍ଷେତ ପୋଖରୀ ଖୋଳା ଯାଇଛି। ଚାଷୀଙ୍କୁ ସ୍ବାବଲମ୍ବୀ ଏବଂ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ନରେଗା ଯୋଜନାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି।ହେଲେ ଅଧିକାଂଶ ସ୍ଥାନରେ ଶ୍ରମିକବଦଳରେ ମେସିନ ଦ୍ବାରା ଖୋଳା ଯାଉଥିବ‌ାର ଅଭିଯୋଗ ହେଉଛି।

ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଜମି ନିକଟରେ ପୋଖରୀ ଖୋଳିବା ଏହି ଯୋଜନାର ଲକ୍ଷ୍ୟ । ମାତ୍ର ୩ଫୁଟ ଗଭୀର ପୋଖରୀ ‌ଖୋଳିବା ପାଇଁ ବ୍ୟବସ୍ଥା ରହିଛି। ଏଥିରେ ମାଛ, ବତକ, କୁକୁଡା ଚାଷ ସହିତ ତୈଳବୀଜ ଫସଲ, ଡାଲି ଜାତୀୟ ଫସଲ , କଦଳୀ ଚାଷ ପୋଖରୀ ହୁଡାରେ କରି ଉତ୍ତମ ଆୟ କରିପାରିବେ ବୋଲି ଲକ୍ଷ୍ୟ ରହିଛି। ୩ଫୁଟ ଗଭୀର ପୋଖରୀରେ କେତେ ପାଣି ରହିବ ବୋଲି ପ୍ରଶ୍ନହେ ହେଉଛି। ସେହିପରି ମନରେଗା ମଜୁରି ବ୍ୟବସ୍ଥାରେ ଜବକାର୍ଡ଼ଧାରୀ କାମ କରିବାକୁ ନାରାଜ। ଏପରିକି ମାସ ମାସ ବିତିଯାଉଥିବା ବେଳେ ଜବକାର୍ଡ଼ଧାରୀଙ୍କର ମଜୁରି ପ୍ରଦାନ କରାଯାଉନାହିଁ। ଏହାର ସୁଯୋଗ ନେଇ ମଧ୍ୟ କେତେକ ଅସାଧୁ କର୍ମଚାରୀ ହିତାଧିକାରୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଫଳରେ ଏହି କାର୍ଯ୍ୟକ୍ରମ ଠିକାଦାର ଭିତ୍ତିକ ହେବାରେ ଲାଗିଛି।

ଯୋଜନାର ବିଫଳତା ସମ୍ପର୍କରେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶ ନାରାୟଣ ପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ କ୍ଷେତ ପୋଖରୀ ପାଇଁ ହିତାଧିକାରୀଙ୍କ ଇଚ୍ଛା ପ୍ରକାଶ କରୁନଥିବା ବେଳେ କର୍ମଚାରୀଙ୍କ ‌ଘୋର ଅଭାବ ରହିଛି। ଅନୁଦାନ ମଧ୍ୟ ଠିକ୍ ସମୟରେ ଆସୁନଥିବାରୁ ହିତାଧିକାରୀ ଓ ଜବକାର୍ଡ଼ଧାରୀ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଅଦିନିଆ ବର୍ଷା ମଧ୍ୟ ଯୋଜନା କାର୍ଯ୍ୟକାରୀରେ ଘୋର ବାଧା ସୃଷ୍ଟି କରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

Comments are closed.