ଚୌଦ୍ୱାର ରୂପଯାତ୍ରାର ନିଆରା ପରଂପରା, ‘ସୁଲତାନନଗର’ରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ

ଚୌଦ୍ୱାର: କଟକ ଏବଂ କଟକ ଉପକଣ୍ଠ ଚୌଦ୍ବାରର ଭାଇଚାରା ପରଂପରା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି। କଟକର ଐତିହାସିକ ଦଶହରା ପୂଜା ଆୟୋଜନରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ପ୍ରମୁଖ ଅବଦାନ ରହି ଆସିଥିବା ବେଳେ ଚୌଦ୍ବାର ରୂପଯାତ୍ରାରେ ସୁଲତାନ ନଗରର ଗଜଲକ୍ଷ୍ମୀ ମେଢ ଭାଇଚାରା ପରଂପରାର ବଳିଷ୍ଠ ଉଦାହରଣ ପାଲଟିଛି। ଚୌଦ୍ବାର ପୌର ପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ସୁଲତାନ ନଗରରେ ୮ରୁ ୧୦ ପରିବାର ହିନ୍ଦୁ ହୋଇଥିବା ବେଳେ ପ୍ରାୟ ୩୫ ପରିବାର ହେଉଛନ୍ତି ମୁସଲମାନ ସଂପ୍ରଦାୟର। କିନ୍ତୁ ଦୀର୍ଘ ୫ ବର୍ଷ ହେବ ଏହି ସାହିରେ ଉଭୟ ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ମା’ ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରି ପୂଜା କରି ଆସୁଛନ୍ତି। ଚଳିତ ବର୍ଷ ଏହି ମେଢ଼ ୪୨ ନିର୍ଦ୍ଧାରିତ ବ୍ୟବସ୍ଥା ଆଧାରରେ ୪୨ ନମ୍ବର ମେଢ଼ ଭାବେ ସାମିଲ ହେବେ ବୋଲି ଏହାର ସଭାପତି ପ୍ରଫୁଲ୍ଲ ଦଳାଇ ଓ ସଂପାଦକ ଏସ୍.କେ. ଜମିଲ ଅକ୍ତର ପ୍ରକାଶ କରିଛନ୍ତି।

ପୂଜା କମିଟିର କର୍ମକର୍ତ୍ତା ଭାବେ ଉପ ସଭାପତି ଏସ୍.କେ. ସଫିକ୍, କୋଷାଧ୍ୟକ୍ଷ ଗଗନ ସାହୁ, ସଦସ୍ୟ ସନ୍ତୋଷ ଦଳାଇ, ଏସ୍‌ କେ ଇଜିରିସ୍, ଏସ୍‌ କେ ଆସିଫ୍, ଏସ୍‌ କେ ଅକିଲ, ଏସ୍‌ କେ ଅସଲମ୍, ଏସ୍‌ କେ କମାଲୁଦ୍ଦିନ୍, ଏସ୍‌ କେ ରଫିକ୍, ଏସ୍‌ କେ ସାହିଦ୍, ଇମ୍ରାନ୍ ସାହା ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି। ସୁଲତାନ୍ ନଗରର ଏଭଳି ଭାଇଚାରା ସମ୍ପର୍କ ଓ ଐକ୍ୟ ମନୋଭାବରେ ମା’ ଲକ୍ଷ୍ମୀଙ୍କ ପୂଜା ଆୟୋଜନ ସାରା ରାଜ୍ୟ ଏମିତିକି ସାରା ଦେଶ ପାଇଁ ଏକ ଉଦାହରଣ ବୋଲି ବିଧାୟକ ସୌଭିକ୍ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ଚୌଦ୍ୱାର ପୌରପାଳିକାର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବରିଷ୍ଠ କାଉନସିଲର ସୁବ୍ରତ ସାମଲ, ସବିତା ମାହାଳି, ଅର୍ଜୁନ ପଣ୍ଡା ଓ ଶାରଦା ରଞ୍ଜନ ପରିଜା ପ୍ରମୁଖ କହିବା ସହ ସାହିବାସିନ୍ଦାଙ୍କୁ ପ୍ରଶଂସା କରିଛନ୍ତି।

Comments are closed.