ଜୟ ମା’ ଶାରଳେ

ଅର୍ଜୁନୀ ଚରଣ ବେହେରା

ଜୟ ମା’ ଶାରଳେ
============
ଜୟ ମା’ ଶାରଳେ ପୂଜା ତୋ ଉତ୍କଳେ,
ଶାରଦା ବରଦା ତୁହି l
ବିଶ୍ୱବନ୍ଦ୍ୟା ମାତା ତୁହି ଆଦି ମାତା
ବାଗ୍ଦେବୀ କଲ୍ୟାଣମୟୀ ll
ମାଆଲୋ ବାଗ୍ଦେବୀ ତୁହି ବାକ୍ୟଦେବୀ
ତୋହର କରୁଣା ବଳେ l
ଦିବ୍ୟ ଦର୍ଶୀ ଅନ୍ଧ ମୂକ ବାକ୍ୟ ବଦ୍ଧ
ପଥର ଭାସଇ ଜଳେ ll
ପଙ୍ଗୁ ଲଂଘେ ଗିରି, ଶିରି ହତ ଶିରି
ଲଭେ ପାଇ ତୋ ଆଶିଷ l
ରହି ଥାଏ ଦୂରେ କାଳ ଭୟ ବାରେ
ନାମ ମହିମା ଅଶେଷ ll
ତୁ ବିଦ୍ୟା ଦାୟିନୀ ବର ପ୍ରଦାୟିନୀ
ତୁହି ମାଆ ବୀଣାପାଣି l
ମରାଳ ବାହିନୀ ବିଶ୍ୱ ଠାକୁରାଣୀ
ତୁହି ମା କବି ଜନନୀ ll
କବି କୋବିଦଙ୍କ କଣ୍ଠେ ବସି ମାତ
କରିଥାଉ ତୁହି ଖେଳା l
ତୋ ପ୍ରସାଦ ବଳେ ମୂର୍ଖ ସିଦ୍ଧେଶ୍ୱର
ଆଦିକବି ବୋଲାଇଲା ll
ବାଣୀପୁତ୍ର କବି ଶ୍ରୀ ଶାରଳା ଦାସେ
କହିଦେଲୁ ଶାସ୍ତ୍ର ମାନ l
କେତେ କେତେ ଗ୍ରନ୍ଥ ଶ୍ରୀମହାଭାରତ
ଲେଖିଲେ ଧରି ଲିଖନ ll
ଝଙ୍କଡ଼ ବାସିନୀ ଝଙ୍କାର ରାଗିଣୀ
ଝଙ୍କୃତ କନକ ପୁରେ l
ଝର ଝର ଝରେ ଝର୍ଝର ନାଦରେ
ପୂଜା ତୋ ବେଦ ମନ୍ତ୍ରରେ ll
ଜୟ ଖିଳରାଣୀ କେଶରୀ ବାହିନୀ
କାବ୍ୟକଳା ଠାକୁରାଣୀ l
ସଙ୍କଟା ବିକଟା ତୁହି ମହୋତ୍କଟା
ନମସ୍ତେ ବିଶ୍ୱ ଜନନୀ ll
ନମଃ ନାରାୟଣୀ ଭୈରବୀ ଶିବାନୀ
ପରମ ବୈଷ୍ଣବୀ ତୁହି l
ଜୟ ବାଣୀ ବୀଣା ପୁସ୍ତକ ଧାରିଣୀ
ନମସ୍ତସୈ ମହାମାୟୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.