ହସ୍ତିନାର ପ୍ରତିଷ୍ଠାତା ରାଜା ହସ୍ତୀ

ଅର୍ଜୁନୀ ଚରଣ ବେହେରା

ହସ୍ତିନାର ପ୍ରତିଷ୍ଠାତା ରାଜା ହସ୍ତୀ
=================
ରାଜା ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କ ଗର୍ଭରୁ ଜନ୍ମ ହୋଇ ଥିଲେ ଗୌରବମୟ ଭରତବଂଶର ପ୍ରତିଷ୍ଠାତା ରାଜ ଚକ୍ରବର୍ତ୍ତୀ ମହାରାଜ ଭରତ l ଶ୍ରୀମଦ୍ ଭାଗବତର ବର୍ଣ୍ଣନାନୁଯାୟୀ ସେ ପୃଥିବୀରେ ସତେଇଶି ହଜାର ବର୍ଷ ପର୍ଯ୍ୟନ୍ତ ଏକଛତ୍ର ଶାସନ କରିଥିଲେ l
ଭରତଙ୍କ ତିନିରାଣୀ ଥିଲେ ବିଦର୍ଭର ରାଜ କନ୍ୟା l କାଳକ୍ରମେ ସେମାନଙ୍କ ଗର୍ଭରୁ ବହୁ ପୁତ୍ର ଜନ୍ମିଲେ l କିନ୍ତୁ ଭରତ ସେମାନଙ୍କୁ ତାଙ୍କ ନିଜ ଅନୁରୂପ ନୁହେଁ ବୋଲି କହୁ ଥିବାରୁ ସେ ପୁତ୍ର ମାନଙ୍କୁ ରାଣୀମାନେ ମାରି ପକାଉ ଥିଲେ l ଏପରି ଭରତଙ୍କ ବଂଶ ନାଶ ହେବା ଦେଖି ସେ ମରୁତ୍ ସୋମ ନାମକ ଏକ ଯଜ୍ଞ କଲେ l ସେହି ଯଜ୍ଞରେ ସନ୍ତୁଷ୍ଟହୋଇ ମରୁତମାନେ ତାଙ୍କୁ ଭରଦ୍ୱାଜ ନାମରେ ଏକ ପୁତ୍ର ପ୍ରଦାନକଲେ l ଭରଦ୍ୱାଜଙ୍କ ଜହ୍ନ କାହାଣୀ ଥିଲା ବିଚିତ୍ର l
ଥରେ ବୃହସ୍ପତି ନିଜର ଗର୍ଭବତୀ ଭାଇବୋହୁ ସହ ସହବାସ କରିବାକୁ ବସିବାରୁ ଗର୍ଭସ୍ଥ ଶିଶୁ କହିଲା ଏଠାରେ ଆଉ ସ୍ଥାନନାହିଁ l ସେ ସେହି ଶିଶୁକୁ ଅନ୍ଧ ହୋଇଯାଆ ବୋଲି ଅଭିଶାପ ଦେଇ ବୀର୍ଯ୍ୟ ତ୍ୟାଗ କଲେ l ବୃହସ୍ପତିଙ୍କ ଭାଇ ବୋହୂ ଥିଲେ ଉତଥ୍ୟଙ୍କ ପତ୍ନୀ ମମତା l ମମତା ଲୋକଲଜ୍ୟାରୁ ବୃହସ୍ପତିଙ୍କ ଠାରୁ ଜନ୍ମହେବାକୁ ଯାଉଥିବା ସନ୍ତାନକୁ ପରିତ୍ୟାଗ କରିବାକୁ ଚାହିଁଲେ l ବୃହସ୍ପତି ତାଙ୍କୁ ଏଥିରୁ ବାରଣ କଲେ, କିନ୍ତୁ ମମତା ତାଙ୍କ କଥା ନଶୁଣି ତାକୁ ଛାଡ଼ି ଚାଲି ଗଲେ l ଦୁଇ ଜଣଙ୍କ ଠାରୁ ଜାତ ସେହି ଦ୍ୱାଜ ପୁତ୍ରକୁ ଦେବତାମାନେ ନେଇ ପାଳିଲେ ଏଵଂ ତା’ର ନାମ ଦେଲେ ଭରଦ୍ୱାଜ l ପରେ ମରୁତ ଗଣ ସେହି ଭରଦ୍ୱାଜଙ୍କୁ ଦୁଷ୍ୟନ୍ତଙ୍କୁ ପ୍ରଦାନ କଲେ l
ଭରଦ୍ୱାଜ ପୁତ୍ର ହୀନ ବଂଶରେ ଦତ୍ତ ହୋଇ ଥିବାରୁ ତାଙ୍କ ନାମ ହେଲା ବିତଥ l ବିତଥଙ୍କ ପୁତ୍ର ହେଲେ ମନ୍ୟୁ l ମନ୍ୟୁଙ୍କ ପାଞ୍ଚପୁଅ ଜନ୍ମହେଲେ ବୃହଦକ୍ଷତ୍ର, ଜୟ, ମହାବୀର୍ଯ୍ୟ, ନର ଓ ଗର୍ଗ l ବୃହଦ୍କ୍ଷତ୍ରଙ୍କ ପୁତ୍ର ହେଲେ ହସ୍ତୀ l ତାଙ୍କ ମାତା ସୁବର୍ଣ୍ଣା ଥିଲେ, ଈକ୍ଷାକୁ ସୂର୍ଯ୍ୟ ବଂଶର କନ୍ୟା l ହସ୍ତୀଙ୍କ ବିବାହ ଯଶୋଧାରା ରାଜା ତ୍ରିଗର୍ତଙ୍କ କନ୍ୟାସହ ହୋଇଥିଲା l ହସ୍ତୀଙ୍କର ତିନିପୁତ୍ର ଥିଲେ ଅଜମୀଢ଼, ଦ୍ଵୀମୀଢ଼ ଓ ପୁରୁମୀଢ଼ l
ହସ୍ତୀଙ୍କ ଛଅପୁରୁଷ ପରେ ରାଜା ସମ୍ବରଣ ଓ ସୂର୍ଯ୍ୟ ପୁତ୍ରୀ ତପତିଙ୍କ ଔରସରୁ ଜନ୍ମ ହେଲେ କୁରୁବଂଶର ପ୍ରତିଷ୍ଠାତା ମହାରାଜ କୁରୁ l ତାଙ୍କ ଛଅପୁରୁଷ ପରେ ଏହି ବଂଶରେ ଜନ୍ମହେଲେ ରାଜା ଶାନ୍ତନୁ l ଏହିପରି ହସ୍ତୀଙ୍କ ବଂଶ ବିସ୍ତାର ଲାଭ କରି କାଳକ୍ରମେ ସେହି ବଂଶରେ ସମ୍ଭବିଲେ କୌରବ ଓ ପାଣ୍ଡଵମାନେ l ମହାରାଜ ହସ୍ତୀ ପ୍ରତିଷ୍ଠା କରିଥିଲେ ହସ୍ତୀନାନଗର l
ଶ୍ରୀମଦ୍ଭାଗବତ ମହାପୁରାଣ ନବମ ସ୍କନ୍ଧ ଏକବିଂଶ ଅଧ୍ୟାୟର ବଂଶାନୁଚରିତ ବର୍ଣ୍ଣନାରେ ଭରତ ବଂଶ ବର୍ଣ୍ଣନା କରି ମହାରାଜ ପରୀକ୍ଷିତଙ୍କୁ ମହାମୁନି ଶୁକ ବୁଝାଇ କହିଥିଲେ:-
ମନ୍ୟୁର ଯେହୁ ପଞ୍ଚପୁତ୍ର l
ଜ୍ୟେଷ୍ଠ ତହିଁରେ ବୃହତ୍‌କ୍ଷତ୍ର ll
ହସ୍ତୀ ଯେ ତାହାର କୁମର l
ବସାଇ ହସ୍ତିନା ନଗର ll
ହସ୍ତୀର ହେଲେ ତିନିସୁତ l
ଦ୍ୱିମୀଢ଼ ଅଜମୀଢ଼ ଖ୍ୟାତ ll
ଅପର ପୁରୁମୀଢ଼ ଘେନି l
ଏମନ୍ତେ ହେଲେ ପୁତ୍ର ତିନି ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.